ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସକାଳ ୬ଟାରେ ସରୁଛି ରାଜ୍ୟରେ ଲକଡାଉନ୍ ଅବଧି । ଏହାପୂର୍ବରୁ ଆଜି ଅପରାହ୍ନ ୨ଟା୩୦ରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ସିଏସ୍ ।
ଆଂଶିକ ଲକଡାଉନ୍ ନେଇ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି କଣ ରହିବ ଆଜି ହୋଇପାରେ ଘୋଷଣା । ରାଜ୍ୟରେ ଟେଷ୍ଟ ପଜିଟିଭିଟି ହାର ଧିରେ ଧିରେ ୩ ପ୍ରତିଶତ ତଳକୁ ଖସିଛି । ଏଭଳି ସ୍ଥିତିରେ ଆଉ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । ୫ ପ୍ରତିଶତ କମ୍ ପଜିଟିଭିଟି ରହୁଥିବା ଆଉ କିଛି ଜିଲ୍ଲାକୁ କାଟାଗୋରୀ-aକୁ ନିଆଯାଇପାରେ। ଏ ନେଇ ପ୍ରଶାସନ ସ୍ତରରେ ବିଚାରବିମର୍ଶ ମଧ୍ୟ କରାଯାଇଛି । ସୂତ୍ର ଅନୁସାରେ ନୂଆ ଗାଇଡଲାଇନ୍ରେ ୨୩ଟି ଜିଲ୍ଲାକୁ କାଟାଗୋରୀ-ଏ ଓ ୭ଟି ଜିଲ୍ଲାକୁ ବିରେ ରଖାଯାଇପାରେ। ଏଥିସହ କଟକଣା କୋହଳ ସମୟର ଅବଧିକୁ ବଢ଼ାଯିବାର ସମ୍ଭାବନା ଥିବା ଆଲୋଚନା ହେଉଛି।
ସାମଗ୍ରିକ ଭାବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି କାଟେଗୋରୀ-Bରେ ଥିବା ଜିଲ୍ଲା ମଧ୍ୟରୁ କଟକ, ଖୋର୍ଦ୍ଧା ଓ ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜରେ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ। ତେଣୁ ଅନ୍ଲକ୍ ପ୍ରକ୍ରିୟାକୁ ଗଲାବେଳେ ଏହି ୨ ସହର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇପାରେ।
ଅପରପକ୍ଷେ, କରୋନା କୋପ କମୁଥିବାରୁ ବିଭିନ୍ନ ସ୍ଥାନରେ କଟକଣା ନିୟମରେ କୋହଳ କରାଯାଇଛି। ମାତ୍ର ଏହାର ଦୂରୁପଯୋଗ ହେଉଛି ବୋଲି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି। ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିୟମ କଡ଼ାକଡି କରିବାକୁ କହିଛନ୍ତି।
ଗହଳି ବଢ଼ିବା କାରଣରୁ କିଛି ରାଜ୍ୟରେ କରୋନାର ଆର-ଫ୍ୟାକ୍ଟର ବଢ଼ିଛି। ଆର-ଫ୍ୟାକ୍ଟର କହିଲେ କରୋନାର ରିପ୍ରଡକ୍ସନ ନମ୍ବର ବା ବଂଶବୃଦ୍ଧି ହାରକୁ ବୁଝାଇଥାଏ। କିଛି ରାଜ୍ୟରେ କରୋନା ସତର୍କତାର ଖୋଲାଖୋଲି ଉଲ୍ଲଂଘନ ହେବା ଫଳରେ ଏହି ଆର-ଫ୍ୟାକ୍ଟର ବଢ଼ିଛି ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା। ମୁଖ୍ୟତଃ ପବ୍ଲିକ୍ ଟ୍ରାନ୍ସପୋର୍ଟ, ହିଲ୍ ଷ୍ଟେସନ୍ ଓ ହାଟବଜାରରେ ଏହା ଦେଖିବାକୁ ମିଳୁଛି । ଫଳରେ କିଛି ରାଜ୍ୟରେ ଆର-ଫ୍ୟାକ୍ଟର ବଢ଼ିବା ଚିନ୍ତାଜନକ ବିଷୟ।
ଆର-ଫ୍ୟାକ୍ଟର ୧ ଉପରକୁ ଗଲେ, ଏହା କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ସୂଚାଇଥାଏ। ତେଣୁ ଦୋକାନ, ମଲ୍, ମାର୍କେଟ୍, ସାପ୍ତାହିକ ହାଟ, ମଣ୍ଡି, ରେସ୍ତୋରାଁ ଓ ରେଳ ଷ୍ଟେସନ୍ ସହ ଭିଡ଼ ଜମୁଥିବା ସମସ୍ତ ସ୍ଥାନରେ କୋଭିଡ୍ ଗାଇଡ୍ଲାଇନ କଡ଼ାକଡ଼ି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏପରିକି ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ଯେଉଁ ଅଧିକାରୀ ଦାୟିତ୍ୱରେ ଥିବେ ତାଙ୍କୁ ବ୍ୟକ୍ତିଗତ ଭାବେ ଏଥିପାଇଁ ଦାୟୀ କରାଯିବାକୁ ଦର୍ଶାଯାଇଛି।
ରାଜ୍ୟ ସରକାର କୋଭିଡ ସ୍ଥିତି ନେଇ ପ୍ରତି ସପ୍ତାହରେ ସମୀକ୍ଷା କରୁଛନ୍ତି। ରାଜ୍ୟରେ ପଜିଟିଭିଟି ରେଟ କେତେ ରହୁଛି, ହସ୍ପିଟାଲ ଉପରେ କେସ୍ ଲୋଡ କେତେ ରହୁଛି, କେତେ ପ୍ରତିଶତ ବେଡ ପୂରଣ ହେଉଛି, ଟିକାକରଣ ଓ ଟେଷ୍ଟିଂ କିପରି ଚାଲିଛି ତାହାର ସମୀକ୍ଷା କରାଯାଉଛି।
ଅପରପକ୍ଷେ, କିଛି ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ପୁଣି ଥରେ ବଢ଼ୁଥିବାରୁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ତେଣୁ ଏସବୁକୁ ନଜରରେ ରଖି ଆଜି ମୁଖ୍ୟ ଶାସନ ସଚିବ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି।
The post ଅପରାହ୍ନ ୨ଟା୩୦ରେ କହିବେ ମୁଖ୍ୟ ଶାସନ ସଚିବ, କୋଭିଡ କଟକଣା ନେଇ ଆସିପାରେ ନୂଆ ନିୟମ appeared first on Odisha Reporter.
from Odisha Reporter https://ift.tt/3xJDNed
No comments:
Post a Comment