ଯାଜପୁର (ଗୁଲାମ ଗସ): ବର୍ଷେ ତଳେ ବାହା ହୋଇଥିଲେ। ଆଜି ସକାଳେ ଘର ଭିତରୁ ମିଳିଲା ସେମାନଙ୍କ ଝୁଲନ୍ତା ମୃତଦେହ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପ୍ରୀତିପୁର ପଞ୍ଚାୟତର ସୁନ୍ଦରପୁର ଗାଁରେ। ମୃତ ଦମ୍ପତି ହେଲେ ଦୀପକ କୁମାର ନାଥ ଓ ପୂଜାରାଣୀ ନାୟକ।
ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ସେମାନେ (ଦୀପକ ଓ ପୂଜାରାଣୀ) ଖାଇପିଇ ଶୋଇଥିଲେ। କିନ୍ତୁ ଆଜି ସକାଳେ ଉଠି ନଥିଲେ। ଭିତର ପଟୁ ସେମାନଙ୍କ ରୁମ୍ ବନ୍ଦ ଥିଲା। କବାଟ ବାଡ଼େଇଲେ ମଧ୍ୟ ଭିତରୁ କିଛି ପ୍ରତିକ୍ରିୟା ମିଳି ନଥିଲା। ଏହା ପରେ ଝରକା ଫାଙ୍କ ଦେଇ ସେମାନେ ଫ୍ୟାନ୍ରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ପରିବାର ଲୋକେ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଆସିବା ପରେ ଉକ୍ତ ରୁମ୍ର କବାଟ ଭାଙ୍ଗି ଭିତରକୁ ପଶିଥିଲା। ଫ୍ୟାନ୍ରେ ଗୋଟିଏ ଶାଢ଼ିରେ ଦୀପକ ଓ ପୂଜାରାଣୀ ଝୁଲିଥିବା ଦେଖିବାକୁ ମିଳିଥିଲା। ପୁଲିସ୍ର ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଭଳି ଜଣାପଡୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ତଦନ୍ତ ସରିବା ପରେ ପ୍ରକୃତ କଥା ଜଣାପଡ଼ିବ।
ମିଳିଥିବା ସୂଚନା ଅନୁଯାୟୀ, ଦୀପକ ରାଜ୍ୟ ବାହାରେ ଏକ ଘରୋଇ କଂପାନୀରେ କାମ କରୁଥିଲେ। କରୋନା ଓ ଏହା ଜନିତ ଲକ୍ଡାଉନ୍ ଯୋଗୁ ୨ ମାସ ହେଲା ସେ ତାଙ୍କ ଗାଁରେ ଥିଲେ।
The post ଘରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ, ବର୍ଷେ ତଳେ ବାହା ହୋଇଥିଲେ appeared first on Odisha Reporter.
from Odisha Reporter https://ift.tt/3isuucr
No comments:
Post a Comment