ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ମହିଳା ହକିରେ ଭାରତୀୟ ଦଳକୁ ମିଳିଛି ଲଗାତାର ଦ୍ୱିତୀୟ ବିଜୟ। ଶନିବାର ଦଳ ଏହାର ପଞ୍ଚମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲ୍ରେ ପରାସ୍ତ କରିଛି। ଏହା ସହିତ ଦଳର କ୍ୱାର୍ଟର ଫାଇନାଲ୍ ଖେଳିବା ଆଶା ଉଜ୍ଜୀବିତ ରହିଛି।
ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଗୋଟିଏ ସମୟରେ ଉଭୟ ଦଳ ୩-୩ ସ୍ଥିତିରେ ଥିଲେ। କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଭାରତର ବନ୍ଦନା କଟିୟାର ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଦେଇଥିଲେ। ଫଳରେ ଦଳ ୪-୩ରେ ଆଗୁଆ ରହିଥିଲା ଓ ଶେଷରେ ମ୍ୟାଚ୍ ଜିତି ଯାଇଥିଲା।
ଦଳ ପକ୍ଷରୁ ବନ୍ଦନା ୩ଟି ଗୋଲ୍ ଦେଇଥିଲେ। ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିବା ବେଳେ ୧୭ଶ ଓ ୪୯ତମ ମିନିଟ୍ରେ ଅନ୍ୟ ଦୁଇଟି ଗୋଲ୍ ଦେଇଥିଲେ। ସେହିପରି ୩୨ତମ ମିନିଟ୍ରେ ନେହା ଗୋଏଲ ଗୋଟିଏ ଗୋଲ୍ ଦେଇଥିଲେ।
ବଲ୍ ଅଧିକ ସମୟ ଧରି ଭାରତୀୟ ଦଳ ନିୟନ୍ତ୍ରଣରେ ରହିଥିଲା। କିନ୍ତୁ ଯେତେବେଳେ ବି ଦକ୍ଷିଣ ଆଫ୍ରିକା ପ୍ରତିଆକ୍ରମଣ କରିଥିଲା ସେତେବେଳେ ଦଳକୁ ବେଶ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ପରାଜୟ ସହିତ ଦକ୍ଷିଣ ଆଫ୍ରିକା ଗ୍ରୁପ୍’ ସ୍ତରର ସମସ୍ତ ମ୍ୟାଚ୍ରେ ହାରିଯାଇଛି।
ଭାରତୀୟ ଦଳ ଏବେ ୬ ପଏଣ୍ଟରେ ରହିଛି। ଆଜି ଅପରାହ୍ଣ ୫ଟା ୧୫ରେ ଗ୍ରେଟ୍ ବ୍ରିଟେନ୍ ଓ ଆୟର୍ଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ହେବ। ଏହି ମ୍ୟାଚ୍ରେ ଆୟର୍ଲ୍ୟାଣ୍ଡ ବିଜୟୀ ହେଲେ ଭାରତର କ୍ୱାର୍ଟର ଫାଇନାଲ୍ ଯିବା ଆଶା ଧୂଳିସାତ୍ ହୋଇଯିବ। ଯଦି ମ୍ୟାଚ୍ ଡ୍ର’ ହୋଇଯିବ ବା ଗ୍ରେଟ୍ ବ୍ରିଟେନ୍ ଜିତି ଯିବ, ତା’ହେଲେ ଭାରତର ଆଗକୁ ବଢ଼ିପାରିବ।
ଲିଗ୍ ପର୍ଯ୍ୟାୟର ପ୍ରଥମ ତିନୋଟି ମ୍ୟାଚ୍ ହାରିବା ଯୋଗୁ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିବା ଭାରତୀୟ ଦଳ ପାଇଁ କଷ୍ଟକର ହୋଇପଡ଼ିଛି। ଗତକାଲି ୧-୦ରେ ଆୟର୍ଲ୍ୟାଣ୍ଡକୁ ହରାଇବା ପରେ ଦଳ ପୁଣି ରେସ୍କୁ ଫେରିଛି।
The post ମହିଳା ହକି କ୍ୱାର୍ଟର ଫାଇନାଲ ପାଇଁ ଭାରତୀୟ ଦଳର ଆଶା ଉଜ୍ଜୀବିତ, କିନ୍ତୁ… appeared first on Odisha Reporter.
from Odisha Reporter https://ift.tt/3fc3UDm
No comments:
Post a Comment