ସ୍କୁଲ ଖୋଲିବା ନିଷ୍ପତି ଓ ଦାୟିତ୍ୱଛଡ଼ା ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ସ୍କୁଲ ଖୋଲିବା ନିଷ୍ପତି ଓ ଦାୟିତ୍ୱଛଡ଼ା ସରକାର

  • ରବି ଦାସ

ରାଜ୍ୟ ସରକାର ଚଳିତ ମାସ ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ଶ୍ରେଣୀଗୃହରେ ପାଠ ପଢ଼ା ପାଇଁ ଏକ ନିଷ୍ପତି ନେଇଛନ୍ତି। ବାସ୍ତବରେ କରୋନା ପରଠାରୁ ଆର୍ଥିକ ଦିଗରେ ଓ ସାଧାରଣ ଜୀବନଯାତ୍ରାରେ ଦେଶର ଯେଉଁ ବହୁତ କ୍ଷତି ହୋଇଛି ତାହାଠାରୁ ଅଧିକ କ୍ଷତିହୋଇଛି ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀମାନଙ୍କର। ଗତବର୍ଷ ସ୍କୁଲକଲେଜ୍ ବନ୍ଦ ପରେ ଏବର୍ଷ ମଧ୍ୟ ସ୍କୁଲ କଲେଜ୍ ଖୋଲିପାରିନାହିଁ। ଶ୍ରେଣୀରେ ପାଠପଢ଼ା ହୋଇନପାରିବା ପରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦ୍ୱିତୀୟ ଲହର ଯୋଗୁ ହୋଇନପାରିବାରୁ କିପରି ଭାବରେ ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟାୟନ କରି ପାସ୍ କରାଯାଇଛି ତାହା ସମସ୍ତଙ୍କୁ ଜଣା। ଯଦିଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ କିନ୍ତୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ଯେଉଁ ଆଧାରରେ ପ୍ରକାଶ ପାଇଛି ଏବଂ କେଉଁ ଆଧାରରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବା ମୂଲ୍ୟାୟନ କରାଯିବ ତାହାର ସୂତ୍ର ପ୍ରକାଶ ପାଇଥିବାରୁ ଫଳାଫଳ କ’ଣ ହେବ ତାହା ନେଇ କଳ୍ପନାଜଳ୍ପନା କରିବାର କୌଣସି କାରଣ ନାହିଁ।

ଅସଲକଥା ହେଲା ଗତ ଏକ ବର୍ଷରୁ ଊର୍ଦ୍ଧ୍ୱ ହେଲା ଛାତ୍ରଛାତ୍ରୀମାନେ ସ୍କୁଲରେ ପାଠ ପଢ଼ିପାରୁନାହାନ୍ତି। ଅନ୍‌ଲାଇନ ଶିକ୍ଷାଦାନ ଭାବରେ ଯାହା କରାଯାଉଛି ସେଥିରେ ସତୁରୀ ଭାଗ ପିଲା ଉପକୃତ ହେଉନାହାନ୍ତି। ସେମାନେ ମୁଖ୍ୟତଃ ଗରିବ ଶ୍ରେଣୀର ବା ମଧ୍ୟବିତ୍ତ ଶ୍ରେଣୀର। ଯେଉଁସବୁ ଘରୋଇ ସ୍କୁଲଗୁଡ଼ିକ ଚାରିଆଡ଼େ ଖୋଲିଥିଲେ ସେହିସବୁ ସ୍କୁଲରେ ରେଗୁଲାର ସ୍କୁଲ ହେଉନଥିବାରୁ ଏବଂ ପରିବାରମାନଙ୍କ ଆୟ କରୋନାରେ ଯଥେଷ୍ଟ କମିଯାଇଥିବାରୁ ସେମାନେ ସ୍କୁଲ ଫିସ୍ ମଧ୍ୟ ଦେଇପାରୁନାହାନ୍ତି। ସ୍କୁଲ ଫି’ ପାଉନଥିବା ଘରୋଇ ସ୍କୁଲଗୁଡ଼ିକ ଶିକ୍ଷକମାନଙ୍କୁ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଦରମା ଦେବା ମଧ୍ୟ ସମ୍ଭବ ହେଉନାହିଁ। ବାସ୍ତବରେ ଦେଖିବାକୁ ଗଲେ କରୋନା କାଳରେ ଦେଶର ଯେଉଁ ଯେଉଁ କ୍ଷେତ୍ରରେ ଦୁର୍ଗତି ସୃଷ୍ଟିହୋଇଛି ସେଥିରେ ଶିକ୍ଷା କ୍ଷେତ୍ରରେ ଦୁର୍ଗତି ଓ ଅସୁବିଧା ସବୁଠାରୁ ବେଶୀ। କୋଟିକୋଟି ଛାତ୍ରଛାତ୍ରୀ ଓ ଶିଶୁମାନଙ୍କର ଭବିଷ୍ୟତ ଉପରେ କରୋନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନଲାଇନ୍‌ରେ ପାଠପଢ଼ା ହେଲେ ମଧ୍ୟ ଛାତ୍ରଛାତ୍ରୀ ଯଦି ନିୟମିତ ସ୍କୁଲକୁ ନଯିବେ ତେବେ ସେମାନଙ୍କର ପ୍ରକୃତ ବିକାଶ ହେବନାହିଁ। ସ୍କୁଲରେ ପାଠପଢ଼ା ଛଡ଼ା ଅନ୍ୟ ବହୁ ବିଷୟରେ ଛାତ୍ରଛାତ୍ରୀମାନେ ସାଙ୍ଗସାଥୀଙ୍କଠାରୁ ଓ ପରିବେଶରୁ ଯେଉଁ ଶିକ୍ଷାଲାଭ କରନ୍ତି ତାହା ବନ୍ଦ ହୋଇଯାଇଛି। ସେହି ଦୃଷ୍ଟିରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ୨୬ ତାରିଖରୁ ଖୋଲିବା ପାଇଁ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରାଯିବା କଥା। କିନ୍ତୁ ସରକାର ନିଷ୍ପତି ନେବା ସମୟରେ ଏକଥା ମଧ୍ୟ କହିଛନ୍ତି ଯେ, ବାପାମା’ଙ୍କ ଅନୁମତି ନେଇ ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ। କାରଣ ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍କୁଲକୁ ଆସିବା ବାଧ୍ୟତାମୂଳକ ନୁହେଁ। ଏହି ଗୋଟିଏ ନିଷ୍ପତିରୁ ଏହା ସ୍ପଷ୍ଟ ଯେ, କରୋନା ଜନିତ ପରିସ୍ଥିତିରେ ସ୍କୁଲ ଖୋଲି ଛାତ୍ରଛାତ୍ରୀ ପାଠପଢ଼ିଲେ ଯଦି ସେମାନେ କେହି କରୋନା ଆକ୍ରାନ୍ତ ହୁଅନ୍ତି ତେବେ ସେଥିପାଇଁ ସରକାର ଦାୟୀହେବେ ନାହିଁ। ପିତାମାତା ବା ଅଭିଭାବକଙ୍କ ଉପରେ ଏହି ଦାୟିତ୍ୱ ଖସାଇଦେବାକୁ ସରକାରଙ୍କ ଏହି କୌଶଳ ବୋଲି ଅନୁମାନ କରାଯାଉଛି।

ଭାରତବର୍ଷର ଅନ୍ୟ ରାଜ୍ୟମାନଙ୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ କମିଛି ଓଡ଼ିଶା ସମେତ କେତେକ ରାଜ୍ୟରେ ସେହି ଅନୁସାରେ କମିନାହିଁ। ଯେଉଁ କେତେଗୁଡ଼ିଏ ରାଜ୍ୟକୁ କରୋନା ଦୃଷ୍ଟିରୁ ସତର୍କ ରହିବା ପାଇଁ ବିଶେଷ ଭାବରେ ପରାମର୍ଶ ଦିଆଯାଉଛି ସେଥିରେ ଓଡ଼ିଶା ମଧ୍ୟ ରହିଛି। ଏବେବି ରାଜ୍ୟରେ ଦୈନିକ ହାରାହାରି ଅଢ଼େଇ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ଯେଉଁ ଜିଲ୍ଲାଗୁଡ଼ିକରେ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ସେଗୁଡ଼ିକ କ’ ଶ୍ରେଣୀଭୁକ୍ତ  କରାଯାଇଛି। କିନ୍ତୁ ଖୋର୍ଦ୍ଧା, କଟକ ସହିତ ଉପକୂଳର ଯେଉଁ ୧୦ଟି ଜିଲ୍ଲାରେ ପରିସ୍ଥିତି ଉଦବେଗଜନକ ରହିଛି ସେଗୁଡ଼ିକ ଖ’ ଶ୍ରେଣୀଭୁକ୍ତ କରାଯାଇଛି। କିନ୍ତୁ ସ୍କୁଲ ଖୋଲିଲା ପରେ ପରିସ୍ଥିତିକୁ ଦେଖି କେଉଁଠାରେ ସ୍କୁଲ ଖୋଲିବ ବା ବନ୍ଦ ହେବ ତାହାର ନିଷ୍ପତି ଜିଲ୍ଲାପାଳମାନଙ୍କ ଉପରେ ଛାଡ଼ି ଦିଆଯାଇଛି। ଏଠାରେ ମଧ୍ୟ ସରକାର ଦାୟିତ୍ୱ ଖସାଇଦେବା ପାଇଁ ଏକ ଉଦ୍ୟମ କରିଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ ସବୁ ସ୍କୁଲର ଶିକ୍ଷକ ଶିକ୍ଷୟିତୀ, କର୍ମଚାରୀ, ବସ୍ କର୍ମଚାରୀ ଓ ସ୍କୁଲ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି କି ନାହିଁ ତାହା ରାଜ୍ୟ ସରକାର ପ୍ରଥମେ ଚିହ୍ନଟ କରିବା ଉଚିତ ଥିଲା। ଯେଉଁଠାରେ ସଂପୂର୍ଣ୍ଣ ଟିକାକରଣ ହୋଇଛି ସେଠାରେ ମଧ୍ୟ ସ୍କୁଲ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ଆଚରଣ ଉପରେ ଅଙ୍କୁଶ ଲଗାଇବା ନିହାତି ଆବଶ୍ୟକ।

ସରକାର ସବୁଦୃଷ୍ଟିରୁ ସ୍କୁଲଗୁଡ଼ିକ କରୋନା ଦୃଷ୍ଟିରୁ ନିରାପଦ ସ୍ଥାନ ବୋଲି ବିଚାର କରିବା ପରେ ସ୍କୁଲ ଖୋଲିବା ନିଷ୍ପତି ନେବା ଆବଶ୍ୟକ। କାରଣ ଏବେବି ଦେଶରେ ଓ ରାଜ୍ୟରେ ଟିକାକରଣ କାର୍ଯ୍ୟ ଆଦୌ ସନ୍ତୋଷଜନକ ନୁହେଁ । ୧୮ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ଟିକା ଦିଆଯାଉଥିଲେ ମଧ୍ୟ ଉଭୟ ଡୋଜ୍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଶତକଡ଼ା ୧୫ରୁ ଅଧିକ ନୁହେଁ। ୧୨ରୁ ୧୮ବର୍ଷ ପିଲାମାନଙ୍କୁ ଏପର୍ଯ୍ୟନ୍ତ ଟିକା ଦିଆଯାଇନାହିଁ। ଯେହେତୁ ମଣିଷର ଜୀବନ ସୁରକ୍ଷା ସରକାରଙ୍କର ପ୍ରଥମ ଦାୟିତ୍ୱ ସେହେତୁ ସ୍କୁଲ ଖୋଲିବା ପାଇଁ ନିଷ୍ପତି ନେବା ସମୟରେ ଏ ଦିଗରେ ସମସ୍ତ ପଦକ୍ଷେପଗୁଡ଼ିକ କିପରି ନିଆଯାଇଛି ତାହା ଜଣାଇବା ଆବଶ୍ୟକ। ସରକାର ନିଜର ଦାୟିତ୍ୱ ଖସାଇଦେଇ ଅଭିଭାବକଙ୍କ ଉପରେ ତାହା ଛାଡ଼ିପାରିବେ ନାହିଁ।

ଦଶମ ଓ ଦ୍ୱାଦଶ ସ୍କୁଲ ଖୋଲିବା ଏବଂ ପାଠ ପଢ଼ାଇବା ସହିତ ବରାବର ମୂଲ୍ୟାୟନ ବ୍ୟବସ୍ଥା କେତେ ଜରୁରୀ ତାହା ଦଶମ ଓ ଦ୍ୱାଦଶ ଶ୍ରେଣୀର ଚଳିତବର୍ଷ ପରୀକ୍ଷା ଫଳ ସମୟରେ ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଦଶମ ଓ ଦ୍ୱାଦଶ ପରେ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ପଡ଼ିବ। କିନ୍ତୁ ସ୍କୁଲ ଖୋଲିବା ପରେ ରାଜ୍ୟର ପ୍ରତ୍ୟେକ ସ୍କୁଲର ଦୈନିକ ମନିଟରିଂ ଶିକ୍ଷାବିଭାଗ ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କରିବାର ଆବଶ୍ୟକତା ରହିଛି। ଏହିସବୁ କାର୍ଯ୍ୟ କିପରି ଭାବରେ କରାଯିବ ସେ ସଂକ୍ରାନ୍ତରେ ଶିକ୍ଷାମନ୍ତ୍ରୀ ବା ଶିକ୍ଷା ସଚିବ ସ୍ପଷ୍ଟ ଭାବରେ କହିନଥିବାରୁ ଅଭିଭାବକମାନେ କାହା ଉପରେ ଭରସା କରିବେ। ଯେହେତୁ ସରକାର ପିଲାମାନଙ୍କୁ ସ୍କୁଲକୁ ପଠାଇବା ଅଭିଭାବକମାନଙ୍କ ଉପରେ ଛାଡ଼ି ଦେଇଛନ୍ତି ସେହେତୁ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟିହୋଇଛି। ଏହି ସନ୍ଦେହ ଦୂର ପାଇଁ ସରକାର ବ୍ୟବସ୍ଥା ନକଲେ ବହୁ ଅସୁବିଧା ସୃଷ୍ଟିହେବ। କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବରାବର କହୁଛନ୍ତି ଯେ, ତୃତୀୟ ଲହରର ଆଶଙ୍କା ରହିଛି। ସେହି ଦୃଷ୍ଟିରୁ ତୃତୀୟ ଲହର ମୁକାବିଲା ପାଇଁ ସରକାର କ’ଣ କରିଛନ୍ତି ଓ ବିଶେଷ ଭାବରେ ସ୍କୁଲ ଖୋଲିଲେ ମଧ୍ୟ କରୋନା ସଂକ୍ରମିତ ହେବ ନାହିଁ ବୋଲି କି ପଦକ୍ଷେପ ନେଇଛନ୍ତି ତାହାର ଏକ ବିଜ୍ଞପ୍ତି ପ୍ରକାଶ କରିବା ଉଚିତ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

The post ସ୍କୁଲ ଖୋଲିବା ନିଷ୍ପତି ଓ ଦାୟିତ୍ୱଛଡ଼ା ସରକାର appeared first on Odisha Reporter.



from Odisha Reporter https://ift.tt/3rjtAmh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages