ମୁମ୍ବାଇ: ବଲିଉଡ୍ ଦୁନିଆର ସବୁଠାରୁ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀ। ଏଠାରେ ତିଷ୍ଠିବା ବଡ଼ ବଡ଼ କଳାକାରଙ୍କ ପାଇଁ କାଠିକାର ପାଠ। ବହୁତ କମ୍ କଳାକାର ଅଛନ୍ତି, ଯିଏ ବଲିଉଡରେ ପାଦ ଦେଉ ଦେଉ ସଫଳତାର ଶିଖର ଛୁଅଁନ୍ତି। ଏମିତି ବି କିଛି କଳାକାର ଅଛନ୍ତି, ଯାହାକୁ ଷ୍ଟାର୍ ଡମ୍ ହାସଲ କରିବା ପାଇଁ ବର୍ଷ ବର୍ଷ ଲାଗିଯାଏ । କିନ୍ତୁ ଏମିତି ଜଣେ ଅଭିନେତା ଥିଲେ, ଯିଏ ଖୁବ୍ ସମୟରେ ନିଜକୁ ବଡ଼ ଷ୍ଟାର୍ ଭାବେ ବିବେଚିତ କରିଥିଲେ। ସେ ହେଉଛନ୍ତି ସୁଶାନ୍ତ ସିଂହ ରାଜପୁତ୍। ଆଜି ସୁଶାନ୍ତ ଆମ ଗହଣରେ ନାହାନ୍ତି। ଗତ ବର୍ଷ ଅର୍ଥାତ୍ ୨୦୨୦ ମସିହା ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଆଜିବି ସନ୍ଦେହ ଘେରରେ ରହିଛି।
ମାତ୍ର ୩୪ ବର୍ଷରେ ଦୁନିଆକୁ ଅଲବିଦା କହି ଦେଲେ। ମୁମ୍ବାଇର ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରେ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏହି ଘଟଣାକୁ ଆଜି ପୂରା ବର୍ଷେ ହୋଇଛି। ଏହି ମାମଲା ପୂରା ଦେଶ ସହ ରାଜନୀତିକ ପାର୍ଟି ଓ ତଦନ୍ତକାରୀ ଏଜେନ୍ସିକୁ ଦୋହଲାଇ ଦେଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ, ଇଡି, ଏନସିବି ଭଳି ବଡ଼ ବଡ଼ ତଦନ୍ତକାରୀ ଏଜେନ୍ସି ନେତୃତ୍ୱ ନେଇଥିଲେ, କିନ୍ତୁ କୌଣସି ଏଜେନ୍ସି ସୁଶାନ୍ତଙ୍କ ମୃତ୍ୟୃକୁ ନେଇ କୌଣସି ସ୍ପଷ୍ଟ ରିପୋର୍ଟ ଦେଇପାରିଲେ ନାହିଁ।
ମୁମ୍ବାଇ ପୁଲିସ୍ ଆକସ୍ମିକ ମୃତ୍ୟୁ ରିପୋର୍ଟ ଦାଖଲ କରି କହିଥିଲା ଯେ ଅଭିନେତା ଜଣକ ଆତ୍ମହତ୍ୟା କରିଛନ୍ତି। ତାଙ୍କର ମୃତ୍ୟୁ ପରେ ମୁମ୍ବାଇ ପୁଲିସର ତତ୍କାଳୀନ ମୁଖପାତ୍ର ପ୍ରଣୟ ଅଶୋକ କହିଥିଲେ ଯେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁ ହୋଇଛି। ହେଲେ ପୁଲିସକୁ କୌଣସି ସୁସାଇଡ୍ ନୋଟ୍ ମିଳିନଥିଲା ।
ହେଲେ ୧୪ ଦିନ ପରେ ସୁଶାନ୍ତଙ୍କ ପିତା ପଟନାରେ ଏକ ଏଫଆଇଆର୍ ଦାଖଲ କରିଥିଲେ, ଯେଉଁଥିରେ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ୬ ଲୋକଙ୍କ ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ଲାଗି ଉସୁକାଇବାର ଅଭିଯୋଗ ଲଗାଯାଇଥିଲା। ଅଭିନେତାଙ୍କ ପିତା ନିଜର ଅଭିଯୋଗରେ ଦାବି କରିଥିଲେ ଯେ ତାଙ୍କ ପୁଅ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ୧୫ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।
ବିହାରରେ ଦାଖଲ ଏଫଆଇଆରକୁ ନେଇଥିଲା ଇଡି। ଇଡି ତଥାକଥିତ ମନି ଲଣ୍ଡରିଂର ତଦନ୍ତ ଆରମ୍ଭ କରିଥିଲା। ଏହାରି ଭିତରେ ବିହାର ପୁଲିସର ଏକ ଟିମ୍ ମାମଲର ତଦନ୍ତ କରିବା ଲାଗି ମୁମ୍ବାଇ ପହଞ୍ଚିଥିଲା ଏବଂ ମାମଲାରେ ମୁମ୍ବାଇ ପୁଲିସ୍ ଠାରୁ କୌଣସି ସହଯୋଗ ମିଳିନଥିଲା। ମୁମ୍ବାଇ ପୁଲିସ୍ ବିହାର ପୁଲିସକୁ ସହଯୋଗ କରିନଥିଲା, କାରଣ ସେମାନଙ୍କୁ ଲାଗିଲା ଯେ ବିହାରରେ ଏଫଆଇଆର୍ ଦାୟର କରିବା ନିୟମ ବିରୋଧୀ ଅଟେ।
ଏହା ଦ୍ୱାରା ପରବର୍ତ୍ତୀ ସମୟରେ ରାଜନୀତିକ ଆକ୍ରୋଶ ମଧ୍ୟ ବ୍ୟାପିବାରେ ଲାଗିଲା। ଯାହା ପରେ ବିହାର ସରକାର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଥିଲା। ଅଗଷ୍ଟ ୬, ୨୦୨୦ରେ ସିବିଆଇ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର୍ ଦାଖଲ କରିଥିଲା ଏବଂ ତଦନ୍ତ ଆରମ୍ଭ କରିଥିଲା । ସିବିଆଇ ଅଧିକାରୀଙ୍କ ଏକ ଟିମ୍ ମୁମ୍ବାଇରେ ଡେରା ପକାଇଥିଲା। ସିବିଆଇ ଅନେକ ଲୋକଙ୍କ ବୟାନ ନେଇଥିଲା। ଏପରିକି ସିବିଆଇ ସୁଶାନ୍ତଙ୍କ ଘରକୁ ଯାଇ ସିନକୁ ପୁଣିଥରେ ରିକ୍ରିଏଟ୍ କରିଥିଲା। ଏପରିକି ଏମ୍ସକୁ ଫରେନ୍ସିକ୍ ରିପୋର୍ଟ ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ।
ଏହାରି ଭିତରେ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି ତା’ର ତଦନ୍ତ ବେଳେ ଜବତ କରିଥିବା ମୋବାଇଲ୍ ଫୋନ୍ ଡାଟାରେ ଡ୍ରଗ୍ସର ଉଲ୍ଲେଖ ହୋଇଥିବା ଜାଣିବାକୁ ପାଇଲା। ଇଡି ଏକ ଚିଠି ଆଧାରରେ ଏନସିବିକୁ ତଦନ୍ତ ପାଇଁ ସାମିଲ୍ କରାଯାଇଥିଲା। ଏନସିବି ଡ୍ରଗ୍ସ ମାମଲାରେ ରିୟାଙ୍କ ସମେତ ଆଉ କିଛି ଲୋକଙ୍କୁ ଗିରଫ କରିଥିଲା। ୧୦ ମାସର ତଦନ୍ତ ପରେ ଏନିସିବିର ଜୋନାଲ୍ ଡାଇରେକ୍ଟର ସମୀର ୱାଙ୍ଖଡେ କହିଲେ ଯେ ଆମେ ଏପର୍ଯ୍ୟନ୍ତ ୩୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୭ କିଲୋ ଡ୍ରଗ୍ସ, ୩୫ ଲକ୍ଷ ଟଙ୍କା ଓ କିଛି ବିଦେଶୀ ମୁଦ୍ର ଜବତ କରିଛୁ। ଏବେବି ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଜାରି ରହିଛି। ସିବିଆଇ ମଧ୍ୟ ସୁଶାନ୍ତଙ୍କ ମାମଲାର ତଦନ୍ତ ଏବେ ବି ଜାରି ରଖିଥିବା କହିଛି।
ଏହାରି ଭିତରେ ବର୍ଷେ ବିତିଯାଇଥିଲେ ହେଁ, ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ବାହାରି ପାରି ନାହିଁ। ଏସବୁ କିଛି ବନ୍ଦ କବାଟ ଭିତରେ ଘଟିଛି। ସୁଶାନ୍ତଙ୍କ ପରିବାର ମଧ୍ୟ ନ୍ୟାୟ ଅପେକ୍ଷାରେ ଅଛନ୍ତି। ଏସବୁ ସତ୍ତ୍ୱେ ଅଭିନେତାଙ୍କର ଏଭଳି ଦୁନିଆକୁ ଅଲବିଦା କହିବା ଦ୍ୱାରା ଗୋଟିଏ ପରିବାର ତା ଘରର ଆଲୋକ, ଭଉଣୀ ତା’ର ଭାଇ, ପିତା ତା’ର ପୁଅ ଏବଂ ଲକ୍ଷାଧିକ ଫ୍ୟାନ୍ ତାଙ୍କର ହିରୋକୁ ହରାଇଛନ୍ତି। ଆଉ ଏହାର ଭରଣ କେବେବି ପୂରଣ କରାଯାଇପାରିବ ନାହିଁ ।
ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କୁ ଶେଷଥର ପାଇଁ ୨୦୧୯ରେ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶ୍ରଦ୍ଧା କପୁରଙ୍କ ସହିତ ଅଭିନୟ କରିଥିଲେ। ମୃତ୍ୟୁ ପରେ ତାଙ୍କର ଫିଲ୍ମ ‘ଦିଲ୍ ବେଚାରା’ ରିଲିଜ୍ ହୋଇଥିଲା, ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା।
‘କିସ୍ ଦେଶ୍ ମେଁ ହେ ମେରା ଦିଲ୍’ ହେଉଛି ତାଙ୍କର ପ୍ରଥମ ଟେଲିଭିଜନ ଧାରାବାହିକ। ଏହା ୨୦୦୮-୨୦୦୯ ମଧ୍ୟରେ ଚାଲିଥିଲା। ତେବେ ଟେଲିଭିଜନରେ ସେ ଲୋକପ୍ରିୟ ହୋଇଥିଲେ ‘ପବିତ୍ର ରିସ୍ତା’ ସିରିଏଲ୍ରୁ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘ରାବତ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଆଉ ଏକ ଚର୍ଚ୍ଚିତ ଫିଲ୍ମ ହେଉଛି ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’, ଯାହା କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ହୋଇଥିଲା।
The post ସଫଳତାର ଶୀର୍ଷରେ ଥିଲେ, ତଥାପି କାହିଁକି ବାଛିଲେ ମୃତ୍ୟୁ? appeared first on Odisha Reporter.
from Odisha Reporter https://ift.tt/3pPL0WV
No comments:
Post a Comment