ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ମା’ ସହିତ ଗାଧୋଇବାକୁ ଯାଇଥିବା ବେଳେ ନାଳରେ ବୁଡ଼ି ଗଲେ ଦୁଇ ଭାଇ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଚୁଡ଼ାପୁରୁଗ ଗାଁରେ।
ମୃତ ଦୁଇ ଶିଶୁ ହେଲେ ଅମିତ ଖଡ଼ିଆ ଓ ଅଜିତ ଖଡ଼ିଆ। ଅମିତକୁ ୬ ବର୍ଷ ଓ ଅଜିତକୁ ୪ ବର୍ଷ ହୋଇଥିଲା।
ଅମିତ ଓ ଅଜିତ ଆଜି ସେମାନଙ୍କ ମା’ ସୁନୀତା ଖଡ଼ିଆ ସହିତ ଗାଧୋଇବାକୁ ଗାଁ ନିକଟସ୍ଥ ସୁରୁବାଲି ନାଳକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି। ତେବେ କିଭଳି ଭାବେ ଦୁଇ ଶିଶୁ ବୁଡ଼ି ଗଲେ, ତାହା ସ୍ପଷ୍ଟ ହୋଇପାରିନି।
ମିଳିଥିବା ସୂଚନା ଅନୁଯାୟୀ, ଅନୀତା ଗାଧୋଇ ସାରିବା ପରେ ଛୁଆ ଦୁଇଟିକୁ ସେଠାରେ ଦେଖିବାକୁ ପାଇ ନଥିଲେ। ସେ ଭାବିଥିଲେ ଛୁଆ ଦୁଇଟି ଘରକୁ ଫେରି ଯାଇଛନ୍ତି। କିନ୍ତୁ ଘରକୁ ଫେରିବା ପରେ ବି ସେ ଛୁଆ ଦୁଇଟିକୁ ପାଇ ନଥିଲେ। ୟା ଭିତରେ ପ୍ରାୟ ଘଣ୍ଟାଏ ବିତି ଯାଇଥିଲା। ଏହା ପରେ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ନାଳରେ ସେମାନେ ପ୍ରଥମେ ଅମିତର ମୃତଦେହ ଭାସୁଥିବା ଦେଖିଥିଲେ। ଏହା ପରେ ସେମାନେ ଅଜିତର ମୃତଦେହ ପାଇଥିଲେ।
ମୃତଦେହ ଦୁଇଟିକୁ ଗ୍ରାମବାସୀ ରେଢାଖୋଲ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ବି ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଅମିତ ଓ ଅଜିତଙ୍କ ବାପା ଦାଦନ ଖଟିବା ପାଇଁ ବେଙ୍ଗାଲୁରୁ ଯାଇଛନ୍ତି।
The post ବୁଡ଼ି ଗଲେ ଦୁଇ ଭାଇ, ମା’ ସହିତ ଗାଧୋଇବାକୁ ଯାଇଥିଲେ appeared first on Odisha Reporter.
from Odisha Reporter https://ift.tt/3x3TFb3
No comments:
Post a Comment