ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଉପଯୁକ୍ତ ପରିମାଣର ସାର ଯୋଗାଇ ଦେବା ଦାବିରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ଭେଟିଛନ୍ତି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ। ଏହା ସହିତ ରାଜ୍ୟର କୋଟା ଅନୁସାରେ ସାର ଯୋଗାଇ ଦେବା ପାଇଁ ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ଦେଇଛନ୍ତି।
ବିଜେଡି ସାଂସଦଙ୍କ ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ, ମେ, ଜୁନ ଓ ଜୁଲାଇ ମାସରେ ରାଜ୍ୟକୁ ଯେତେ ସାର ମିଳିବା କଥା, ସେତିକି ମିଳି ନାହିଁ। ଖରିଫ ଋତୁ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୨ ଲକ୍ଷ ୩୧ ହଜାର ୫୩୦ ଟନ୍ ୟୁରିଆ ସାର ଆବଣ୍ଟିତ ହୋଇଛି, କିନ୍ତୁ ମିଳିଛି ମାତ୍ର ୧ ଲକ୍ଷ ୪୫ ହଜାର ୧୪୫ ଟନ୍।
ସେହିପରି ଏହି ସମୟ ମଧ୍ୟରେ ଓଡ଼ିଶାକୁ ୧ ଲକ୍ଷ ୫୨ ହଜାର ଟନ୍ ଡିଏପି ସାର ଆବଣ୍ଟିତ ହୋଇଛି, କିନ୍ତୁ ମିଳିଛି ମାତ୍ର ୯୭ ହଜାର ୭୬୩ ଟନ୍। ସେହିପରି ଏନ୍ପିକେଏସ୍ ଓ ଅନ୍ୟ ସାର ମଧ୍ୟ କମ୍ ମିଳିଛି। ଏହି କାରଣରୁ ଚାଷବାସ ପ୍ରଭାବିତ ହେବାର ଆଶଙ୍କା ଅଛି। ତେଣୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଓଡ଼ିଶାକୁ ଉପଯୁକ୍ତ ପରିମାଣର ସାର ଯୋଗାଇ ଦେବାକୁ ସାଂସଦମାନେ ଦାବି କରିଛନ୍ତି।
ଅଧିକାରୀଙ୍କ ସହିତ କଥା ହୋଇ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଅନ୍ୟପକ୍ଷରେ ସାରର ଅଭାବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମନସୁଖ ମାଣ୍ଡବୀୟଙ୍କୁ ଚିଠି ଲେଖିଥିଲେ।
The post କୋଟା ଅନୁସାରେ ମିଳିନି ସାର, କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ appeared first on Odisha Reporter.
from Odisha Reporter https://ift.tt/3C2vInC
No comments:
Post a Comment