ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କାଳ ସାଜିଛି ମୌସୁମୀ ବର୍ଷା। ଅବିଶ୍ରାନ୍ତ ବର୍ଷାରେ ଧନ ଓ ଜୀବନ ନଷ୍ଟ ହୋଇ ଚାଲିଛି। ରାୟଗଡ ଜିଲ୍ଲାର ତଲାଇ ଗାଁ ନିକଟରେ ଭୂସ୍ଖଳନ ହୋଇଛି। ଏଥିରେ ୪୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୂସ୍ଖଳନ ଘଟଣାରେ ୪୭ ଜଣ ନିଖୋଜ ଅଛନ୍ତି। ୧୨ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଚାରି ଦିନର ଅବ୍ରିଶାନ୍ତ ବର୍ଷାରେ ରାଜ୍ୟରେ ଦୁଇ ଦିନରେ ଏପର୍ଯ୍ୟନ୍ତ ୧୩୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ବନ୍ୟା ପାଣି ସହିତ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ଶୁକ୍ରବାର ସକାଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ସୁଦ୍ଧା ମୃତଦେହ ଉଦ୍ଧାର କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ଏଯାବତ ସରକାର ୮୪ ହଜାର ଲୋକଙ୍କୁ ଉଦ୍ଧାର କରିଛନ୍ତି। ଏହି ଦୁର୍ଘଟଣାରେ ରାୟଗଡ଼ର ଗୋଟିଏ ଗାଁରେ ପ୍ରାୟ ୩୦ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଗ୍ରାମବାସୀ କହିଛନ୍ତି ଯେ ସରକାରଙ୍କ ତରଫରୁ ସେମାନଙ୍କୁ ଆଗୁଆ ସତର୍କ ସୂଚନା ଦିଆଯାଇନଥିଲା। ତଲାଇ ଗାଁରେ ଏହି ଭୂସ୍ଖଳନ ହୋଇଛି ସେଠାରେ ଆଦିବାସୀ ବସ୍ତି ରହିଛି। ୧୨୦ରୁ ଅଧିକ ଲୋକ ରହୁଥିବା ବେଳେ ମୋଟ୍ ୪୫ଟି ଘର ରହିଛି ଏହି ଗାଁରେ। ଗାଁର ଉପର ମୁଣ୍ଡରେ ଥିବା ପାହାଡରୁ ଭୂସ୍ଖଳନ ହେବାରୁ ଏଭଳି ବିପର୍ଯ୍ୟୟ ଘଟିଛି। ୯୦ରୁ ଅଧିକ ଗାଁ ଲୋକେ ଏବେ ଭୂସ୍ଖଳନ ଯୋଗୁଁ ବିଭିନ୍ନ ଅଳିଆ ସ୍ଥାନରେ ଫସି ରହିପାରନ୍ତି ବୋଲି ଗାଁ ଲୋକେ ଆଶଙ୍କା କରିଛନ୍ତି।
ଅନ୍ୟପଟେ ଏବେ ବି ରାଜ୍ୟର ୬ଟି ଜିଲ୍ଲାକୁ ଆଇଏମଡି ରେଡ ଆଲର୍ଟ ଜାରି କରିଛି। ତେଣୁ ଆଗାମୀ ଦିନରେ ବର୍ଷା ବଢ଼ିବା ସହିତ ଭୂସ୍ଖଳନର ଆଶଙ୍କା ଅଧିକ ରହିଛି। ତେଣୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ତେବେ ମହାରାଷ୍ଟ୍ର ସରକାର ଶୁକ୍ରବାର ଭୂସ୍ଖଳନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି।
The post କାଳ ସାଜିଲା ମୌସୁମୀ ବର୍ଷା, ଗୋଟିଏ ଗାଁରେ ୪୯ ମୃତ, ୪୭ ନିଖୋଜ appeared first on Odisha Reporter.
from Odisha Reporter https://ift.tt/3kNMZun
No comments:
Post a Comment