ଭୁବନେଶ୍ୱର (କପିଳେନ୍ଦ୍ର ପ୍ରଧାନ): ‘ ନାପସାଟ୍’ ରୋଭର ତିଆରି କରି ଖୁବ୍ ପ୍ରଶଂସିତ ହୋଇଥିବା ରାଜ୍ୟର ‘ୟଙ୍ଗ ଟିଙ୍କର ଏକାଡେମୀ’ର ଛାତ୍ରଛାତ୍ରୀ କରିଛନ୍ତି ଆଉ ଏକ କମାଲ। ସେମାନଙ୍କ ଦ୍ୱାରା ବିକଶିତ ଫାଷ୍ଟନର୍ ବା ନଟ୍ ବୋଲ୍ଟ ମହାକାଶକୁ ଯିବ। ମହାକାଶରେ ଏସବୁ ନଟ୍ ବୋଲ୍ଟ ତିଷ୍ଠି ପାରୁଛି ନା ନାହିଁ ତା’ର ପରୀକ୍ଷା ହେବ।
ନାସା ପକ୍ଷରୁ ଆୟୋଜିତ କ୍ୟୁବ୍ସ ଇନ୍ ସ୍ପେସ୍ ପ୍ରତିଯୋଗିତାରେ ୭୩ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିଛନ୍ତି ଏହି ଓଡ଼ିଆ ଛାତ୍ରଛାତ୍ରୀ। ଜୁନ୍ ୨୪ରେ ନାସା ପକ୍ଷରୁ ମହାକାଶକୁ ପ୍ରେରଣ ହେବାକୁ ଥିବା ରକେଟ୍ ଏସ୍ଆର୍-୭ ଜରିଆରେ ମହାକାଶକୁ ଯିବ ସେମାନଙ୍କ ଏକ୍ସପେରିମେଣ୍ଟ।
ଏକାଡେମୀର ୭ ଜଣିଆ ଟିମ୍ ୪ଟି ଭିନ୍ନ ଭିନ୍ନ ଧାତୁ (ଏଆଇଏସ୍ଆଇ ୩୦୪ ଷ୍ଟେନ୍ଲେସ୍ ଷ୍ଟିଲ, ଏଆଇଏସ୍ଆଇ ୩୧୬ ଷ୍ଟେନ୍ଲେସ୍ ଷ୍ଟିଲ୍, ଏ୨୮୬ ସୁପରଆଲୟ ଓ ଇନ୍କଲେନ୍ ୭୧୮ ସୁପରଆଲୟ)ରେ ପ୍ରସ୍ତୁତ କରିଛନ୍ତି ଏହି ନଟ୍ ବୋଲ୍ଟ। ଏସବୁ ଧାତୁର ଚୟନ ସହ ସେଗୁଡ଼ିକର ବିକାଶ ପାଇଁ ୩ ମାସ କାଳ ଦିନ ରାତି ଏକ କରିବାକୁ ପଡ଼ିଥିଲା ଏହି କିଶୋର ବୈଜ୍ଞାନିକଙ୍କୁ।
ନାସା ଦ୍ୱାରା ମହାକାଶ ମିଶନ ପାଇଁ ସେମାନଙ୍କର ଏହି ଏକ୍ସପେରିମେଣ୍ଟ ଚୟନ ହେବାପରେ ଟିମ୍ ଛାତ୍ରଛାତ୍ରୀଙ୍କ ଖୁସି କହିଲେ ନସରେ। ଏଥିରୁ ସେମାନଙ୍କୁ ମହାକାଶ ଗବେଷଣା ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଛି ବୋଲି କହିଛନ୍ତି ଟିମ୍ର ଦୁଇ କିଶୋର ବୈଜ୍ଞାନିକ ଦୀପାୟନ ଜେନା ଓ ଶ୍ରୀୟା।
ଓଡ଼ିଶାର ଏହି କିଶୋର ବୈଜ୍ଞାନିକଙ୍କ ପ୍ରକଳ୍ପ ବିକାଶରେ ସବୁ ପ୍ରକାର ସହାୟତା କରିଥିଲେ ୟଙ୍ଗ୍ ଟିଙ୍କର୍ ଏକାଡେମୀର ୪ ଜଣିଆ ମେଣ୍ଟର ଟିମ୍। ଏପରିକି ମହାକାଶ ପୃଷ୍ଠରୁ ଏହି ନଟ୍ ବୋଲ୍ଟ ସମ୍ବନ୍ଧୀୟ ତଥ୍ୟ ପାଇବାକୁ ସେମାନେ ବିକାଶ କରିଛନ୍ତି ଏକ କ୍ୟୁବ୍ ସାଇଜ୍ ସାଟେଲାଇଟ୍- YT ସାଟେଲାଇଟ୍। ମହାକାଶରେ ନଟ୍ ବୋଲ୍ଟ ସମ୍ବନ୍ଧୀୟ ସବିଶେଷ ତଥ୍ୟ ୟଙ୍ଗ୍ ଟିଙ୍କର୍ ଟିମ୍କୁ ପଠାଇବ YT ସାଟେଲାଇଟ୍। ଏହି ଏକ୍ସପେରିମେଣ୍ଟରୁ ମିଳିବାକୁ ଥିବା ତଥ୍ୟ ଆଧାରରେ ଭବିଷ୍ୟତରେ ମହାକାଶ କାର୍ଯ୍ୟକ୍ରମରେ ଉପଯୁକ୍ତ ଫାଷ୍ଟନରକୁ ବ୍ୟବହାର କରାଯାଇପାରିବ ବୋଲି ଆଶା ରଖିଛନ୍ତି ମେଣ୍ଟର ସୁନୀଲ ପ୍ରଧାନ।
ସ୍ପେସ୍ ମିଶନର ଛୋଟ ଛୋଟ ଉପକରଣକୁ ପରୀକ୍ଷା କରାଇ ଭବିଷ୍ୟତର ସ୍ପେସ୍ ମିଶନକୁ ଅଧିକ ଭଲ କରାଯାଇପାରିବ ବୋଲି କହିଛନ୍ତି ୟଙ୍ଗ୍ ଟିଙ୍କର ଏକାଡେମୀ ସିଇଓ ତଥା ମେଣ୍ଟର ଅନୀଲ ପ୍ରଧାନ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଏପ୍ରିଲ ମାସରେ ୟଙ୍ଗ୍ ଟିଙ୍କର୍ ଏକାଡେମୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ରୋଭୋର୍ ନାସାର ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର୍ ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିଥିଲା।
The post ନଟ୍ ବୋଲ୍ଟ ବିକଶିତ କଲେ ଓଡ଼ିଆ ଛାତ୍ରଛାତ୍ରୀ, ଖୁବ୍ଶୀଘ୍ର ଯିବ ମହାକାଶ appeared first on Odisha Reporter.
from Odisha Reporter https://ift.tt/3q7CUt7
No comments:
Post a Comment