କଟକ(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିବା ବେଳେ ଏଯାଏ ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ୍। ଏଯାଏ ପୁଲିସ୍ କାହାକୁ ଗିରଫ କରି ନ ଥିବା ବେଳେ ସୌମ୍ୟଙ୍କ ମୃତ୍ୟୁ ତଦନ୍ତ ପ୍ରକ୍ରିୟାକୁ ନେଇ ତାଙ୍କ ପରିବାର ଲୋକ ସନ୍ତୁଷ୍ଟ ନାହାନ୍ତି। ଶେଷରେ ହାଇକୋର୍ଟରେ ପହଞ୍ଚିଲା ଏହି ହାଇ ପ୍ରୋଫାଇଲ୍ ମର୍ଡର କେସ୍।
ସୌମ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଆବେଦନ କରିଛି । କେନ୍ଦ୍ର ଗୃହ ସଚିବ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରି ବିକାଶ ପରିଷଦ ଆବେଦନ କରିଛି । ଏହାସହ ରାଜ୍ୟ ଗୃହ ସଚିବ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଗଜପତି ଜିଲ୍ଲା ଏସ୍ପି ଓ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ଆସିଥିବା ବ୍ୟବଚ୍ଛେଦ ରିପୋର୍ଟରେ ସୌମ୍ୟଙ୍କ ଶରୀର ୯୫% ପୋଡ଼ି ଯାଇଥିବାରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପାକସ୍ଥଳି ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ତେବେ ସୌମ୍ୟଙ୍କ ଶରୀରରେ କେମିତି ଲାଗିଲା ନିଆଁ? ଏହାକୁ ନେଇ ପତ୍ନୀ ବିଦ୍ୟାଭାରତୀ ମୁହଁ ଖୋଲୁନଥିଲେ। ଯାହାକୁ ନେଇ ସୌମ୍ୟଙ୍କ ପରିବାର ବିଦ୍ୟାଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ବୋହୂ ବିଦ୍ୟାଭାରତୀ ସୌମ୍ୟଙ୍କ ଉପରେ ମାନସିକ ଚାପ ପ୍ରୟୋଗ ସହ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ବିଦ୍ୟା ଓ ସଂଗ୍ରାମ ଏହାକୁ ଖଣ୍ଡନ କରିଥିଲେ।
ତେବେ ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ପରେ ପାରଳାଖେମୁଣ୍ଡି ଥାନା ପୁଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ତଦନ୍ତ କରିଥିଲେ। ଡିଏଫ୍ଓ, ବିଦ୍ୟାଭାରତୀ, ରୋଷେୟା, ବଲାଙ୍ଗିର ନେଇଥିବା କାର୍ ଚାଳକଙ୍କୁ ଜେରା କରାଯାଇଥିଲା। ଜେରା ପରେ ସମସ୍ତଙ୍କୁ କ୍ଲିନ୍ଚିଟ୍ ଦିଆଯାଇଥିବା ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଏସ୍ପି।
ଅପରପକ୍ଷେ, ସୌମ୍ୟଙ୍କ ମୃତ୍ୟୁର ତଦନ୍ତକୁ ନେଇ ତାଙ୍କ ପରିବାର ଲୋକ ସନ୍ତୁଷ୍ଟ ନ ଥିବା ବେଳେ ଘଟଣା ସମୟରେ ଉପସ୍ଥିତି ଥିବା ବୋହୂ ବିଦ୍ୟାଭାରତୀଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଥିସହ ନ୍ୟାୟ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ମୃତ ସୌମ୍ୟଙ୍କ ବାପା ଓ ଭାଇ ଚେତାବନୀ ଦେଇଛନ୍ତି।
The post ହାଇକୋର୍ଟରେ ପହଞ୍ଚିଲା ସୌମ୍ୟ ମର୍ଡର କେସ୍ appeared first on Odisha Reporter.
from Odisha Reporter https://ift.tt/3zzCcbo
No comments:
Post a Comment