ଓ୍ୱାଶିଂଟନ: କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଗତବର୍ଷ ଭାରତରେ ପ୍ରଥମେ ଲକଡାଉନ୍ ଲାଗୁ ହୋଇଥିଲା। ଏହାର ପ୍ରଭାବ ମହିଳାଙ୍କ ଉପରେ ପଡ଼ିଛି। ଆମେରିକାର କିଛି ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନରେ କୁହାଯାଇଛି ଲକଡାଉନ୍ ପାଇଁ ମହିଳାଙ୍କ ଶରୀରରେ ପୁଷ୍ଟିର ମାତ୍ରା କମିଯାଇଛି। ଭାରତରେ ଯେଉଁ ସବୁ ସ୍ଥାନକୁ ନେଇ ଏପରି ଅଧ୍ୟୟନ କରାଯାଇଛି ସେଥିମଧ୍ୟରେ ଓଡ଼ିଶାର କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲା ରହିଛି। ଇକୋନୋମିଆ ପଲିଟିକାଲ ଜର୍ଣ୍ଣାଲରେ ଏହି ଅଧ୍ୟୟନ ରିପୋର୍ଟ ପ୍ରକାଶିତ ହୋଇଛି।
ଟାଟା-କର୍ଣ୍ଣେଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫର୍ ଆଗ୍ରିକଲଚର ଏବଂ ନ୍ୟୁଟ୍ରିସନ ସଂସ୍ଥା ଦ୍ୱାରା ଏହି ଅଧ୍ୟୟନ ହୋଇଥିଲା। ଏଥିରେ ଦେଶର ତିନୋଟି ରାଜ୍ୟର ଆର୍ଥିକ ଭାବରେ ପଛୁଆ ଥିବା ଜିଲ୍ଲାକୁ ପ୍ରଥମେ ଚିହ୍ନଟ କରାଯାଇଥିଲା। ତିନି ରାଜ୍ୟର ଜିଲ୍ଲାଗୁଡ଼ିକ ହେଲା ୟୁପିର ମହାରାଜଗଞ୍ଜ, ବିହାରର ମୁଙ୍ଗେର ଏବଂ ଓଡ଼ିଶାର କଳାହାଣ୍ଡି ଏବଂ କନ୍ଧମାଳ।
ସର୍ଭେରୁ ଜଣାପଡ଼ିଛି ମେ ୨୦୧୯ ତୁଳନାରେ ୨୦୨୦ରେ ଏହି ଜିଲ୍ଲାଗୁଡ଼ିକରେ ଘରୋଇ ଖାଇବା ଖର୍ଚ୍ଚ ସହିତ ମହିଳାଙ୍କ ଖାଦ୍ୟ ବିବିଧତା ହ୍ରାସ ପାଇଛି। ମୁଖ୍ୟତଃ ମାଂସ, ଅଣ୍ଡା, ପନିପରିବା, ଏବଂ ଫଳ ଆଦି ଖାଦ୍ୟ ପୂର୍ବ ତୁଳନାରେ କମିଯାଇଛି। ଯାହାକି ଅଧିକ ପୁଷ୍ଟି ବା ନ୍ୟୁଟ୍ରିସନ ଯୋଗାଏ।
ଏହି ସମୟରେ ସରକାରଙ୍କ ତରଫରୁ ପିଡିଏସ ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ହେଲେ କରୋନା ପାଇଁ ଦେଖା ଦେଇଥିଲା ଆର୍ଥିକ ଅନିୟମିତତା। ତେଣୁ ଲୋକମାନେ କେବଳ ପିଡିଏସ ସାମଗ୍ରୀକୁ ଖାଦ୍ୟ ଭାବରେ ଗ୍ରହଣ କରିଥିଲେ। ଆର୍ଥିକ ଅଭାବରୁ ବଜାରରୁ ମାଂସ, ଅଣ୍ଡା, ପନିପରିବା, ଏବଂ ଫଳ ପରି ଆଦି କିଣିନଥିଲେ ବା ଖାଇବା କମାଇ ଦେଇଥିଲେ।
ଇକୋନମିଆ ପଲିଟିକାଲ ଜର୍ଣ୍ଣାଲରେ କୁହାଯାଇଛି ଆର୍ଥିକ ସମସ୍ୟା ପାଇଁ ମହିଳାମାନେ ଆବଶ୍ୟକ କରୁଥିବା ନ୍ୟୁଟ୍ରିସନ ପାଇପାରୁ ନାହାନ୍ତି। ତେଣୁ ଏବେ ପିଡିଏସକୁ ନେଇ ଯେଉଁ ଯୋଜନା ରହିଛି ସେଥିରେ ପରିବର୍ତ୍ତନ ବା ସଂଶୋଧନ ହେବା ଦରକାର। ପିଡିଏସ ସାମଗ୍ରୀରେ କିଛି ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ସାମିଲ କରିବା ଠିକ୍ ହେବ ବୋଲି କୁହାଯାଇଛି। ଯେଉଁ ଖାଦ୍ୟ ଆବଶ୍ୟକ ନ୍ୟୁଟ୍ରିସନ ଯୋଗାଉଥିବ।
ଟାଟା-କର୍ଣ୍ଣେଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫର୍ ଆଗ୍ରିକଲଚର ଏବଂ ନ୍ୟୁଟ୍ରିସନ ସଂସ୍ଥାର ନିର୍ଦ୍ଦେଶକ ମାଥ୍ୟୁ ଆବ୍ରାହମ, ସହଯୋଗୀ ନିର୍ଦ୍ଦେଶକ ଏବଂ ପରାମର୍ଶଦାତା ପାୟଲ ସେଠ୍ କହିଛନ୍ତି, ମହିଳାଙ୍କ ଖାଇବା ଥାଳିରେ ମଧ୍ୟ ପୂର୍ବରୁ ବିବିଧତା ନଥିଲା। ହେଲେ କୋଭିଡ୍ ମହାମାରୀ ପାଇଁ ଏହି ସ୍ଥିତି ଆହୁରି ଜଟିଳ ରହିଛି। ପୂର୍ବରୁ ଭାତ, ରୁଟି ବ୍ୟତୀତ ଅଣ୍ଡା, ମାଛ, ମାଂସ, ଫଳ ଆଦି ଯେଉଁ ପୁଷ୍ଟିକର ଖାଦ୍ୟ ଖାଉଥିଲେ ଏବେ ଏହି ଖାଦ୍ୟ ସେତେଟା ଖାଉ ନାହାନ୍ତି।
ଯେଉଁମାନେ ଏଭଳି ନୀତି ବା ଯୋଜନା ତିଆରୁ କରୁଛନ୍ତି ସେମାନେ କରୋନା ମହାମାରୀର ପ୍ରଭାବ ବାବଦରେ ଅବଗତ ହେବା ଦରକାର। ମହିଳାଙ୍କ କ୍ଷେତ୍ରରେ ଯେଉଁ ନ୍ୟୁଟ୍ରିସନ ଅଭାବ ରହିଛି ତାକୁ ଠିକ୍ ଭାବରେ ପରଖି ଯୋଜନା ତିଆରି କରିପାରିଲେ ଆବଶ୍ୟକ ନ୍ୟୁଟ୍ରିସନ ପାଇପାରୁନଥିବା ମହିଳା ଉପକୃତ ହୋଇପାରନ୍ତେ ବୋଲି ଗବେଷକ କହିଛନ୍ତି।
The post ଲକଡାଉନ୍ ପାଇଁ କନ୍ଧମାଳ ଓ କଳାହାଣ୍ଡିର ମହିଳାଙ୍କ ପୁଷ୍ଟି କମିଛି: ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/3yepdLU
No comments:
Post a Comment