ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଦେଶ ପ୍ରସ୍ତୁତ ହେଉଥିବା ବେଳେ ଏବେ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ମୋଟ୍ କରୋନା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ସଂକ୍ରମିତ କେରଳରୁ ରହିଥିଲେ। ଯାହାକି ଉଭୟ ରାଜ୍ୟ ଏବଂ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି।
କେରଳରେ କ୍ରମାଗତ ଦ୍ୱିତୀୟ ଦିନ କରୋନା ସଂକ୍ରମିତ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏ ନେଇ ଏକ ବିବୃତ୍ତି ଜାରି କରି କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ୧,୯୬,୯୦୨ ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୨୨,୦୫୬ଟି ନମୁନା କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି। ଏହାର ପୂର୍ବ ଦିନ ମଙ୍ଗଳବାର ୨୨,୧୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେଣୁ ଦୁଇ ଦିନରେ ସଂକ୍ରମିତ ସଂଖ୍ୟା ଦେଖିଲେ ଏହା ସ୍ପଷ୍ଟ ଯେ ମଙ୍ଗଳବାର ଅପେକ୍ଷା ବୁଧବାର ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟର ମଲ୍ଲପୁରମ, ତ୍ରିଶୁର, କାଝିକୋଡ, ଏର୍ଣ୍ଣାକୁଲମ, ପଲକ୍କଡ, କୋଲ୍ଲମ, ଅଲାପ୍ପୁଝା, କନ୍ନୁର, ଥିରୁଅନନ୍ତପୁରମ ଏବଂ କୋଟ୍ଟାୟମ ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ରହିଛନ୍ତି।
ଏହାରି ଭିତରେ ଏକ ସକାରାତ୍ମକ ଖବର ରହିଛି। ମୋଟ୍ ଟେଷ୍ଟ ସଂଖ୍ୟାରୁ ଚିହ୍ନଟ ହେଉଥିବା ସଂକ୍ରମିତ ସଂଖ୍ୟାରୁ ଜଣାପଡ଼େ ଦୈନିକ କରୋନା ପଜିଟିଭିଟି ରେଟ୍। ମଙ୍ଗଳବାର ଏହି ପଜିଟିଭିଟି ୧୨.୩୫ ପ୍ରତିଶତ ରହିଥିବା ବେଳେ ବୁଧବାର ଏହା ୧୧.୨୦ ପ୍ରତିଶତକୁ ଖସି ଆସିଛି।
ଏହି ଦକ୍ଷିଣ ଭାରତ ରାଜ୍ୟରେ ୧,୪୯,୫୩୪ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ଏହା ବ୍ୟତୀତ ବୁଧବାର ୧୭,୭୬୧ ଜଣ ଆରୋଗ୍ୟ ହେବା ପରେ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୩୧,୬୦,୮୦୪ ରହିଛି। ଗତ ୨୪ ଘଣ୍ଟାରେ କିନ୍ତୁ ୧୩୧ ଜଣ କରୋନାରେ ପ୍ରାଣ ହରାଇଥିଲେ। ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ମୋଟ୍ ମୃତ୍ୟୁ ସଂଖ୍ୟା ୧୬,୪୫୭ରେ ପହଞ୍ଚିଛି।
ଏବେ କେରଳରେ ୧ ଲକ୍ଷ ୪୯, ୫୩୪ ଜଣ ସଂକ୍ରମିତ ରହିଥିବା ବେଳେ ଦେଶରେ ମୋଟ୍ ୩ ଲକ୍ଷ ୯୯ ହଜାର ୪୩୬ ଜଣ କରୋନା ସଂକ୍ରମିତ ରହିଛନ୍ତି।
ସୂଚନାଯୋଗ୍ୟ, କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହର ବେଳେ ଦକ୍ଷିଣ ଭାରତର ଏହି ରାଜ୍ୟରେ ପ୍ରଥମେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଥିଲା। ତେଣୁ ଏବେ ପୁଣି କରୋନା ସଂକ୍ରମିତ ସଂଖ୍ୟା ବଢ଼ିବା ତୃତୀୟ ଲହର ପାଇଁ ଆଗୁଆ ସଙ୍କେତ ବୋଲି କୁହାଯାଉଛି।
The post ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧା କେରଳର appeared first on Odisha Reporter.
from Odisha Reporter https://ift.tt/3iYg583
No comments:
Post a Comment