ନୂଆଦିଲ୍ଲୀ: ଶେଷରେ ପିଞ୍ଜରା ତୋଡ଼ ସଂଗଠନର ସ୍ୱେଚ୍ଛାସେବୀ ଦେବାଙ୍ଗନା କାଲିତା, ନତାଶା ନରୱାଲ ଓ ଜାମିଆ ଛାତ୍ର ଆସିଫ ଇକବାଲଙ୍କୁ ଜାମିନ ମିଳିଛି। ଏମାନଙ୍କୁ ଦିଲ୍ଲୀ ଦଙ୍ଗା ଘଟଣାରେ ପୁଲିସ୍ ୟୁଏପିଏ ବଳରେ ଗିରଫ କରି ବର୍ଷେ ହେଲା ଜେଲ ମଧ୍ୟରେ ରଖିଥିଲା।
ହେଲେ ଆଜି ଦିଲ୍ଲୀ ହାଇକୋର୍ଟ ସମସ୍ତଙ୍କୁ ଜାମିନ ଦେଇଛନ୍ତି। ଦେବାଙ୍ଗନା ଓ ନାତାଶା ଦୀର୍ଘ ବର୍ଷେ ହେଲା ଜେଲରେ ରହିଥିଲେ। ଜାମିନ ପ୍ରଦାନ କରିବା ବେଳେ ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ଅନୁପ ଜୟରାମ ଭମଭବାନୀ କହିଛନ୍ତି, ବିରୋଧ ପ୍ରଦର୍ଶନ କରିବା ଆତଙ୍କବାଦ ନୁହେଁ।
ସରକାର ବିରୋଧ ପ୍ରଦର୍ଶନ କରିବା ପାଇଁ ସମ୍ବିଧାନରେ ଦିଆଯାଇଥିବା ଅଧିକାର ଓ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଥିବା ପାର୍ଥକ୍ୟକୁ ବୁଝିବା ଦରକାର। ଯଦି ଏହାକୁ କେହି ବୁଝି ପାରିବେ ନାହିଁ, ତା’ହେଲେ ଏହା ଗଣତନ୍ତ୍ର ପାଇଁ ନିଶ୍ଚିତ ଭାବେ ଗୋଟିଏ ଦୁଃଖଦ ଦିନ ଭାବେ ଗଣାଯିବ ବୋଲି କୋର୍ଟ କହିଛନ୍ତି।
କୋର୍ଟ ଜାମିନ ପ୍ରଦାନ କରିବା ବେଳେ ସମସ୍ତଙ୍କୁ ନିଜର ପାସପୋର୍ଟ ଦାଖଲ କରିବାକୁ କହିଛନ୍ତି। ସେହିପରି ସେମାନେ ଏମିତି କିଛି କାମ କରିବେ ନାହିଁ, ଯାହା ଦ୍ୱାରା ତଦନ୍ତ ପ୍ରଭାବିତ ହେବ। ଗତ ସପ୍ତାହରେ ନତାଶା ଓ ଦେବାଙ୍ଗନାଙ୍କ ସପକ୍ଷରେ ପିଞ୍ଜରା ତୋଡ଼ ସଂଗଠନର ସଦସ୍ୟମାନେ ଏକାଠି ହୋଇଥିଲେ।
ଜେଲରେ ଉଭୟଙ୍କୁ ରହିବାର ବର୍ଷେ ପୂରିଥିବାରୁ ଏଭଳି କାର୍ଯ୍ୟକ୍ରମ କରାଯାଇଥିଲା। ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ ନାତାଶ ଓ ଦେବାଙ୍ଗନା ସମସ୍ତଙ୍କୁ ସମାନ ଅଧିକାର ବଳରେ ନାଗରିକତା ପ୍ରଦାନ କରିବାକୁ ଦାବି କରିବାରୁ ସେମାନଙ୍କୁ ଜେଲ ପଠାଯାଇଛି। ସେମାନଙ୍କୁ ସବୁ ମାମଲାରେ ଜାମିନ ମିଳିଥିଲେ ହେଁ ୟୁଏପିଏ ବଳରେ ଜେଲ ଭିତରେ ବନ୍ଦୀ କରି ରଖାଯାଇଛି।
୨୦୨୦ ଫେବୃଆରୀ ମାସରେ ସିଏଏ ବିରୋଧରେ ଆନ୍ଦୋଳନ ଚାଲିଥିବା ବେଳେ ଉତ୍ତର ଦିଲ୍ଲୀରେ ସାଂପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଥିଲା। ଏହି ଦଙ୍ଗା ବିରୋଧରେ ଦେବାଙ୍ଗନା ଓ ନତାଶା ଷଡ଼ଯନ୍ତ୍ର କରିଥିବା ପୁଲିସ୍ ଅଭିଯୋଗ କରି ସେମାନଙ୍କୁ ଗିରଫ କରିଥିଲା। ଉଭୟଙ୍କ ନାଁରେ ସଶକ୍ତ ୟୁଏପିଏ ଲଗାଯାଇଥିଲା।
ଜେଲରେ ଥିବା ବେଳେ ନତାଶା ତାଙ୍କ ବାପା ମହାବୀର ନରୱାଲଙ୍କୁ କରୋନାରେ ହରାଇଥିଲେ। ଏହି ସମୟରେ କିଛି ଦିନ ପାଇଁ ତାଙ୍କୁ ଜାମିନରେ ଛଡ଼ା ଯାଇଥିଲା। ବାପାଙ୍କ ଅନ୍ତିମ ସଂସ୍କାର ପରେ ନତାଶା ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ତାଙ୍କୁ ତିହାର ଜେଲ ପଠାଯାଇଥିଲା।
ଦିଲ୍ଲୀର ଜାଫରାବାଦ ଦଙ୍ଗା ଘଟଣାରେ ପୂର୍ବରୁ ସେମାନଙ୍କୁ ଗିରଫ କରାଯାଇଥିଲା। ହେଲେ ଏହି ମାମଲାରେ ଉଭୟଙ୍କୁ ଜାମିନ ମିଳିଥିଲା। ଜାମିନ ମିଳିବାର କିଛି ଘଣ୍ଟା ମଧ୍ୟରେ ଉଭୟଙ୍କୁ ଦ୍ୱିତୀୟ ଥର ପାଇଁ ଗିରଫ କରାଯାଇଥିଲା। ଜାନୁଆରୀ ମାସରେ ଦିଲ୍ଲୀର ଟ୍ରାଏଲ କୋର୍ଟ ଦେବାଙ୍ଗନାଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଥିଲେ। ହେଲେ ଆଜି ହାଇକୋର୍ଟ ଏମାନଙ୍କୁ ଜାମିନ ଦେଇଛନ୍ତି।
ଏହା ପୂର୍ବରୁ ଅସିଫଙ୍କୁ କୋର୍ଟ ପରୀକ୍ଷା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜୁନ୍ ୨୬ରେ ସେ ଜେଲକୁ ଆସିବାର ଥିଲା। କିନ୍ତୁ ଆଜି କୋର୍ଟ ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି।
The post ବିରୋଧ ପ୍ରଦର୍ଶନ ଆତଙ୍କବାଦ ନୁହେଁ: କୋର୍ଟ, ପିଞ୍ଜରା ତୋଡ଼ର ସଦସ୍ୟଙ୍କୁ ଜାମିନ appeared first on Odisha Reporter.
from Odisha Reporter https://ift.tt/3pWd2Ao
No comments:
Post a Comment