କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହାରିଥିବା ବିଜେପିର ଅଡ଼ୁଆ ବଢ଼ିବାରେ ଲାଗିଛି। ନିର୍ବାଚନ ପୂର୍ବରୁ ଆମଦାନୀ ହୋଇଥିବା ଏକାଧିକ ବିଧାୟକ ପୁଣି ଟିଏମସିକୁ ଫେରିବାକୁ ଚାହୁଁଥିବା ବେଳେ ଏବେ ଆଉ ଏକ ବଡ଼ ଘଟଣା ଘଟିଛି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଡାକିଥିବା ବିଧାୟକମାନଙ୍କ ବୈଠକରେ ପ୍ରାୟ ୨୪ ଜଣ ସଦସ୍ୟ ଯୋଗଦେଇ ନାହାନ୍ତି।
ଏମାନେ ସମସ୍ତେ ଟିଏମସିରେ ମିଶିବାକୁ ଯୋଜନା କରୁଥିବା କୁହାଯାଉଛି। ଏଥିସହ ଅନୁପସ୍ଥିତ ଥିବା ବିଧାୟକମାନେ ଶୁଭେନ୍ଦୁ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଭାବେ ଗ୍ରହଣ କରିବାକୁ ରାଜି ନଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏସବୁ ଘଟଣାକୁ ନେଇ ପଶ୍ଚିମବଙ୍ଗରେ ନୂଆନୂଆ ନିଜର ଛବି ତିଆରି କରୁଥିବା ବିଜେପିର ଚିନ୍ତା ବଢ଼ି ଯାଇଛି।
ସୋମବାର ସନ୍ଧ୍ୟାରେ ଶୁଭେନ୍ଦୁ ଅଧିକାରୀ ସମସ୍ତ ବିଧାୟକଙ୍କ ବୈଠକ ଡାକିଥିଲେ। ବୈଠକ ପରେ ରାଜଭବନ ଯାଇ ରାଜ୍ୟପାଳ ଜଗଦୀପ ଧାନକରଙ୍କ ସହ ଶୁଭେନ୍ଦୁ ଅଧିକାରୀ ଓ ଆଉ କିଛି ବିଧାୟକ ରାଜ୍ୟରେ ଘଟୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ହେଲେ ବିଜେପିର ୭୪ ଜଣ ବିଧାୟକଙ୍କ ମଧ୍ୟରୁ ଶୁଭେନ୍ଦୁଙ୍କ ସହ ରାଜଭବନକୁ ୨୪ ଜଣ ଯାଇ ନଥିଲେ। ସେମାନେ ଶୁଭେନ୍ଦୁଙ୍କ ବୈଠକକୁ ମଧ୍ୟ ଆସି ନଥିଲେ। ଏହି ଘଟଣା ପରେ ଅନୁପସ୍ଥିତ ଥିବା ବିଧାୟକମାନେ ଟିଏମସିରେ ମିଶିବାକୁ ଯୋଜନା କରୁଥିବା କୁହାଯାଉଛି। ଏଥିସହ ସମସ୍ତ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ସେମାନଙ୍କ ନେତା ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ଏଥିରୁ ସ୍ପଷ୍ଟ ହୋଇଛି।
ଡିସେମ୍ବର ମାସରେ ଟିଏମସି ଛାଡ଼ି ଶୁଭେନ୍ଦୁ ବିଜେପିରେ ମିଶିଥିଲେ। ଶୁଭେନ୍ଦୁଙ୍କ ପଛେପଛେ ଅନେକ ଟିଏମସି ବିଧାୟକ ଓ ନେତା ମଧ୍ୟ ବିଜେପିକୁ ଆସିଥିଲେ। ଖୁବ ଅଳ୍ପ ସମୟରେ ବିଜେପିରେ ତାଙ୍କର ଦବଦବା ବଢ଼ିଥିଲା। ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇବା ପରେ ବିଜେପିରେ ତାଙ୍କ କ୍ଷମତା ଆହୁରି ବଢ଼ି ଯାଇଥିଲା। ଏହି କାରଣ ପାଇଁ ବିଜେପି ତାଙ୍କୁ ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛି।
ହେଲେ ପୂର୍ବରୁ ଦଳରେ ଥିବା ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ୨୦୧୭ରୁ ବିଜେପିରେ ଥିବା ମୁକୁଲ ରୟ ଏବେ ଟିଏମସିରେ ମିଶିଛନ୍ତି। ମୁକୁଲ ରୟ ଟିଏମସିକୁ ଫେରିଯିବାରୁ ତାଙ୍କ ପଥକୁ ଅନେକ ବିଜେପି ବିଧାୟକ ଅନୁସରଣ କରିବାକୁ ଯୋଜନା କରିଛନ୍ତି।
ଏପରି କି କିଛି ବିଧାୟକ ଓ ବିଜେପି ନେତା ଖୋଲାଖୋଲି ଭାବେ ଟିଏମସିକୁ ଫେରିବାକୁ ଚାହୁଁଥିବା କହିଥିଲେ। ଟିଏମସି ମଧ୍ୟ ୩୦ ଜଣ ବିଧାୟକ ଦଳକୁ ଆସିବାକୁ ଚାହୁଁଥିବା ସୂଚନା ଦେଇଛି।
The post ବଢ଼ିଲା ବିଜେପିର ଅଡ଼ୁଆ, ଶୁଭେନ୍ଦୁ ଅଧିକାରୀଙ୍କ ବୈଠକକୁ ଗଲେନି ୨୪ ବିଧାୟକ appeared first on Odisha Reporter.
from Odisha Reporter https://ift.tt/3zkPpWe
No comments:
Post a Comment