ମାନବବିଜ୍ଞାନ ଜଗତର ବିବାଦୀୟ ଅଧ୍ୟାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

ମାନବବିଜ୍ଞାନ ଜଗତର ବିବାଦୀୟ ଅଧ୍ୟାୟ

  • ଦେବ ରଞ୍ଜନ

ଏହା କମ ଲଜ୍ଜାର ବିଷୟ ନୁହେଁ ଉଭୟ ରାଜ୍ୟ ଲାଗି ଓ ‘କିସ’ (କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସେସ୍‌) ସଂସ୍ଥା ଲାଗି! ବିଶ୍ଵ ମାନବବିଜ୍ଞାନ କଂଗ୍ରେସ (ୱାର୍ଲଡ୍‌ ଆନ୍ଥ୍ରୋପୋଲୋଜି କଂଗ୍ରେସ) ବିଶ୍ଵର ସମସ୍ତ ମାନବବିଜ୍ଞାନୀଙ୍କ ମଧ୍ୟରେ ସମ୍ଭାବ୍ୟ ବିଭାଜନକୁ ରୋକିବା ଲାଗି ଯେଉଁ ଚିଠି ଲେଖିଛି ତାହା ଗଣମାଧ୍ୟମରେ ଏବେଯାଏଁ ପ୍ରକାଶ ପାଇନାହିଁ। ଜୁଲାଇ ୧, ୨୦୨୧ରେ ଲିଖିତ ଚିଠିରେ ବିଶ୍ଵର ସମସ୍ତ ମାନବବିଜ୍ଞାନୀଙ୍କୁ ‘କିସ’ ନିଜର ଦୁଇଟି ୱେବସାଇଟ ମାଧ୍ୟମରେ ‘ଭୁଲ ତଥ୍ୟ’ ଦେଉଥିବା ସୂଚନା ସହିତ ସେଥିରୁ ଦୂରରେ ରହିବାକୁ ଅନୁରୋଧ କରାଯାଇଛି।

କିନ୍ତୁ ଏହି ବିଭାଜନ କାହିଁକି ‘କିସ’ କରୁଥିଲା ଓ ଏଥିରେ ଓଡ଼ିଶା ସରକାରଙ୍କର କ’ଣ ଭୂମିକା ରହିଛି?

ବିଶ୍ଵ ମାନବବିଜ୍ଞାନ କଂଗ୍ରେସ ଦ୍ଵାରା ଏହା ନିଷ୍ପତ୍ତି ହୋଇଥିଲା ଯେ ୨୦୨୩ ମସିହାରେ ହେବାକୁ ଥିବା ଅଧିବେଶନ ଏଥର ଭାରତରେ ‘କିସ’, ଭାରତୀୟ ମାନବବିଜ୍ଞାନୀ ଆସୋସିଏସନ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ହେବ। ଏହା ଭୁବନେଶ୍ୱରଠାରେ ‘କିସ’ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥାନ୍ତା। ଏହା ଶୁଣିବା ପରେ ଦେଶର ଅନେକ ବୁଦ୍ଧିଜୀବୀ, ମାନବିକ ଅଧିକାର କର୍ମୀ, ଲେଖକ ଇତ୍ୟାଦି ‘କିସ’ର ‘ଫ୍ୟାକ୍ଟରୀ ସ୍କୁଲ’ ସମ୍ପର୍କରେ ବିଶ୍ଵ ମାନବବିଜ୍ଞାନ କଂଗ୍ରେସକୁ ଅବଗତ କରାଇଥିଲେ।

କଂଗ୍ରେସକୁ ଲେଖିଥିବା ଦାବିପତ୍ରରେ ମୋ ଭଳି ଅନେକ ସାଥି ମଧ୍ୟ ଥିଲେ। ଆମେ ମିଳିତ ଭାବରେ ‘କିସ’ର ଶିକ୍ଷା ବ୍ୟବସ୍ଥା ଆଦିବାସୀ ସଂସ୍କୃତିର ସୁରକ୍ଷା ବଦଳରେ କେବଳ ଫ୍ୟାକ୍ଟରୀରେ ଶ୍ରମିକ ନିଯୁକ୍ତି ଲାଗି ଯେ ଉଦ୍ଦିଷ୍ଟ ତାହା ଦର୍ଶାଇଥିଲୁ। ‘କିସ’ ନିଜର ଆଦିବାସୀ ସ୍କୁଲ ପରିଚାଳନା ଲାଗି ବିଭିନ୍ନ ଖଣି କମ୍ପାନୀଙ୍କ ସହିତ ଅନୁବନ୍ଧିତ ହେବା ଯେଉଁଠି କି ସେହି ଖଣି କମ୍ପାନୀମାନେ ହିଁ ଆଜି ଆଦିବାସୀ ଜନଜୀବନକୁ ଧ୍ଵଂସ କରି ରଖିଦେଇଛନ୍ତି ତାହା ଉଲ୍ଲେଖ କରିଥିଲୁ। (ଏହି ଅନୁଷ୍ଠାନ କିନ୍ତୁ ଖଣି କମ୍ପାନୀଙ୍କ ସହଯୋଗ ନେଉଥିବା କଥା କଂଗ୍ରେସରେ ଅସ୍ଵୀକାର କରିଥିଲା।)

ଅବଶ୍ୟ ଆଜି ସମସ୍ତ ଶିକ୍ଷା ବ୍ୟବସ୍ଥା ସେହି ଦିଗରେ ଯାଉଛି। ଏହା ଯଦି ସତ୍ୟ ତେବେ ‘କିସ’କୁ ସେଥିଲାଗି ନିଜର ପ୍ରଚାର ଲାଗି କୌଣସି ସୁଯୋଗ ଦେବା ଉଚିତ ନୁହେଁ।

ବିଶ୍ଵ ମାନବବିଜ୍ଞାନ କଂଗ୍ରେସ ଏହା ପରେ ନିଜର ନିଷ୍ପତ୍ତି ବଦଳାଇ ଏହି ଅଧିବେଶନ ଭାରତରେ ହେବ କିନ୍ତୁ ଦିଲ୍ଲୀରେ କରାଯିବାକୁ ଓ ଅନ୍ୟ ତିନି ଜଣ ଆୟୋଜକଙ୍କୁ ଏଦିଗରେ ସହଯୋଗ ଲାଗି ଅନୁରୋଧ କରିଥିଲା। ଏହି ସମସ୍ତ ପ୍ରକ୍ରିୟାରେ ‘କିସ’କୁ ବାଦ ଦିଆଯାଇଥିଲା। ଏ ସମ୍ପର୍କରେ ଏକ ଲେଖା ଗଲା ସଂଖ୍ୟା ‘ଗଣଭିତ୍ତି’ରେ ରାଜରାମ ଲେଖି ସମସ୍ତ କଥାକୁ ବର୍ଣ୍ଣନା କରିଥିଲେ। (https://ift.tt/3j6M6um)

ବିଶ୍ଵ ମାନବବିଜ୍ଞାନ କଂଗ୍ରେସ ନୂଆ ନିଷ୍ପତ୍ତିକୁ କିନ୍ତୁ ‘କିସ’ ସହଜରେ ଗ୍ରହଣ କଲାନାହିଁ। ନିଜର ଦୁଇଟି ଅଲଗା ୱେବସାଇଟ ଖୋଲିବା ସହିତ ଏକ ସମାନ୍ତରାଳ ବିଶ୍ଵ ଅଧିବେଶନର ଆୟୋଜନ ଲାଗି ଚେଷ୍ଟା କଲା। ଉକ୍ତ ୱେବସାଇଟରେ ଉଲ୍ଲେଖ ରହିଛି ଯେ ‘କିସ’ର ଏହି ଉଦ୍ୟମ ପଛରେ ଓଡ଼ିଶା ସରକାର, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମଧ୍ୟ ଅଛନ୍ତି।

ଭାରତର ଅନେକ ବିଶ୍ୱବିଦ୍ୟାଳୟରେ ଥିବା ମାନବବିଜ୍ଞାନ ବିଭାଗକୁ ଏଥିଲାଗି ଚିଠି ଲେଖି ଏହି ବିଭାଜନ ପ୍ରକ୍ରିୟାରେ ସାମିଲ ହେବାରେ ପ୍ରବର୍ତ୍ତାଇବା ପଛରେ କେବଳ ଅହଂକାର, ବ୍ୟକ୍ତିସ୍ଵାର୍ଥ, ବ୍ୟତୀତ ଆଉ କ’ଣ ନିହିତ ରହିଛି?

‘କିସ’ର ଏହି ଉଦ୍ୟମ ପଛରେ ଓଡ଼ିଶା ସରକାର ମଧ୍ୟ ଅନ୍ୟତମ ଆୟୋଜକ ଅଛନ୍ତି। ରାଜ୍ୟ ସରକାର କୌଣସି କର୍ପୋରେଟର ପ୍ରଭାବରେ ଆସି ବିଶ୍ୱରେ ବଦନାମ ହେବା ଅବଶ୍ୟ ନୂଆ ନୁହେଁ। ଏଭଳି ଲଜ୍ଜିତ ହେବା ବୋଧେ ବେଦାନ୍ତ କମ୍ପାନୀକୁ ସମର୍ଥନ କରିବା ଯଦି ପ୍ରଥମ ଘଟଣା ହେବ ତେବେ ଏହା ଦ୍ଵିତୀୟ।

ବିଶ୍ଵ ମାନବବିଜ୍ଞାନ କଂଗ୍ରେସ (ୱାର୍ଲଡ୍‌ ଆନ୍ଥ୍ରୋପୋଲୋଜି କଂଗ୍ରେସ) ପକ୍ଷରୁ ବିଶ୍ଵର ସମସ୍ତ ମାନବବିଜ୍ଞାନୀଙ୍କ ମଧ୍ୟରେ ସମ୍ଭାବ୍ୟ ବିଭାଜନକୁ ରୋକିବା ଲାଗି ଲେଖାଯାଇଥିବା ଚିଠି।

‘କିସ’ର ବର୍ତ୍ତମାନ କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସମସ୍ତେ ମାନବବିଜ୍ଞାନ ବିଭାଗର ବିଶେଷଜ୍ଞ। ‘କିସ’ ଭଳି ଏକ କର୍ପୋରେଟର ସମ୍ମାନ ଲାଗି ବିଶ୍ଵ ମାନବବିଜ୍ଞାନ କଂଗ୍ରେସର ବିଭାଜନ କଦାପି ସଠିକ ପଦକ୍ଷେପ ନୁହେଁ। ଗଲା କାଲି ପର୍ଯ୍ୟନ୍ତ ଯେଉଁ ବିଶ୍ଵ କଂଗ୍ରେସ ନିଜର ଥିଲା ସେହି କଂଗ୍ରେସ ନିଜର ନିଷ୍ପତ୍ତି ବଦଳାଇବା ପରେ ଶତ୍ରୁ ପାଲଟିଯିବାକୁ ଗୋଟେ ସଭ୍ୟ ସମାଜରେ କ’ଣ କୁହାଯାଇପାରେ?

ଆଜିର ମହାମାରୀ ସମଗ୍ର ବିଶ୍ଵକୁ ନିଜର ସଂକ୍ରମଣ ଚରିତ୍ର ଦ୍ଵାରା ଗୋଟିଏ କରିଦେଲା। ଅଥଚ ଆଜି ଆମ ମାନବ ଚରିତ୍ର ଏହାକୁ ଏକ ରାଜ୍ୟ, ପଡୋଶୀ ରାଜ୍ୟକୁ ଆକ୍ଷେପ, ପଡ଼ୋଶୀ ଦେଶକୁ ଅସହଯୋଗ ଇତ୍ୟାଦି ଫଳରେ ମହାମାରୀ ଏକ ଭଲ ବଜାରରେ ପରିଣତ ହେଲା କିନ୍ତୁ ଏହାକୁ ଦମନ କରିବାରେ ବିଶ୍ଵ ଏକାଠି ହୋଇପାରିଲା ନାହିଁ। ଭାଇରସ ଏକାଠି ହେଲା ଅଥଚ ସଭ୍ୟ ମଣିଷ ଏକାଠି ହୋଇନପାରିବା ପଛରେ କାରଣକୁ ଖୋଜିବା ଭାରତର ମାନବବିଜ୍ଞାନୀଙ୍କ ଦାୟିତ୍ଵ ହେବା କଥା ନୁହେଁ କି? ଏଥିଲାଗି ବିଭାଜନ ଆବଶ୍ୟକ ନା ସମସ୍ତଙ୍କ ମିଳିତ ସହଯୋଗ ଆବଶ୍ୟକ?

ଓଡ଼ିଶାର ମାନବବିଜ୍ଞାନୀଙ୍କ ଲାଗି ଅନେକ ବିଷୟ ରହିଛି ଯାହା ସମ୍ପର୍କରେ ଗବେଷଣା ଆବଶ୍ୟକ।

ଓଡ଼ିଶାର ଆଦିବାସୀ ଅଞ୍ଚଳରେ ନିଜସ୍ଵ ଭଗବାନ ଜଣେ ଜଣେ ଦେବୀ କାହିଁକି ହୋଇଛନ୍ତି ଯେମିତି କି ‘ପାଟଖଣ୍ଡା’, ‘ମଝିଘରିଆଣୀ ‘ମାଣିକେଶ୍ୱରୀ’ ଇତ୍ୟାଦି, କାରଣ ଓଡ଼ିଶାର ଆଦିବାସୀ ତ ମାତୃକୈନ୍ଦ୍ରିକ ନୁହନ୍ତି? ସେମିତି ଦ୍ଵାଦଶ ଶତାବ୍ଦୀରେ ଗୋଟେ ଜଗନ୍ନାଥ ମନ୍ଦିର ଅଷ୍ଟାଦଶ ଶତାବ୍ଦୀ ବେଳକୁ ସମସ୍ତ ଆଦିବାସୀ ଗଡ଼ଜାତ ଅଞ୍ଚଳରେ ଶହେ ପାଖାପାଖି ଜଗନ୍ନାଥ ମନ୍ଦିର ହୋଇଯିବାର କାରଣ କ’ଣ? ଏହାକୁ କ’ଣ କେଉଁଠି ବି ବିରୋଧ ହୋଇନଥିବା? ଏକ ଆଦିବାସୀ ଅଞ୍ଚଳରେ ଦେବୀ ବି ଅଛନ୍ତି ଓ ଜଗନ୍ନାଥ ବି ଅଛନ୍ତି। ପୁଣି ଆଦିବାସୀଙ୍କ ନିଜସ୍ଵ ବିଶ୍ଵାସ ବି ଅଛି। ଏକା ସାଥିରେ ଏତେ ବିଶ୍ଵାସ କ’ଣ କେବେ ବି ଲଢ଼େଇ ଲାଗିନଥିବେ? ଆମେ କିନ୍ତୁ ଆମର ମାନବବିଜ୍ଞାନୀଙ୍କଠାରୁ ଏ ସମ୍ପର୍କରେ ଏକ ଭଲ ଗବେଷଣାତ୍ମକ ପ୍ରବନ୍ଧଟିଏ ପାଇବା ନାହିଁ।

ରାଜ୍ୟ ସରକାରଙ୍କ ଆଦିବାସୀ ଗବେଷଣା ଅନୁଷ୍ଠାନ ଯେଉଁ ବିଷୟରେ ଗବେଷଣା ଆବଶ୍ୟକ ତାହାକୁ କରେଇନଦେବା ଲାଗି ଠିଆ ହୋଇଛି। ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ମାନବବିଜ୍ଞାନ ବିଭାଗ ସେହି କାମରେ ଲିପ୍ତ ହେଲାଭଳି ମନେହେଉଛି।

ଭୁବନେଶ୍ଵରର ସିଆରପି ଛକ ନିକଟ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଆଦିବାସୀ ଗବେଷଣା ଅନୁଷ୍ଠାନର କ୍ୟାମ୍ପସ ମଧ୍ୟରେ ଆପଣ ମିଞ୍ଜି ମିଞ୍ଜି ଆଲୁଅରେ ଡିଜିଟାଲ କ୍ୟାମେରାରେ ଉତ୍ତୋଳିତ ଆଦିବାସୀ ଜୀବନର ସୁନ୍ଦର ଫୋଟୋ ଓ ଭିଡିଓ ଦେଖିବେ। ଏହା ମଧ୍ୟ ଗବେଷଣା। ଲାଗିବ ଯେମିତି ଓଡ଼ିଶାର ଆଦିବାସୀ ନିଜର ଶୋଷଣ ଓ ଦାରିଦ୍ର୍ୟ ମଧ୍ୟରେ କେତେ ଖୁସି! କିନ୍ତୁ ସତ ହେଲା ଯେ ବିଦେଶୀ ଟୁରିଷ୍ଟଙ୍କ ଲାଗି ଅନୁଷ୍ଠାନ ଏକ ଟ୍ରାଭେଲ ଏଜେଣ୍ଟର କାମ କରୁଛି।

ଆପଣ ଆଦିବାସୀ ଗବେଷଣା ଅନୁଷ୍ଠାନ ମଧ୍ୟରେ ଡଙ୍ଗରିଆମାନେ ଯଦି ବେଦାନ୍ତ କମ୍ପାନୀକୁ ବିରୋଧ କଲେ ତେବେ ସେ ସନ୍ଦର୍ଭରେ ଏକ ଭଲ ନିବନ୍ଧ ପାଇବେ ନାହିଁ। କାରଣ ସେଥିଲାଗି ଦମନଯୋଡ଼ିକୁ ଯିବାକୁ ହେବ। ହୁଏତ ସୁନ୍ଦରଗଡ଼ର ବଣେଇ, କୋଏଡ଼ାକୁ ଆସିବାକୁ ପଡ଼ିପାରେ। ପଚାଶ ବର୍ଷରେ ଲୁହା ଖଣିର ପ୍ରଭାବ ପାଓଡ଼ି ଭୂୟାଁଙ୍କ ଉପରେ କ’ଣ ପଡ଼ିଛି ତାହା ପ୍ରଶ୍ନରେ ଆସିପାରେ! ନାରାୟଣପାଟଣା ଆଦିବାସୀ ଯଦି ‘ଗୋତି’ ଖଟୁଥିବାର ଅଭିଯୋଗ କରୁଥିଲେ ତେବେ ସତ୍ୟତା ସମ୍ପର୍କରେ କୌଣସି ନିବନ୍ଧଟିଏ ଏଠାରେ ପାଇବେ ନାହିଁ। କାରଣ ଏ ପ୍ରକାରର ନିବନ୍ଧ ନିଶ୍ଚିତ ସରକାରଙ୍କ ବିରୁଦ୍ଧରେ ଯିବ, କମ୍ପାନୀ ବିରୋଧୀଙ୍କୁ ବଳ ମିଳିଯିବ। ତେଣୁ ସେମାନେ ଗବେଷଣାର ବିଷୟ ବଦଳାଇଦେଲେ।

ଆଦିବାସୀ ଗବେଷଣା ଅନୁଷ୍ଠାନ ଆଜି ଫାଇଭ ଷ୍ଟାର ହୋଟେଲର ଲାଉଞ୍ଜରେ ପରିଣତ କରି ରଖିଦିଆଗଲା କେବଳ ପ୍ରକୃତ ଗବେଷଣାର ରାସ୍ତା ବନ୍ଦ କରିବା ଲାଗି।

ଆମର ମାନବବିଜ୍ଞାନୀମାନେ କାହିଁକି କର୍ପୋରେଟ ପ୍ରଭାବରେ ଆଜି ଲାଞ୍ଚୁଆ ହୋଇଯାଉଛନ୍ତି?

ମୋ-୯୪୩୭୭୬୨୨୭୨

The post ମାନବବିଜ୍ଞାନ ଜଗତର ବିବାଦୀୟ ଅଧ୍ୟାୟ appeared first on Odisha Reporter.



from Odisha Reporter https://ift.tt/3iWtI7C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages