ରାଷ୍ଟ୍ର ନିର୍ମାଣ ପାଇଁ ବ୍ୟବସାୟ ସଂସ୍କୃତିରେ ପରିବର୍ତ୍ତନ ଜରୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

ରାଷ୍ଟ୍ର ନିର୍ମାଣ ପାଇଁ ବ୍ୟବସାୟ ସଂସ୍କୃତିରେ ପରିବର୍ତ୍ତନ ଜରୁରୀ

  • ସୁଧାଂଶୁ ରଞ୍ଜନ ଦାସ

୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇଲା ସତ କିନ୍ତୁ ଦେଶର ବ୍ୟବସାୟ ସଂସ୍କୃତିରେ  କୌଣସି ଗୁଣାତ୍ମକ ପରିବର୍ତ୍ତନ ହେଲାଭଳି ଲାଗେନାହିଁ। ଦେଶର ଏହି ବ୍ୟବସାୟ ସଂସ୍କୃତିର ଅବନତିର ଦୃଷ୍ଟାନ୍ତ କରୋନା ସମୟରେ ଅଧିକ ସ୍ପଷ୍ଟ ହେଲା। ଦେଶର ଲକ୍ଷଲକ୍ଷ ଲୋଖ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ କିଛି ବ୍ୟବସାୟୀ ଅକ୍ସିଜେନ ସିଲିଣ୍ଡରର କଳାବଜାର କଲେ। ରାମଦେଶିବିର ଇଞ୍ଜେକ୍ସନ ଓ ଭେଣ୍ଟିଲେଟର ଇତ୍ୟାଦି ଦଶ ପନ୍ଦର ଗୁଣା ଅଧିକ ଦାମରେ କଳାବଜାରରେ ବିକ୍ରି ହେବା ମୃତ୍ୟୁର ବିଭିଷୀକାକୁ ଅଧିକ ଭୟାନକ କରିଦଇଥିଲା। ଅନେକ ଜାଗାରେ ଆମ୍ବୁଲାନ୍ସରେ ରୋଗୀକୁ ପାଞ୍ଚ କିଲୋମିଟର ନେବାପାଇଁ ଲୋକଙ୍କୁ ୩୦୦୦୦ ଟଙ୍କା ଦେବାକୁ ପଡିଲା। ହସ୍ପିଟାଲ ବେଡ଼ର ଘୋର ଅଭାବ, ରୋଗୀ ମରିଗଲା ପରେ ରୋଗୀର ଅଭିଭାବକମାନଙ୍କୁ ନପଚାରି ମୃତ ଶରୀରକୁ ଦାହ କରିଦେବା, ପୋତିଦେବା କିମ୍ବା ଗଙ୍ଗା ନଦୀରେ ପକାଇଦେବା ଓ ଶେଷକୁ ଦାହକାର୍ଯ୍ୟ କଲାବେଳକୁ ଶବ ପିଛା ୩୦,୦୦୦ ରୁ ୫୦,୦୦୦ ଟଙ୍କା ଯାଏ ଆଦାୟ କରିବା ଇତ୍ୟାଦି ଭାରତୀୟ ଉନ୍ନତ ସାଂସ୍କୃତିକ ପରମ୍ପରାର ଏକ ଅବକ୍ଷୟ ବ୍ୟତିତ ଅନ୍ୟ କିଛି ନୁହେଁ। ଜୀବନ ବଞ୍ଚାଇବା ପରିବର୍ତ୍ତେ ଲୋକଙ୍କ ଅସହାୟ ଅବସ୍ଥାରୁ ବ୍ୟବସାୟିକ ଫାଇଦା ଉଠାଇବା ଏକ କ୍ରୁର ମାନସିକତାର ପରିଚୟ ଦେଇଥାଏ।

ଯେତେବେଳେ କରୋନା ମହାମାରୀ ମୃତ୍ୟର ତାଣ୍ଡବଲୀଳା କରୁଥିଲା ସେତେବେଳେ ସବୁ ରାଜନୈତିକ ଦଳର ନେତାମାନେ ଆସାମ, ପଶ୍ଚିମ ବଙ୍ଗ, କେରଳ, ତାମିଲନାଡୁ ଓ ପଣ୍ଡିଚେରୀରେ ନିର୍ବାଚନ ରାଲି କରି ସାଧାରଣ ଲୋକଙ୍କ ଜୀବନ ପ୍ରତି ରହିଥିବା ସେମାନଙ୍କ ଉଦାସୀନତାର ପ୍ରମାଣ ଦେଇଥିଲେ। ଯଦି ନେତା ଲୋଭ ବିକାରର ବଶବର୍ତ୍ତୀ ହୋଇ ଧର୍ମ, ଜାତି ଓ ଭାଷାକୁ ନେଇ ସଂକୀର୍ଣ୍ଣ ରାଜନୀତିରେ ଲିପ୍ତ ରହି ଭୋଟ ବ୍ୟାଙ୍କ ତିଆରି କରେ ତେବେ ସେ ସମାଜକୁ କଳୁଷିତ କରିଥାଏ। ଦେଶରେ ଲୋକ ସଚେତନତାର ଅଭାବ, ନିରକ୍ଷରତା, ଗରିବୀ, ଜାତୀୟତା ଭାବର ଅଭାବ ଓ ସମାଜ ସଂସ୍କାରକମାନଙ୍କର ଅଭାବ ଯୋଗୁଁ  ଭାରତୀୟ ରାଜନୀତି ଅତି ନୀଚ ସ୍ତରକୁ ଯାଇଥିବାର ଲକ୍ଷ୍ୟ କରାଯାଏ। ଗରିବ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଲୋକଙ୍କୁ ନେଇ ନେତାମାନେ ଛୋଟ ଭୋଟ ପକେଟ ତିଆରି କରିଥାନ୍ତି।  ନିର୍ବାଚନ ବେଳେ ଏହି ଭୋଟ ପକେଟରେ ମଦ, ମାଂସ ଓ ନୋଟ ବିଡ଼ା ବଣ୍ଟା ଯାଇ ନିର୍ବାଚନ ଜିତିବା ପାଇଁ ପ୍ରୟାସ କରାଯାଇଥାଏ। ମୁସଲମାନ ଓ ହିନ୍ଦୁ ଭୋଟ ପାଇଁ କେଉଁ ନେତା ନଦୀରେ ଡୁବ ମରିଲାଣି ତ, କିଏ ମନ୍ଦିରରେ ଯଜ୍ଞ କଲାଣି, କିଏ ତା’ର ଗୋତ୍ର କହି ବୁଲିଲାଣି ତ  କିଏ ଇଫତାର ପାର୍ଟିରେ ସାମିଲ ହେଲାଣି ତ କିଏ  ଗୋଲ ଟୋପି ପିନ୍ଧି ନମାଜ ପଢ଼ିଲାଣି ଓ କିଏ ଗୁରୁଦ୍ୱାର ଭିତରେ ପଶିଲାଣି। ନେତାଙ୍କର ଏହି ଧର୍ମ ଭାବ ଠିକ ନିର୍ବାଚନ ସମୟରେ ଉଦ୍ରେକ ହୋଇଥାଏ। କର୍କଟ ରୋଗ ଭଳି ମାଡ଼ୁଥିବା ଏହି ଭୋଟ ବ୍ୟାଙ୍କ ରାଜନୀତି ଦେଶକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ପୂର୍ବରୁ ପ୍ରକୃତ ଦେଶପ୍ରେମୀ ନେତା ଓ ଶିକ୍ଷିତ ଯୁବପିଢ଼ି ଦ୍ଵିତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ନିପଥରେ ଯିବା ପାଇଁ ନିଜକୁ ତିଆରି କରିବା ଉଚିତ।

ନିଜକୁ ଦେଶପ୍ରେମୀ କହୁଥିବା ନେତା, ବୁଦ୍ଧିଜୀବୀ, ଯୁବପିଢ଼ି ଓ ରାଜନୈତିକ କର୍ମୀଙ୍କ ପାଇଁ ପ୍ରକୃତ ସମୟ ଆସିଛି ନିଜର ଦେଶପ୍ରେମକୁ  ସିଦ୍ଧ କରିବା ପାଇଁ। ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଭାରତରେ ବିଶ୍ୱର ସବୁଠାରୁ ଅଧିକ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଥାନ୍ତି। ବିଶ୍ୱର ସବୁଠାରୁ ଅଧିକ ଭାରତୀୟ ମହିଳା ରକ୍ତହୀନତାର ଶିକାର ହୋଇଥାନ୍ତି ଓ ବିଶ୍ୱର ସବୁଠାରୁ ବେଶୀ ଦୃଷ୍ଟିହୀନ ଭାରତରେ ଅଛନ୍ତି। ବିଶ୍ୱର ସବୁଠାରୁ ଅଧିକ ଲୋକେ ଭାରତରେ ଅଙ୍ଗ ବିଫଳତାର ଶିକାର ହୋଇଥାନ୍ତି। ଭାରତରେ ବିଶ୍ୱର ସବୁଠାରୁ ବେଶୀ ଅଶିକ୍ଷିତ ଯୁବକ ଅଛନ୍ତି। ଦେଶର ଏହି ବିକଟ ପରିସ୍ଥିତିରେ ମଧ୍ୟ ନେତାମାନେ ନିର୍ବାଚନ ପ୍ରଚାରରେ ପ୍ରବଳ ଅର୍ଥ ବ୍ୟୟ କରିବା ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରିଦେଇଛି। ସେଣ୍ଟର ଅଫ ମିଡ଼ିଆ ଷ୍ଟଡିର ଏକ ରିପୋର୍ଟରେ ଦର୍ଶା ଯାଇଛି ୨୦୧୯ ଲୋକସଭା ନିର୍ବାଚନରେ ରାଜନୈତିକ ଦଳମାନେ  ୮୦୦ କୋଟି ଡଲାର ଖର୍ଚ କରିଥିଲେ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୬୦ ହଜାର କୋଟି ଟଙ୍କା ହେବ। ଏହା ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ଥିଲା। ଭାରତୀୟ ଗଣତନ୍ତ୍ରର ଏହି ଅବକ୍ଷୟକୁ ରୋକିବା ପାଇଁ ପ୍ରତ୍ୟେକ ଶିକ୍ଷିତ ଭାରତୀୟ ସମାଜରେ ଲୋକ ସଚେତନତା ସୃଷ୍ଟି କରିବା ଦରକାର। ଭାରତର ଦ୍ଵିତୀୟ ସ୍ୱାଧୀନତା ସଂଗ୍ରାମ ଲୋକଙ୍କ ସାମାଜିକ, ସାଂସ୍କୃତିକ, ଆର୍ଥିକ ଓ ଆଧ୍ୟାତ୍ମିକ ବିଚାରଧାରାର ବିକାଶ ପାଇଁ ଉଦ୍ଦିଷ୍ଟ ହେବା ଦରକାର।

ଓଡ଼ିଶାର ଦେଶପ୍ରେମୀ ନେତାଗଣ ପ୍ରଥମେ ନିଜ ସାହିବସ୍ତି ଓ ଗାଁ ଗୁଡ଼ିକର ପ୍ରକୃତ ସମସ୍ୟା ଅନୁଧ୍ୟାନ କରିବା ଦରକାର। ନିଜ ନିଜ ଇଲାକାରେ କେତୋଟି ହ୍ରଦ, ପୋଖରୀ ଓ କୂଅ ପୋତି ହୋଇଗଲାଣି ଏହାର ଚିଠା ପ୍ରସ୍ତୁତ କରି ଏହାର ସୁରକ୍ଷା କିଭଳି କରାଯିବ ଏହାର ଯୋଜନା ପ୍ରସ୍ତୁତ କରିବା ଉଚିତ। ଯଦି ଏହି ଦେଶପ୍ରେମୀ ନେତା ଓ କର୍ମୀମାନେ ନିଜ ଇଲାକାରେ ଥିବା ଜଳଧନର ସୁରକ୍ଷା କରିପାରନ୍ତେ ତେବେ ଏହା ଏକ ଉତ୍ତମ ଦେଶ ପ୍ରେମର ଦୃଷ୍ଟାନ୍ତ ହୋଇପାରନ୍ତା। ପ୍ରକୃତ ନେତା ଟିକସଦାତାଙ୍କ ଅର୍ଥକୁ ବ୍ୟୟ ନକରି ଗ୍ରାମବାସୀଙ୍କୁ ଏକଜୁଟ କରି ସେମାନଙ୍କ ସହଯୋଗରେ ଜଳଧନର ବିକାଶ କରିପାରିଲେ ଏହା ଲୋକ ଉପଯୋଗୀ ହୁଅନ୍ତା ଓ ଏହା ଦେଶପ୍ରେମର ଏକ ଜ୍ୱଳନ୍ତ ଉଦାହରଣ ହୋଇ ନୂତନ ଯୁବପିଢିଙ୍କୁ ପ୍ରେରଣା ଦିଅନ୍ତା।

ପ୍ରକୃତ ଦେଶପ୍ରେମୀ ନେତା ଓ ସନ୍ନ୍ୟାସୀ ମଧ୍ୟରେ କୌଣସି ଫରକ ନଥାଏ। ପ୍ରକୃତ ଦେଶପ୍ରେମୀ ନେତା ନିଜର ବିଳାସ ବ୍ୟାସନକୁ ତ୍ୟାଗ କରି ଲୋକଙ୍କ ସଂଗେ କାନ୍ଧକୁ କାନ୍ଧ ମିଳାଇ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଗତିବିଧିର ଵିକାଶ କରିବାରେ ନିଜକୁ ନିୟୋଜିତ କରିଥାଏ। ନେତା ଯଦି ନିଜେ ଏସି କାର କିମ୍ବା ହେଲିକପ୍ଟରରେ ଚଢି ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରେ ଏହା ଲୋକଙ୍କ ସମସ୍ୟାକୁ  ବିଦ୍ରୁପ କଲାଭଳି ଲାଗେ। ପାଦରେ ଚାଲି ଚାଲି ଲୋକଙ୍କ ଘରକୁ ଯାଇ ଓ ସେମାନଙ୍କ ସାଙ୍ଗରେ ଦିନ ରାତି ବିତାଇ ଲୋକଙ୍କ ପ୍ରକୃତ ସମସ୍ୟାକୁ ହୃଦୟଙ୍ଗମ କରି ବିକାଶ ଯୋଜନାର ରୂପରେଖ ତିଆରି କଲେ ଏହା ଫଳପ୍ରଦ ହୋଇଥାଏ।

ରାଜନୀତି ନେତାଙ୍କୁ ଲୋକ ସେବା କରିବା ପାଇଁ ଏକ ସୁଯୋଗ ଦେଇଥାଏ। ନେତା ଏହାର ଅପବ୍ୟବହାର କଲେ ଲୋକଙ୍କର ଅଭିଶାପ ପ୍ରାପ୍ତ କରିଥାଏ। ଲୋକ ସେବା କରିବାର ଏହି ସୁଯୋଗକୁ  ଅପବ୍ୟବହାର କରି ଆଜି ଭାରତର ଅନେକ ନେତା ନିଜର ରାଜନୈତିକ ଜୀବନକୁ କବର ଦେଉଛନ୍ତି। ନେତା ଯେତେ ଚତୁର ହେଲେ ମଧ୍ୟ ସେ ବେଶିଦିନ ଲୋକଙ୍କୁ ପ୍ରତାରିତ କରିପାରେ ନାହିଁ। ପ୍ରକୃତ ଦେଶପ୍ରେମୀ ସଚ୍ଚରିତ୍ର ଓ ସାତ୍ତ୍ଵିକ ବିଚାରର ନେତା ରାଜନୈତିକ ଜୀବନକୁ ଏକ ଅଗ୍ନିପଥରେ ପରିଣତ କରିଥାଏ।

ଭୋପାଳରେ ରାଜତ୍ୱ କରିଥିବା କ୍ୱିଦିଶା ବେଗମ ନିଜେ ସୁତାକାଟି ସେ ପଇସାରେ ନିଜର ଖର୍ଚ କରୁଥିଲେ ଓ ରାଜସ୍ୱରୁ ଗୋଟିଏ ପଇସା ବି ସେ ନିଜପାଇଁ ଖର୍ଚ୍ଚ କରୁନଥିଲେ। କ୍ୱିଦିଶା ବେଗମ ଭୋପାଳରେ ଅନେକ ସଂସ୍କାରମୂଳକ କାମ କରୁଥିଲେ ଓ ସେ ମହିଳାମାନଙ୍କ ବିକାଶ ପାଇଁ ଅନେକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ।

ଓଡ଼ିଶାର ଦେଶପ୍ରେମୀ ନେତାମାନେ ଏକାଠି ହୋଇ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଥିବା ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକର ଗୁଣାତ୍ମକ ମାନରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବା ଉଚିତ। ଗାଁରେ ରହୁଥିବା ଯେକୌଣସି ପିଲା ଯେପରି ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ପାଇପାରିବ ସେଥିପାଇଁ ନିରନ୍ତର ଚେଷ୍ଟା କରିବା ଉଚିତ। କରୋନା ମହାମାରୀ ସମୟରେ ଓଡ଼ିଶାର ଫସଲ ବିବିଧତା ଓଡ଼ିଶାର ରୋଜଗାରର ସମ୍ଭାବନା ସୃଷ୍ଟି କରିବ। ଓଡ଼ିଶାରେ ହେଉଥିବା ଛୁଇଁ, କଖାରୁ, ଦେଶୀ ପୋଟଳ, ଛତୁ, ପଣସ, ବାସୁମତି ଚାଉଳ, ଛୋଟ କାଜୁ, ଚମ୍ପା ଓ ପାଟକପୁରା କଦଳୀ, ଜାମୁକୋଳି, କରମଙ୍ଗା ଓ ଦେଶୀ ଆଳୁ ଇତ୍ୟାଦି ବାହାର ରାଜ୍ୟରେ ବହୁ ଅଧିକ ଦାମରେ ବିକ୍ରି ହୋଇଥାଏ। ଓଡ଼ିଶାରୁ ସବୁ ମେଟ୍ରୋ ନଗର ଯଥା ମୁମ୍ବାଇ, ପୁନେ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ ଓ ହାଇଦ୍ରାବାଦ ପାଇଁ ଯଦି ଦ୍ରୁତଗାମୀ ରେଳର ସୁବିଧା ହୋଇପାରନ୍ତା ତେବେ ଓଡ଼ିଶାର ଅନେକ ଚାଷୀ ହଜାର ହଜାର ଟନ କୃଷିଜାତ ପଦାର୍ଥ ଏହି ମେଟ୍ରୋ ନଗରଗୁଡ଼ିକୁ ପଠାଇ ପାରନ୍ତେ। ଓଡ଼ିଶାର ପ୍ରତ୍ୟେକ ଜିଲାରେ କିଛି ନା କିଛି ବିଶେଷ କୃଷିଜାତ ଦ୍ରବ୍ୟ ଦେଖିବାକୁ ମିଳେ ଓ ଏଗୁଡ଼ିକ ଯଦି କାର୍ଗୋ ପ୍ଲେନ କିମ୍ବା ରେଳ ୱାଗନ ଦ୍ୱାରା ବାହାର ରାଜ୍ୟକୁ ପଠାଯାଇପାରନ୍ତା ତେବେ ଓଡ଼ିଶାରେ ରୋଜଗାରର ସମ୍ଭାବନା ଓ ସୁଯୋଗ ବୃଦ୍ଧି ପାଆନ୍ତା।

ପ୍ରକୃତ ଦେଶପ୍ରେମୀ ନେତା ଓଡ଼ିଶାର କଳା ସଂସ୍କୃତିକୁ ରକ୍ଷା କରିବା ପାଇଁ ଆଗେଇ ଆସିବା ଦରକାର। ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକର ମଙ୍ଗଳାବାଗରେ ଶିଙ୍ଘ କାରିଗରମାନେ ଅତି ଉଚ୍ଚ କୋଟିର ଶିଙ୍ଘ କାମ ତିଆରି କରୁଥିଲେ। ଆଜି ଶିଙ୍ଘ କାମ ପ୍ରାୟ ଲୋପ ପାଇଗଲାଣି। ବାହାର ରାଜ୍ୟର ଶିଙ୍ଘ କାମ କଟକରେ ବିକ୍ରି ହେଲାଣି। କଟକର ଶିଙ୍ଘ କାମ, ତାରକସି କାମ ଓ ମୃତ୍ତିକା ଶିଳ୍ପର ବିକାଶ ପାଇଁ  କଟକର ଦେଶପ୍ରେମୀ ନେତା ନିରନ୍ତର ପ୍ରୟାସ କରିବା ଉଚିତ। ଶିଳ୍ପୀମାନଙ୍କ ପାଖକୁ ଯାଇ ସେମାନଙ୍କର ମୌଳିକ ସମସ୍ୟାକୁ ବୁଝି ଏହାର ନିରାକରଣ କରିପାରିଲେ ଏହା ଦେଶପ୍ରେମର ଏକ ଦୃଷ୍ଟାନ୍ତ ହୋଇପାରିବ। ମିଡ଼ିଆ ମଧ୍ୟ ନିଜ ନିଜ ଇଲାକାର ସ୍ୱାସ୍ଥ୍ୟ କେନ୍ଦ୍ର, ଶିକ୍ଷା ଅନୁଷ୍ଠାନ, ସାଂସ୍କୃତିକ କେନ୍ଦ୍ର, ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଉପରେ ରିପୋର୍ଟ ପ୍ରସ୍ତୁତ କଲାବେଳେ ସମସ୍ୟାର ସମାଧାନର ବାଟ ଦେଖାଇବା ଦରକାର। ରିପୋର୍ଟରେ ସମସ୍ୟାକୁ ଦେଖାଇବା ସଂଗେ ସଂଗେ ସମସ୍ୟାର ମୂଳକାରଣକୁ ଲୋକଲୋଚନକୁ ଆଣିବା ଦରକାର। ପ୍ରଶାସନ, ପୋଲିସ ଓ ଦେଶପ୍ରେମୀ ନେତା ଧର୍ମସ୍ଥଳୀଗୁଡ଼ିକରେ ଧର୍ମଗୁରୁମାନେ ଯେଭଳି ଅନ୍ୟ ଧର୍ମର ଲୋକଙ୍କ ପ୍ରତିହିଂସା ଭାବ ସୃଷ୍ଟି ନକରନ୍ତି ଏଥିପାଇଁ ଦୃଢ଼ ପଦକ୍ଷେପ ନେବା ଉଚିତ। କୌଣସି ଧର୍ମ ଯେଭଳି ଦେଶ ଓ ରାଜ୍ୟକୁ ଅସୁରକ୍ଷିତ ନକରେ ସେଥିପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ।

ଓଡ଼ିଶାର ଜଙ୍ଗଲ, ପାହାଡ଼ ଓ ହ୍ରଦଗୁଡ଼ିକର ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିଲେ ଏହା ଓଡ଼ିଶାରେ ପର୍ଯ୍ୟଟନର ବିକାଶରେ ସାହାଯ୍ୟ କରିବ। ପର୍ଯ୍ୟଟନର ବିକାଶ ପାଇଁ ପ୍ରଥମେ ଦରକାର ଏକ ମନୋରମ ପ୍ରାକୃତିକ ପରିବେଶ। ଦୂର ଦେଶରୁ ପର୍ଯ୍ୟଟକ ଓଡ଼ିଶାକୁ କଂକ୍ରିଟ ଜଙ୍ଗଲ ଦେଖିବାକୁ ଆସିନଥାନ୍ତି। ଦୁଃଖର କଥା ଏତେ ପ୍ରାକୃତିକ ସୌନ୍ଦର୍ଯ୍ୟ ଥାଇ ମଧ୍ୟ ଓଡ଼ିଶା ବିଦେଶୀ ପର୍ଯ୍ୟଟକଙ୍କୁ ସେତେ ଅଧିକ ଆକୃଷ୍ଟ କରିପାରୁନାହିଁ। ରାଜ୍ୟର ପ୍ରକୃତ ଦେଶଭକ୍ତ ନେତା ଓ ଶିକ୍ଷିତ ଯୁବପିଢ଼ି ଯଦି ରାଜ୍ୟର  ଜଙ୍ଗଲ ଓ ଜଙ୍ଗଲରୁ ମିଳୁଥିବା ଶହେରୁ ଅଧିକ ଜଙ୍ଗଲ ଜାତ ଦ୍ରବ୍ୟ, ଆଦିବାସୀମାନଙ୍କର ଶିଳ୍ପକଳାକୁ ସୁରକ୍ଷିତ କରିବା ସଂଗେ ସଂଗେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ ନକରି ପର୍ଯ୍ୟଟନର ବିକାଶ କରିପାରନ୍ତେ ଏହା ରାଜ୍ୟ ଉପଯୋଗୀ ହୁଅନ୍ତା। ଓଡ଼ିଶାର ସାମୂହିକ ବିକାଶ ପାଇଁ ଅନେକ ସମ୍ଭାବନା ଥାଇ ମଧ୍ୟ ଏହା ଭାରତର ଏକ ପଛୁଆ ରାଜ୍ୟ ଭାବରେ ଗଣା ହେଉଛି। ରାଜ୍ୟର ସାମାଜିକ, ସାଂସ୍କୃତିକ, ଆର୍ଥିକ ଓ ଆଧ୍ୟାତ୍ମିକ ଗତିବିଧିକୁ ଆଖିଆଗରେ ରଖି ଏକ ସୁପରିକଳ୍ପିତ ରାଜ୍ୟ ଉପଯୋଗୀ ବିକାଶ ମଡେଲର ନିର୍ମାଣ କରିବାର ସମୟ ଆସିଛି।

The post ରାଷ୍ଟ୍ର ନିର୍ମାଣ ପାଇଁ ବ୍ୟବସାୟ ସଂସ୍କୃତିରେ ପରିବର୍ତ୍ତନ ଜରୁରୀ appeared first on Odisha Reporter.



from Odisha Reporter https://ift.tt/3vB77T8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages