ବେଙ୍ଗାଲୁରୁ: କିଛି ଅପରାଧ ନ କରି ବି ୪ ବର୍ଷ ଜେଲରେ ରହିଲେ। ବିନା ଶୁଣାଣିରେ ୪ ବର୍ଷ କାଳ ଜେଲରେ ଯନ୍ତ୍ରଣା ସହିବା ପରେ ଶେଷରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଜଣେ ବ୍ୟକ୍ତି। ଏହି ବ୍ୟକ୍ତି ଜଣଙ୍କ ତ୍ରିପୁରାର ହୋଇଥିବା ବେଳେ ତାଙ୍କୁ ବେଙ୍ଗାଲୁରୁରେ ୪ ବର୍ଷ କାଳ ଜେଲଦଣ୍ଡ ଭୋଗିବାକୁ ପଡ଼ିଛି।
ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ ଘଟିଥିବା ଗୋଟିଏ ଗୁଳିକାଣ୍ଡ ଘଟଣାରେ ୩୬ ବର୍ଷୀୟ ମହମ୍ମଦ ହବୀବଙ୍କୁ ୪ ବର୍ଷ ତଳେ ଗିରଫ କରାଯାଇଥିଲା। ତାଙ୍କ ନାଁରେ ବିଭିନ୍ନ ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାର ଦଫା ଲଗା ଯାଇଥିଲେ। ଅପରାଧ ବିଷୟରେ କିଛି ନ ଜାଣି ସେ ୪ ବର୍ଷ କାଳ ଜେଲରେ ରହିବା ପରେ ଶେଷରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ ତାଙ୍କୁ ଜୁନ୍ ୧୪ରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
୨୦୦୫ ଗୁଳିକାଣ୍ଡ ଘଟଣାରେ ଏନଆଇଏ ୨୦୧୭ରେ ମହମ୍ମଦ ହବୀବଙ୍କୁ ଗିରଫ କରିଥିଲା। ଏହି ଗୁଳିକାଣ୍ଡ ଘଟଣାରେ ଜଣେ ପ୍ରାଣ ହରାଇବା ସହ ଅନେକ ଲୋକ ଆହତ ହୋଇଥିଲେ। କର୍ଣ୍ଣାଟକା ପୁଲିସ୍ ଆକ୍ରମଣ ପଛରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ହାତ ରହିଛି ବୋଲି କହିଥିଲା। ଏଥିସହ ଆତଙ୍କୀ ହମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମହମ୍ମଦ ହବୀବ ବୋଲି ଘୋଷଣା କରିଥିଲା। କିନ୍ତୁ ଏ ସମ୍ପର୍କରେ କୌଣସି ପ୍ରମାଣ ଯୋଗାଡ଼ କରିପାରି ନଥିଲା।
ବେଙ୍ଗାଲୁରୁର କେନ୍ଦ୍ରୀୟ କାରାଗାରରୁ ବାହାରିବା ପରେ ହବୀବ କହିଛନ୍ତି, “ମୋ ବିରୋଧରେ ଆସିଥିବା ଆତଙ୍କବାଦୀ ଅଭିଯୋଗ କଥା ଶୁଣି ମୋ ବାପା ପ୍ରାଣ ହରାଇଥିଲେ। ବିନା ଶୁଣାଣିରେ ମୋତେ ୪ ବର୍ଷ କାଳ ଜେଲରେ ରଖାଗଲା। ଏବେ ସେମାନେ ମୋ ବିରୋଧରେ କୌଣସି ପ୍ରମାଣ ଦେଇ ନ ପାରିବାରୁ କୋର୍ଟ ମୋତେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୁଁ କେବେ ହେଲେ ବେଙ୍ଗାଲୁରୁ ପୂର୍ବରୁ ଆସି ନଥିଲି। ତଥାପି ମୁଁ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର କରିଥିଲି ବୋଲି ଅଭିଯୋଗ ହୋଇଥିଲା। ମୋ ଜୀବନକୁ ଏହା ପୂରା ବର୍ବାଦ କରିଦେଇଛି।”
ହବୀବଙ୍କ ପାଇଁ ବିନା କୌଣସି ଫି’ ନେଇ ମାମଲା ଲଢ଼ୁଥିବା ଆଇନଜୀବୀ ତାହିର ଆମୀର କହିଛନ୍ତି, ଦୀର୍ଘ ବର୍ଷ ହେଲା ବିନା ଶୁଣାଣିରେ ହବୀବଙ୍କ ଭଳି ଅନେକ ଲୋକ ଜେଲର ଚାରି କାନ୍ଥ ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି। ୨୦୧୩ ବେଙ୍ଗାଲୁରୁରେ ଥିବା ବିଜେପି ମୁଖ୍ୟାଳୟ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏବେ ବି ୨୭ ଜଣ ବିନା ଶୁଣାଣିରେ ଜେଲରେ ରହିଛନ୍ତି। ଏହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି।
ପେଶାରେ ଗ୍ୟାରେଜ ମେକାନିକ ଥିବା ହବୀବ ତ୍ରିପୁରାର ଅଗରତାଲା ଅନ୍ତର୍ଗତ ଯୋଗେନ୍ଦ୍ର ନଗରରେ ରୁହନ୍ତି। ସେ ସେଠାରେ ଥିବା ବେଳେ ତାଙ୍କୁ ଏନଆଇଏ ୨୦୧୭ରେ ଗିରଫ କରି ବେଙ୍ଗାଲୁରୁ ଆଣିଥିଲା।
The post ଟେରର କେସ୍ରେ ୪ ବର୍ଷ ଜେଲରେ ରହିବା ପରେ ନିର୍ଦ୍ଦୋଷରେ ଖଲାସ ହେଲେ appeared first on Odisha Reporter.
from Odisha Reporter https://ift.tt/3qfI9GV
No comments:
Post a Comment