ଲକ୍ଷ୍ନୌ: ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଫାଶୀଦଣ୍ଡର ରିହରସଲ କରୁଥିବା ବେଳେ ଚାଲିଯାଇଛି ଗୋଟିଏ ୯ ବର୍ଷ ଛୁଆର ଜୀବନ। ଷ୍ଟୁଲରୁ ଗୋଡ଼ ଖସି ଯିବାରୁ ଦଉଡ଼ିରେ ଝୁଲି ପଡ଼ିଥିଲା ଏହି ଛୋଟ ଛୁଆଟି। ପରେ ମୃତ୍ୟୁ ଘଟିଛି। ଗୁରୁବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା ୟୁପିର ବୁଦାଉଁରେ।
ମୃତ ପିଲାଟିର ନାମ ଶିବମ ବୋଲି ଜଣାପଡ଼ିଛି। ଶିବମର ମାମୁଁ ବିନୋଦ କୁମାର ପ୍ରତିକ୍ରିୟାରେ କହିଛନ୍ତି, ଶିବମ ଏବଂ ତାର ସାଙ୍ଗମାନେ ସ୍ୱାଧୀନତା ଦିବସ ପାଇଁ ଏକ ନାଟକ କରିବେ ବୋଲି ପ୍ରସ୍ତୁତି କରୁଥିଲେ। ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କଙ୍କ ଚରିତ୍ର ଉପରେ ଅଭିନୟ କରିବେ ବୋଲି ଶିବମ ଏବଂ ତାର ସାଙ୍ଗମାନେ ଚିନ୍ତା କରିଥିଲେ। ଏହାପରେ ଗୋଟିଏ ଘରେ ସମସ୍ତେ ଏକାଠି ହୋଇ ଅଭିନୟ କରୁଥିଲେ।
ତେବେ ରିହରସଲ କରୁଥିବା ବେଳେ ଶିବମ ଗୋଟିଏ ଦଉଡ଼ି ଆଣି ବେକରେ ଗୁଡ଼େଇଥିଲା। ଏଥିସହ ଷ୍ଟୁଲ୍ ଉପରେ ଛିଡ଼ା ହୋଇଥିଲା। ହେଲେ ଅଭିନୟ କରୁଥିବା ବେଳେ ହଠାତ୍ ଶିବମର ଗୋଡ଼ ଷ୍ଟୁଲରୁ ଖସି ଯାଇଥିଲା। ତେଣୁ ଦଉଡ଼ିରେ ଝୁଲି ହୋଇ ଯାଇଥିଲା ଶିବମ। ପ୍ରଥମେ ଶିବମ ଅଣନିଃଶ୍ୱାସୀ ହୋଇ ଦଉଡ଼ିରେ ଝୁଲନ୍ତା ଅବସ୍ଥାରେ ଛଟପଟ ହୋଇଥିଲା। କିନ୍ତୁ ପାଖରେ ଥିବା ସାଙ୍ଗମାନେ ଭାବିଥିଲେ ଶିବମ ନାଟକର ଅଭିନୟ କରୁଛି। ହେଲେ କିଛି ସମୟ ପରେ ଶିବମର ଗୋଡ଼ ହାତ ନହଲିବାରୁ ପାଖରେ ଥିବା ସାଙ୍ଗମାନେ ଭୟଭୀତ ହୋଇଯାଇଥିଲେ। ପରେ ଦୌଡ଼ି ଯାଇ ପାଖରେ ଥିବା ଲୋକଙ୍କୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଆସି ପହଞ୍ଚିବା ବେଳକୁ ଶିବମର ମୃତ୍ୟୁ ଘଟିଥିଲା ବୋଲି ଜଣାପଡ଼ିଛି। ଏହାପରେ ପରିବାର ଲୋକେ ଶିବମର ଅନ୍ତିମ ସଂସ୍କାର କରିଥିଲେ। ହେଲେ ପୁଲିସକୁ ଜଣାଇନଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ସମାନ ଧରଣର ଏକ ଘଟଣା ଘଟିଥିଲା ମଧ୍ୟପ୍ରଦେଶର ମଣ୍ଡସୌରରେ।
The post ଭଗତ ସିଂହଙ୍କ ଫାଶୀ ସିନ୍ ରିହରସଲ କଲାବେଳେ ଚାଲିଗଲା ୯ ବର୍ଷ ଛୁଆର ଜୀବନ appeared first on Odisha Reporter.
from Odisha Reporter https://ift.tt/3BYep79
No comments:
Post a Comment