ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।
ଜଗନ୍ନାଥଙ୍କ ହାତରେ ଗଭୀର ଆଘାତ ଲାଗିଛି। ପ୍ରିୟଙ୍କାକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ସେ ନିଜେ ମଧ୍ୟ ହାତକାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କୁହାଯାଉଛି।
ଜଗନ୍ନାଥଙ୍କୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।
କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ହସ୍ପିଟାଲ୍କୁ ଅଣାଯିବା ବେଳେ ତାଙ୍କ ଅବସ୍ଥା ଖରାପ ଥିଲା। ଏଠାରେ ଚିକିତ୍ସିତ ହେବାର ସାତ ଆଠ ଦିନ ପରେ ତାଙ୍କ ଅବସ୍ଥାରେ ସୁଧାର ଆସିଥିଲା। ତେବେ ତାଙ୍କ ହାତରେ ହୋଇଥିବା ଖଣ୍ଡିଆର ଅପରେସନ୍ ପାଇଁ ସେ ଫିଟ୍ ନଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟରେ ଆହୁରି ସୁଧାର ଆସିବା ପରେ ଉକ୍ତ ଘା’କୁ ଖୋଲି ପରୀକ୍ଷା କରାଯାଇଥିଲା। ସେତେବେଳେ ଏକ ଶିର କଟିଥିବା ଜାଣିବାକୁ ପାଇଲୁ। ଏଥିପାଇଁ ଉନ୍ନତ ମାନର ପ୍ଲାଷ୍ଟିକ୍ ସର୍ଜରୀର ଆବଶ୍ୟକତା ଥିବାରୁ ତାଙ୍କୁ ଏମ୍ସ ପଠାଯାଇଛି।
ସୂଚନାଯୋଗ୍ୟ, ପ୍ରିୟଙ୍କା ଓ ଅଭିଯୁକ୍ତ ଜଗନ୍ନାଥ ପରସ୍ପରକୁ ଜାଣିଥିଲେ। ପ୍ରିୟଙ୍କାଙ୍କ ବାହାଘର ପରେ ଜଗନ୍ନାଥ ତାଙ୍କ ଜୀବନରୁ ଦୂରେଇ ଯାଇଥିଲେ। ତେବେ ଗତ ବର୍ଷ ଲକ୍ଡାଉନ୍ ବେଳଠୁ ସେମାନେ ପୁଣି ଯୋଗାଯୋଗରେ ଥିଲେ। କିନ୍ତୁ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ପ୍ରିୟଙ୍କା ତାଙ୍କୁ ବରବାଦ କରି ଦେଇଥିବା ନେଇ ଜଗନ୍ନାଥ ଏହି କାଣ୍ଡ ଘଟାଇବା ପୂର୍ବରୁ ହ୍ୱାଟ୍ସଆପ୍ରେ ମେସେଜ୍ କରିଥିଲେ। ଏମିତିକି ପ୍ରିୟଙ୍କାଙ୍କ ପୂର୍ବରୁ ତାଙ୍କର ୩ ବର୍ଷର ପୁଅକୁ ହତ୍ୟା କରିବାକୁ ଜଗନ୍ନାଥ ଯୋଜନା କରିଥିଲେ ବୋଲି ପୁଲିସ୍ ପକ୍ଷରୁ ମିଳିଥିବା ସୂଚନାରୁ ଜଣାଯାଇଛି।
The post ପ୍ରିୟଙ୍କା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଜଗନ୍ନାଥ ଏମ୍ସରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/3rikvdm
No comments:
Post a Comment