ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ମୂଲ୍ୟାୟନ ନେଇ ୧୫ ଦିନ ଭିତରେ ବିଶେଷଜ୍ଞ କମିଟି ଗଠନ କରାଯିବ। ପିଲାମାନଙ୍କୁ କେମିତି ମାର୍କ ଦିଆଯିବ, ସେ ନେଇ କମିଟି ତର୍ଜମା କରିବ ବୋଲି ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।
ସେ କହିଛନ୍ତି, ମୂଲ୍ୟାୟନ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ବିଚାର କରିବ କେମିତି ମୂଲ୍ୟାୟନ କରାଯିବ। ୟା ଭିତରେ ସୁପ୍ରିମକୋର୍ଟ ସିବିଏସ୍ଇ ଓ ଆଇସିଏସ୍ଇକୁ କେମିତି ମୂଲ୍ୟାୟନ କରାଯିବ ସେ ନେଇ ଜଣାଇବାକୁ କହିଛନ୍ତି। ଆମ ବିଶେଷଜ୍ଞ କମିଟି ସିବିଏସ୍ଇ ଓ ଆଇସିଏସ୍ଇର ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁଧ୍ୟାନ କରିବ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଯୁକ୍ତ ୨ ମୂଲ୍ୟାୟନ ନେଇ ଯେତେ ପ୍ରକାର ପ୍ରସଙ୍ଗ ରହିଛି, ସବୁଗୁଡ଼ିକୁ ତର୍ଜମା କରାଯିବ। ବିଶେଷଜ୍ଞ କମିଟି ତା’ର ମତ ରଖି ସାରିବା ପରେ ଆମେ ନିଶ୍ଚିତ ଭାବେ ଯେତେ ଶୀଘ୍ର ସମ୍ଭବ ରେଜଲ୍ଟ ପ୍ରକାଶ କରିବାକୁ ପ୍ରୟାସ କରିବୁ।
କରୋନାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ ଘୋଷଣା କରିଥିଲେ। ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲ ଯେ ପରୀକ୍ଷା ଅପେକ୍ଷା ପିଲାଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ।
ସରକାର ପରୀକ୍ଷା ବାତିଲ କରିବା ସହିତ ବିଶେଷଜ୍ଞ କମିଟିର ପରାମର୍ଶ ଅନୁଯାୟୀ ମୂଲ୍ୟାୟନ କରାଯିବ ବୋଲି ଘୋଷଣା କରିଥିଲେ। ତେବେ ଯେଉଁ ଛାତ୍ରଛାତ୍ରୀ ସେମାନଙ୍କ ମୂଲ୍ୟାୟନରେ ଅସନ୍ତୁଷ୍ଟ ହେବେ, ସେମାନେ ପରୀକ୍ଷା ଦେଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କରୋନା ସ୍ଥିତି ସୁଧୁରିବା ପରେ ସେମାନେ ପରୀକ୍ଷା ଦେଇପାରିବେ। ପରିସ୍ଥିତିକୁ ଦେଖି କେବେ ପରୀକ୍ଷା କରାଯିବ, ତାହା ସିଏଚ୍ଏସ୍ଇ କର୍ତ୍ତୃପକ୍ଷ ସ୍ଥିର କରିବେ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଏହା ପୂର୍ବରୁ ମାଟ୍ରିକ୍ ପରୀକ୍ଷାକୁ ମଧ୍ୟ ବାତିଲ କରି ଦେଇଥିଲେ।
The post ଯୁକ୍ତ ଦୁଇ ମୂଲ୍ୟାୟନ; ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି appeared first on Odisha Reporter.
from Odisha Reporter https://ift.tt/3uWDhr0
No comments:
Post a Comment