ନୂଆଦିଲ୍ଲୀ: ‘କରୋନା ବିରୋଧରେ ଲଢ଼େଇ ପାଇଁ ବାହୁବଳୀ ହେବା ଜରୁରୀ। ତେଣୁ ଟିକା ନିଅନ୍ତୁ ବାହୁବଳୀ ହୁଅନ୍ତୁ ।’ କରୋନା କଟକଣା ମଧ୍ୟରେ ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ତା’ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରି ଦେଇଛନ୍ତି ଏହି ବାର୍ତ୍ତା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦେଶବାସୀଙ୍କୁ କରୋନା ଟିକା ନେବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଯଦି ଆପଣମାନେ ବାହୁରେ ଟିକା ନେବେ, ତା’ହେଲେ ବାହୁବଳୀ ହୋଇଯିବେ। କରୋନା ବିରୋଧରେ ଲଢ଼ିବା ପାଇଁ ବାହୁବଳୀ ହେବା ଜରୁରୀ। ବର୍ତ୍ତମାନ ସୁଦ୍ଧା ଦେଶରେ ୪୦ କୋଟିରୁ ଅଧିକ ଲୋକ ବାହୁବଳୀ ହୋଇସାରିଲେଣି। ଆଗକୁ ଆହୁରି କ୍ଷୀପ୍ରଗତିରେ ଟିକାକରଣ କାମ ହେବ ବୋଲି ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ଆଶା କରୁଛି ଯେ, ଆପଣମାନେ ସମସ୍ତେ ଅତି କମ୍ରେ ଟିକାର ଗୋଟିଏ ଡୋଜ୍ ନେଇସାରିଥିବେ। ଗୃହର ସମସ୍ତ ସଦସ୍ୟ ଏବଂ ମୋର ସାଥୀଙ୍କୁ ମୁଁ ପ୍ରାର୍ଥନା କରୁଛି ଯେ, ସମସ୍ତେ କରୋନା କଟକଣା ମାନି ଚଳିବା ଉଚିତ୍।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗୃହର ସମସ୍ତ ସଦସ୍ୟଙ୍କର ପ୍ରଶ୍ନ ପଚାରିବାର ଅଧିକାର ରହିଛି। ସେମାନେ ନିଶ୍ଚିତ ଭାବେ ସରକାରଙ୍କୁ କଠିନରୁ ଅତି କଠିନ ପ୍ରଶ୍ନ ପଚାରନ୍ତୁ। କିନ୍ତୁ ତା’ ସହିତ ଉତ୍ତର ପାଇବା ପାଇଁ ସରକାରଙ୍କୁ ସମୟ ମଧ୍ୟ ଦିଅନ୍ତୁ। ଆଉ ଏହି ପ୍ରକ୍ରିୟା ଅନୁଶାସିତ ଓ ଶୃଙ୍ଖଳିତ ଉପାୟରେ ସଂପନ୍ନ ହେବା ଉଚିତ୍।
ସୂଚନାଯୋଗ୍ୟ, ଗ୍ୟାସ ଓ ତୈଳ ଦର ସହିତ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ତଥା ଆହୁରି ଅନେକ ପ୍ରସଙ୍ଗରେ ବିରୋଧୀ ଦଳ ଗୁଡ଼ିକ ଏଥର ସରକାରଙ୍କୁ ଘେରିବାର ସମ୍ଭାବନା ରହିଥିବା ବେଳେ ତା’ପୂର୍ବରୁ ପ୍ରଧାନମନ୍ତ୍ରୀ ଏଭଳି ଅନୁରୋଧ କରିଛନ୍ତି।
The post ‘ଟିକା ନିଅନ୍ତୁ, ବାହୁବଳୀ ହୁଅନ୍ତୁ’ appeared first on Odisha Reporter.
from Odisha Reporter https://ift.tt/36LJjBi
No comments:
Post a Comment