ମୀରଟ: ମେଡିକାଲ ଚିକିତ୍ସାରେ ଏକ ବରିଳ ଘଟଣା ଘଟିଛି। ଦୀର୍ଘ ୧୦୦ ଦିନର ଚିକିତ୍ସା ପରେ ଜଣେ ୪୫ ବର୍ଷୀୟ ମହିଳା କରୋନାକୁ ମାତ ଦେଇଛନ୍ତି। ୪୫ ବର୍ଷୀୟ ଅର୍ଚ୍ଚନା ଦେବୀ ଯେତେବେଳେ ମୀରଟ ସ୍ଥିତ ଲାଲା ଲଜପତ ରାୟ ମେଡିକାଲ କଲେଜକୁ ଆସିଥିଲେ ସେତେବେଳେ କରୋନା ଯୋଗୁ ତାଙ୍କ ଅବସ୍ଥା ସାଂଘାତିକ ହୋଇପଡ଼ିଥିଲା।
ସେ ବହୁତ କଷ୍ଟରେ ନିଃଶ୍ୱାସ ନେବାକୁ ସକ୍ଷମ ହେଉଥିଲେ। ଏହି ସମୟରେ ଦେଶରେ ଦୈନିକ ୩ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ମଧ୍ୟ ହେଉଥିଲେ। ଏପ୍ରିଲ ୨୧ରେ ହିଁ ଅର୍ଚ୍ଚନା ହସ୍ପିଟାଲରେ ଆଡମିଟ ହୋଇଥିଲେ। ଦିନକୁ ଦିନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେଉଥିବାରୁ ପରିବାର ଲୋକ ସବୁ ଆଶା ଛାଡ଼ି ଦେଇଥିଲେ। କିନ୍ତୁ ଏସବୁ ଭିତରେ ଘଟିଥିବା ଚମତ୍କାରିତା ଘଟିଥିଲା।
ଦୀର୍ଘ ୧୦୦ ଦିନ ଧରି ଅର୍ଚ୍ଚନା ଜୀବନ ସହ ସଂଘର୍ଷ କରିବା ପରେ କରୋନାକୁ ମାତ ଦେଇଛନ୍ତି। ଭାରତରେ ଜଣେ କରୋନା ଆକ୍ରାନ୍ତ ୧୦୦ ଦିନ ହସ୍ପିଟାଲରେ ରହି ସୁସ୍ଥ ହେବା ଏକ ବିରଳ ଘଟଣା। ଏହା କୌଣସି ଚମତ୍କାରିତା ଠାରୁ କମ ନୁହେଁ ବୋଲି ମଧ୍ୟ ଅର୍ଚ୍ଚନାଙ୍କ ପରିବାର ଲୋକ କହିଛନ୍ତି।
ଶୁକ୍ରବାର କରୋନାକୁ ମାତ ଦେଇ ଘରକୁ ଫେରିଥିବା ଅର୍ଚ୍ଚନା କହିଛନ୍ତି, “ମୁଁ ମୋର ପରିବାର ପାଇଁ ଆଜି ବଞ୍ଚିଛି। ମୋର ମନେ ଅଛି ଯେଉଁଦିନ ମୁଁ ଭାବିଥିଲି ଆଉ ବଞ୍ଚିବିନି। ମୋତେ ଏତେ ଯନ୍ତ୍ରଣା ହେଉଥିଲା ଯେ ସହ୍ୟ କରିବା ମୋ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। କିନ୍ତୁ ମୋ ପୁଅର ଡାକ ହିଁ ମୋତେ ଫେରାଇ ଆଣିଛି। ସେ ସବୁବେଳେ ମୋତେ କହୁଥିଲା ଯେ ସବୁ କିଛି ଠିକ୍ ହୋଇଯିବ।”
ଅର୍ଚ୍ଚନାଙ୍କ ବଡ଼ ପୁଅ ପୁନୀତ କହିଛନ୍ତି, ମୋ ମା’ ଚିକିତ୍ସିତ ହେଉଥିବା ହେଉଥିବା ୱାର୍ଡକୁ ଯେଉଁମାନେ ଆସୁଥିଲେ କିଛି ସପ୍ତାହ ପରେ ପ୍ରାଣ ହରାଉଥିଲେ। ଆମେ ମଧ୍ୟ ଆଶା ଛାଡ଼ି ଦେଇଥିଲୁ। ଆମେ ଯେତେବେଳେ ମା’ଙ୍କୁ ମାୱାନାରୁ ମୀରଟ ଆଣିଥିଲୁ ସେତେବେଳେ ତାଙ୍କ ଅକ୍ସିଜେନ ସ୍ତର ୩୦%ରୁ କମ ରହିଥିଲା। ତାଙ୍କ ଶରୀରରେ ଭୀଷଣ ଜ୍ୱର ରହିଥିବା ବେଳେ ସେ ଅଚେତ ମଧ୍ୟ ହୋଇ ଯାଉଥିଲେ। ହେଲେ ଡାକ୍ତରଙ୍କ ଦେଖାଶୁଣା ଯୋଗୁ ମା’ଙ୍କୁ ଆମେ ଫେରି ପାଇଛୁ ବୋଲି ସେ କହିଛନ୍ତି।
ଅର୍ଚ୍ଚନାଙ୍କ ଚିକିତ୍ସା କରୁଥିବା ଡା ଯୋଗିତା ସିଂହ କହିଛନ୍ତି, ଅର୍ଚ୍ଚନା ଦେବୀ ଚିକିତ୍ସିତ ହେଉଥିବା ୱାର୍ଡରେ ସବୁବେଳେ ୫ ଜଣ ଡାକ୍ତର ଡ୍ୟୁଟି କରୁଥିଲେ। ଏପ୍ରିଲରୁ ମେ’ ମାସ ଆମ ପାଇଁ ସବୁଠାରୁ କଷ୍ଟକର ଥିଲା। ୱାର୍ଡରେ ଆକ୍ରାନ୍ତମାନେ ପ୍ରାଣ ହରାଉଥିବା ବେଳେ ପରିବାର ଲୋକଙ୍କ ସହଯୋଗ କରୁ ନଥିଲେ। କିନ୍ତୁ ଅର୍ଚ୍ଚନାଙ୍କ କ୍ଷେତ୍ରରେ ତାଙ୍କ ପରିବାର ଲୋକ ସବୁ ପ୍ରକାରର ସହାୟତା କରିଥିଲେ। ସେ ହସ୍ପିଟାଲକୁ ଆସିବା ପରେ ତାଙ୍କୁ ବିଆଇପିଏପି ରଖାଯାଇଥିଲା।
ନିଃଶ୍ୱାସରେ କଷ୍ଟ ଅନୁଭବ କରୁଥିବା ଲୋକଙ୍କୁ ଏଥିରେ ରଖାଯାଏ। ପ୍ରାୟ ଦୁଇ ମାସ ଧରି ଏହି ମେସିନ ସହାୟତାରେ ତାଙ୍କୁ ରଖାଯାଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ତାଙ୍କୁ ଏକଦା ୧୦୦% ଏଫଆଇ ଅକ୍ସିଜେନ ଦେବାକୁ ପଡ଼ିଥିଲା। କରୋନା ଚିକିତ୍ସା ଚାଲିଥିବା ବେଳେ ଜୁନ୍ ମାସରେ ସ୍ଥିତି ଆହୁରି ବିଗିଡ଼ିଥିଲା।
ବ୍ଲାକ ଫଙ୍ଗସ ଚିନ୍ତା ସମସ୍ତଙ୍କୁ ଘାରିଥିଲା। ଅର୍ଚ୍ଚନାଙ୍କ ନାକ ଓ ଆଖି ପାଖରେ କଳା ପଡ଼ିବା ସହ କିଛି ବ୍ରଣ ମଧ୍ୟ ଠାବ କରାଯାଇଥିଲା। ଏହାକୁ ଡାକ୍ତରମାନେ ବ୍ଲାକ ଫଙ୍ଗସ ବୋଲି ଆଶଙ୍କା କରିଥିଲେ। କିନ୍ତୁ ଅର୍ଚ୍ଚନାଙ୍କୁ ଷ୍ଟେରଏଡ ଦେବା ବନ୍ଦ କରି ନଥିଲେ। ଶେଷରେ ୧୦୦ ଦିନ ପରେ ଅର୍ଚ୍ଚନା ଦେବୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭାରତରେ କେହି ୧୦୦ ଦିନ ହସ୍ପିଟାଲରେ ସୁସ୍ଥ ହେବା ଗୋଟିଏ ବିରଳ ଘଟଣା।
ଏହା ପୂର୍ବରୁ ଜାନୁଆରୀ ମାସରେ ଗୁଜରାଟର ଜଣେ ୫୯ ବର୍ଷୀୟ ବ୍ୟକ୍ତି ୧୧୩ ଦିନ ପରେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।
The post ୧୦୦ ଦିନର ସଂଘର୍ଷ ପରେ କରୋନାକୁ ମାତ ଦେଲେ ମହିଳା appeared first on Odisha Reporter.
from Odisha Reporter https://ift.tt/3jaHTpw
No comments:
Post a Comment