ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା) : କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ଦୁନିଆରେ ସବୁ ସମ୍ଭବ। ସବୁ କାମରେ ବୟସ ଯେ ପ୍ରତିବନ୍ଧକ ନୁହେଁ, ତାହା ପ୍ରମାଣ କରି ଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ରମେଶ ପ୍ରସାଦ ନାୟକ। ୭୭ ବର୍ଷ ବୟସରେ ସେ ଓଡ଼ିଆରେ ଏମ୍ଏ ପାସ୍ କରିଛନ୍ତି । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେବି ପୂରାପୂରି ସତ। ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇଦିନ ତଳେ ପ୍ରକାଶିତ ସ୍ନାତକୋତ୍ତର ପରୀକ୍ଷା ଫଳରେ ୭୭ ବର୍ଷୀୟ ରମେଶ କୃତକାର୍ଯ୍ୟ ହୋଇଛନ୍ତି।
ସୋନପୁର ସହର ଶାନ୍ତିନଗର ପଡ଼ାରେ ରହନ୍ତି ରମେଶ ପ୍ରସାଦ ନାୟକ । ୩୨ ବର୍ଷ ଧରି ହାଇସ୍କୁଲରେ ଶିକ୍ଷକତା କରିବା ପରେ ୨୦୦୨ ମସିହାରେ ସେ ଅବସର ନେଇଥିଲେ। ହେଲେ ପଢ଼ିବା ଓ ପଢାଇବାର ନିଶା ଛାଡ଼ିପାରି ନଥିଲେ। ଅବସର ପରଠାରୁ ସେ ଅନବରତ ଭାବେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଛନ୍ତି। ଏହାସହ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ସହ ଜଡ଼ିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ହେଲେ ଏସବୁ ଭିତରେ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ରହିଥିବା ଦୁର୍ବଳତା ଯୋଗୁଁ ସେ ଏଥିରେ ଏମ୍ଏ କରିବାକୁ ମନସ୍ତ କରିଥିଲେ ଓ ଏହାକୁ ସଂପୂର୍ଣ୍ଣ କରି ଦେଖାଇଲେ।
ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ସ୍ନାତକୋତର ପରୀକ୍ଷାରେ ରମେଶ ପାସ୍ କରିଥିବା ଜାଣି ପରିବାର ଲୋକ ଖୁବ୍ ଖୁସି ଅଛନ୍ତି। ଏହି ଅବସରରେ ରମେଶ ତାଙ୍କର ଖୁସି ବ୍ୟକ୍ତ କରିବା ସହ ଜ୍ଞାନ ଆହରଣ ପାଇଁ ଯୁବ ପିଢ଼ି ପଢ଼ାପଢ଼ି ପ୍ରତି ରୁଚି ରଖିବା ଦରକାର ବୋଲି ପରାମର୍ଶ ଦେଇଛନ୍ତି।
ଏମ୍ଏ ପାସ୍ ପରେ ବି ପାଠପଢ଼ା ଛାଡ଼ିବେ ନାହିଁ ବୋଲି କହିଛନ୍ତି ରମେଶ। ଏଥିସହ ଓଡ଼ିଆ ଭାଷା ଉପରେ ଗବେଷଣା ଜାରି ରଖିବେ ବୋଲି କହିଛନ୍ତି।
ସେ କହିଛନ୍ତି, ୭୭ ବର୍ଷରେ ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲି। ମୁଁ ଏବେ ବି ନିଜକୁ ଯୁବକ ବୋଲି ଭାବୁଛି। ଇଚ୍ଛାଶକ୍ତି ପ୍ରବଳ ଥିଲେ ମନୋବଳ ଦୃଢିଭୂତ ହେବ ଓ ସଫଳତା ପାଇପାରିବା। ତେଣୁ ପାଠପଢ଼ା ସବୁବେଳେ ଚାଲୁ ରଖିବା ଦରକାର।
ରମେଶ ଆହୁରି କହିଛନ୍ତି, “ପଢ଼ିବା ପାଇଁ ବହୁ ଆଗ୍ରହ ଥିଲା। ବହୁ ଉପନ୍ୟାସ ଓ କବିତା ପଢ଼ୁଥିଲି। କବିତା ଲେଖୁଥିଲି । ବହୁ ସ୍କୁଲରେ ବିନା ବେତନରେ ଶିକ୍ଷକତା କରୁଥିଲି। ଓଡ଼ିଆ ଭାଷା ପ୍ରତି ଦୁର୍ବଳତା ଥିଲି । ଇଚ୍ଛାଶକ୍ତି ଥିଲେ କେହି ବାଧା ଦେଇପାରିବେ ନାହିଁ।”
ବାପାଙ୍କ ସଫଳତାରେ ବେଶ୍ ଖୁସି ଥିବା ରାଜୀବ ନାୟକ କହିଛନ୍ତି, “ବାପା ୭୭ ବର୍ଷରେ ସ୍ନାତ୍ତୋକତ୍ତର ଡିଗ୍ରୀ ହାସଲ କରିବା ବହୁତ ଗର୍ବର ବିଷୟ। ଯୁବପିଢ଼ି ତାଙ୍କଠୁ ପ୍ରେରଣା ପାଇବେ। ଆଜି ବି ସେ ବହୁ ସ୍କୁଲରେ ପଢ଼ାଉଛନ୍ତି। ବହୁ ଶିକ୍ଷାନୁଷ୍ଠାନ, ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସହିତ ଜଡ଼ିତ ଅଛନ୍ତି। ସଭାସମିତି ଓ କବିତା ପାଠୋତ୍ସବରେ ବି ସାମିଲ ହେଉଛନ୍ତି।”
The post ଇଚ୍ଛାଶକ୍ତି ଆଗରେ ବୟସ ତୁଚ୍ଛ: ୭୭ ବର୍ଷରେ ଏମଏ ପାସ୍ କଲେ ରମେଶ appeared first on Odisha Reporter.
from Odisha Reporter https://ift.tt/2UuyBfm
No comments:
Post a Comment