ଅମୃତସର: କରୋନା ସଚତେନତା ନେଇ ସରକାର ଯେଉଁଠି ‘ଦୋ ଗଜ ଦୁରୀ’ର ନାରା ଦେଉଛନ୍ତି ସେଠି ପଞ୍ଜାବର ସିଙ୍ଗୁର ଜିଲ୍ଲାରେ ଏହାକୁ ନେଇ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ସକରୋନ୍ଦି ଗାଁରେ ଥିବା ଗୁରୁଦ୍ୱାର ସାହିବର ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। କାରଣ ସେହି ବ୍ୟକ୍ତି ନିଜ ହାତରେ ପ୍ରସାଦ ବାଣ୍ଟି ଥିଲେ। ଗାଁର ଶହ ଶହ ଲୋକଙ୍କୁ ସେ ନିଜ ହାତରେ ପ୍ରସାଦ ଦେଇଥିଲେ। ପ୍ରସାଦ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଜ୍ୟର ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା ମଧ୍ୟ ରହିଛନ୍ତି।
ଏହି ଖବର ଲେଖା ହେବା ସୁଦ୍ଧା ସଂପୃକ୍ତ ଗାଁରୁ ୩୦ ଜଣଙ୍କର ନମୁନା ନିଆଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ରହିଛି। ଏବେ ଅନ୍ୟ ଲୋକଙ୍କ ନମୁନା ନିଆଯାଉଛି। ଏହି ପୂରା ଘଟଣା ଜୁନ୍ ୧ରେ ଘଟିଥିଲା। ଚାଷୀ ଆନ୍ଦୋଳନରେ ସାମିଲ୍ ହୋଇ ଗାଁରେ ପ୍ରାଣ ହରାଇଥିବା କରମଜିତ୍ ସିଂଙ୍କ ସ୍ମୃତିରେ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ଗାଁରେ ପ୍ରସାଦ ବଣ୍ଟାଯାଇଥିଲା। ଏହି ପ୍ରସାଦ ଗୁରୁଦ୍ୱାରରୁ ବଣ୍ଟା ଯାଇଥିଲା। ଯେଉଁ ବ୍ୟକ୍ତି ଏହି ପ୍ରସାଦ ବାଣ୍ଟିଥିଲେ ଦିନ ପରେ କରୋନାରେ ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ପାଇଥିଲେ। ରାଜ୍ୟର ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା ଏବଂ ପୂର୍ବତନ ସାଙ୍ଗରୁ ବିଧାୟକ ପ୍ରକାଶ ଚନ୍ଦ୍ର ଗର୍ଗ ମଧ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ପାଖରୁ ପ୍ରସାଦ ଗ୍ରହଣ କରିଥିବା ଜଣାପଡ଼ିଛି।
ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ କରୋନା ଲକ୍ଷଣ ଦେଖାଯିବାରୁ ସେ ଓ ତାଙ୍କ ପତ୍ନୀ ମେ ୩୧ରେ କରୋନା ପରୀକ୍ଷା କରାଇଥିଲେ। ହେଲେ ଏହାର ପରଦିନ ଅର୍ଥାତ୍ ଜୁନ୍ ୧ରେ ଘରେ ନରହି ପ୍ରସାଦ ବଣ୍ଟା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ପରେ ଜୁନ୍ ୨ରେ ରିପୋର୍ଟ ଆସିଥିଲା ଏହି ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି।
ଏବେ ଶିକ୍ଷା ମନ୍ତ୍ରୀ ସଂକ୍ରମଣରୁ ରୋକିବା ପାଇଁ ଗାଁରେ ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବରେ ନିଆଯାଇଛି। କୌଣସି ବ୍ୟକ୍ତି ଏହି ଗାଁରୁ ବାହାରକୁ ଯାଇପାରୁ ନାହାନ୍ତି କି କେହି ଆସି ପାରୁ ନାହାନ୍ତି। ସମସ୍ତଙ୍କର ଟେଷ୍ଟ ହେବା ପରେ ଯିବା ଆସିବା ଉପରେ ନିୟମ କୋହଳ କରାଯିବାକୁ ଲକ୍ଷ୍ୟ ରଖିଛି ସ୍ଥାନୀୟ ପ୍ରଶାସନ।
ସୂଚନାଯୋଗ୍ୟ, ପଞ୍ଜାବରେ କରୋନା ସଂକ୍ରମଣ ସହର ଅପେକ୍ଷା ଗାଁରେ ଅଧିକ ରହିଛି। ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୬୦ ପ୍ରତିଶତ ଗ୍ରାମାଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଗାଁରେ ଅଧିକ ରହିଥିବା ସୂଚନା ରହିଛି।
The post ଶହରେ ଅଧିକ ଲୋକଙ୍କୁ ପ୍ରସାଦ ବାଣ୍ଟିଲେ କରୋନା ସଂକ୍ରମିତ, ଶିକ୍ଷାମନ୍ତ୍ରୀ ବି ଖାଇଲେ appeared first on Odisha Reporter.
from Odisha Reporter https://ift.tt/34SoAKV
No comments:
Post a Comment