ନୂଆଦିଲ୍ଲୀ: ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଓଡ଼ିଶା ପୁଲିସ ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜଶିଟକୁ ପୁନଃ ଯାଞ୍ଚ କରାଯାଉ। ସୋମବାର ସୁପ୍ରିମକୋର୍ଟରେ ଏଭଳି ନିବେଦନ କରିଛନ୍ତି କେନ୍ଦ୍ର ସରକାର ଏବଂ ସିବିଆଇ। ପରୀ ମୃତ୍ୟୁ ପଛରେ ରାଜନୀତିକ ଉଦ୍ଦେଶ୍ୟ ଏବଂ ଅଙ୍ଗତସ୍କରୀ ରହିଛି ବୋଲି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଧାରଣା ରହିଛି। ହେଲେ ଓଡ଼ିଶା ପୁଲିସର ଚାର୍ଜଶିଟରେ ଏଭଳି କିଛି ନାହିଁ। ତେଣୁ ଦାଖଲ ହୋଇଥିବା ଚାର୍ଜଶିଟ୍କୁ ପୁନଃ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ଦରକାର ବୋଲି ସିବିଆଇ ଏବଂ କେନ୍ଦ୍ର ସରକାର ଦାବି କରିଛନ୍ତି।
ମୃତ ନାବାଳିକାଙ୍କ ମା’ ସୌଦାମିନୀ ସାହୁ ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ ଦାଏର କରିଥିଲେ। ଶୁକ୍ରବାର ଏହି ମାମଲାର ଶୁଣାଣି ହୋଇଥିଲା। କେନ୍ଦ୍ର ସରକାର ଓ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ପକ୍ଷ ରଖି କହିଥିଲେ ଯେ ଏହି ହତ୍ୟା ମାମଲାରେ ରାଜନୀତିକ ଦିଗ ରହିଛି। ହେଲେ ଚାର୍ଜଶିଟରେ ଏହାର ଉଲ୍ଲେଖ ନାହିଁ। ପରୀ ଗୋଟିଏ ଛୋଟ ଛୁଆ ଥିଲା, ଯାହାକୁ ହତ୍ୟା ହେବା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ରହିଛି। ପରେ ତାର କଙ୍କାଳ ଉଦ୍ଧାର ହୋଇଥିଲା। ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି ଯେ ଏହା ପଛରେ ଅଙ୍ଗତସ୍କରୀ ମାଫିଆ ରହିଛନ୍ତି। ତେଣୁ ଚାର୍ଜଶିଟର ପୁନଃ ଯାଞ୍ଚ ହେବା ଦରକାର। ପୂର୍ବରୁ ୨୦୦୫ରେ ଶୋହରାବୁଦ୍ଦିନ ଏବଂ ତୁଲସିରାମ ପ୍ରଜାପତି ମାମଲାରେ ମଧ୍ୟ ଚାର୍ଜଶିଟ୍ ଦାଖଲ ହୋଇସାରିଥିଲା। ହେଲେ ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବା ପରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେଣୁ ସୁପ୍ରିମକୋର୍ଟ ଓଡ଼ିଶା ପୁଲିସ ଦାଖଲ କରିଥିବା ଚାର୍ଜଶିଟର ଯାଞ୍ଚ କରିପାରିବେ ବୋଲି ସିଲିସିଟର ଜେନେରାଲ କହିଛନ୍ତି।
ଓଡ଼ିଶା ସରକାରଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଆଡଭୋକେଟ ଜେନେରାଲ ଅଶୋକ ପରିଜା କହିଥିଲେ ଯେ ଏସଆଇଟି ଦ୍ୱାରା ଏହି ତଦନ୍ତ କରାଯାଇଥିଲା। ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଏହି ତଦନ୍ତ କରାଯାଇଥିଲା। ଯେହେତୁ ଚାର୍ଜଶିଟ୍ ଦାଖଲ ହୋଇସାରିଛି, ତେଣୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। କପିଲ ସିବଲ କହିଥିଲେ ଯେ ସିବିଆଇ ଯାଞ୍ଚ ପାଇଁ ଆବେଦନ କରିବା ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଛି।
ସେହିପରି ଆବେଦନକାରୀଙ୍କ ତରଫରୁ ପକ୍ଷ ରଖିଥିଲେ ବରିଷ୍ଠ ଓକିଲ ମହେଶ ଜେଠମାଲାନି। ସେ କହିଥିଲେ ଯେ ଜଣେ ମା’ ତା’ ଛୁଆକୁ ହରାଇଛି। ଏବେ ସେ ନ୍ୟାୟ ଚାହୁଁଛନ୍ତି। ହେଲେ ତଦନ୍ତ ଆବେଦନକୁ ରାଜନୀତିକ ଉଦ୍ଦେଶ୍ୟ କହିବା ଦୁର୍ଭାଗ୍ୟଜନକ।
ଏହାପରେ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ ଯେ ଏହି ମାମଲାରେ ହାଇକୋର୍ଟ ରିଟ୍ ପିଟିସନ ଖାରଜ କରିଛନ୍ତି। ତେଣୁ ଆବେଦନକାରୀ ସ୍ପେଶାଲ ଲିଭ୍ ପିଟିସନ ଦାଏର କରନ୍ତୁ। ଅଗଷ୍ଟ ୧୭ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।
ଲିଭ୍ ପିଟିସନ ଦାଏର କରିବେ କି ନାହିଁ ଆବେଦନକାରୀ ନିଷ୍ପତ୍ତି ନେବେ। ଏଥିପାଇଁ ସପ୍ତାହକ ମଧ୍ୟରେ କୋର୍ଟଙ୍କୁ ଜଣାଇବାକୁ ହେବ ବୋଲି କୋର୍ଟ ଆବେଦନକାରୀଙ୍କ ଓକିଲ ମହେଶ ଜେଠମାଲାନୀଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ମୃତ ପରୀର ମା’ ବାବୁଲି ନାୟକଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛନ୍ତି, ଯିଏକି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କର ନିକଟତମ ବ୍ୟକ୍ତି ବୋଲି କୁହାଯାଉଛି। ଓଡ଼ିଶା ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଇପିଏସ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ ହୋଇଛି। ହେଲେ ଏସିଆଇଟି ବାବୁଲି ନାୟକଙ୍କୁ ଜେରା କରିନାହିଁ। ମନ୍ତ୍ରୀ ଶ୍ରୀ ସାହୁଙ୍କ ଚାପରେ ଏସଆଇଟି ବାବୁଲି ନାୟକଙ୍କୁ ଜେରା କରିନି ବୋଲି ପରୀର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଜଣେ ନାବାଳକ ଗିରଫ ହୋଇ ଜେଲରେ ଅଛନ୍ତି। ହେଲେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସିବିଆଇ ଏହି ମାମଲାରେ ତଦନ୍ତ କରୁ ବୋଲି ପୁରୀ ମା’ ସୌଦାମନୀ ସାହୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
The post ‘ନୟାଗଡ଼ ପରୀ ମାମଲାରେ ଦାଖଲ ଚାର୍ଜଶିଟକୁ ପୁନଃ ଯାଞ୍ଚ କରାଯାଉ’ appeared first on Odisha Reporter.
from Odisha Reporter https://ift.tt/3rwq9bY
No comments:
Post a Comment