ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଲୋକେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ। ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ରଥଯାତ୍ରା ପାଇଁ ପୂରା ପୁରୀ ସହରରେ ୧୪୪ ଧାରା ଜାରି ହେବ। ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ। କାରଣ ଏହା ବି କର୍ଫ୍ୟୁ ଅଧୀନରେ ଯାଉଛି। ରଥଯାତ୍ରା ବେଳେ ଲୋକମାନେ ଘର ଭିତରେ ରହିବେ।
ଜିଲ୍ଲାପାଳ ଆହୁରି କହିଛନ୍ତି, ବଡ଼ଦାଣ୍ଡରେ ଥିବା ହୋଟେଲ ଓ ଲଜ୍ ଗୁଡ଼ିକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରି ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ୍ ଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ ବାହାରକୁ ଯାଇପାରିବେ ନାହିଁ।
ପୁରୀ ଏସ୍ପି କହିଛନ୍ତି ଯେ ବଡ଼ଦାଣ୍ଡରେ ୨୦୦ରୁ ଅଧିକ ଘର ରହିଛି। ଘରଗୁଡ଼ିକର ଛାତ ଉପରୁ ରଥଯାତ୍ରା ଦେଖିବାକୁ ଲୋକଙ୍କୁ ଆଦୌ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ପୁଲିସ୍ ମୁତୟନ ହେବେ। ଲୋକମାନଙ୍କୁ ଏନେଇ ସଚେତନ ମଧ୍ୟ କରାଯିବ। ସେହିପରି ବଡ଼ଦାଣ୍ଡରେ ପ୍ରାୟ ୪୧ଟି ହୋଟେଲ୍ ଓ ଲଜ୍ ରହିଛି। ନିଷ୍ପତ୍ତି ପ୍ରକାରେ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପର୍ଯ୍ୟଟକଙ୍କୁ ରଖିବାକୁ ବୁକିଂ ନ କରିବାକୁ ସେମାନଙ୍କୁ କୁହାଯିବ। ଏହି ହୋଟେଲ୍ ଓ ଲଜ୍ ଗୁଡ଼ିକୁ ଖାଲି କରାଯିବ। ହୋଟେଲ୍ ଓ ଲଜ୍ର ମାଲିକମାନଙ୍କ ସହିତ ବୈଠକ କରାଯାଇ ସେମାନଙ୍କୁ ସଚେତନ କରାଯିବ।
ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ କେବଳ ପୁରୀରେ ରଥଯାତ୍ରା ହେବ। ବିନା ଭକ୍ତରେ ଓ ଅନେକ କଟକଣା ମଧ୍ୟରେ ଏଠାରେ ରଥଯାତ୍ରା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରଥଯାତ୍ରା ପାଇଁ ଏବେ ରଥ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି।
The post ଛାତ ଉପରୁ ରଥଯାତ୍ରା ଦେଖିବା ମନା appeared first on Odisha Reporter.
from Odisha Reporter https://ift.tt/3wjetKy
No comments:
Post a Comment