ଓଡ଼ିଶାରେ ସ୍ଥାୟୀ ବାତ୍ୟା ନିରୋଧ ସମ୍ଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ଓଡ଼ିଶାରେ ସ୍ଥାୟୀ ବାତ୍ୟା ନିରୋଧ ସମ୍ଭବ

  • ପଞ୍ଚାନନ କାନୁନଗୋ

ପ୍ରମୁଖ ଦୈନିକ ସମ୍ବାଦପତ୍ର ସମାଜର ଗତ ଜୁନ ନ’ ତାରିଖରେ ପ୍ରକାଶିତ ଲେଖା ପାଠକରି କିଛି ପାଠକ ନିଜର ମତାମତ ଚିଠି ଓ ଟେଲିଫୋନ ମାଧ୍ୟମରେ ଜଣାଇଲେ। ସେମାନେ ସାଧାରଣ ପାଠକ ଥିଲେ। ପୂର୍ବଲେଖାଗୁଡ଼ିକ ଅପେକ୍ଷା ଏ ଲେଖାରେ ଅଧିକ ମତାମତ ଆସିଥିଲା। ସେଥିରେ ଚାରି ପାଞ୍ଚଟି ମତରେ ଆଶଙ୍କା ଥିବା ବାରି ହୋଇ ଯାଉଥିଲା। ପ୍ରଶ୍ନ ଭିତରେ ମୁଖ୍ୟତଃ ଥିଲା ଯେ, ଏହା ଏକ ବିରାଟ ପ୍ରକଳ୍ପ – ସରୁ ସରୁ କେତେବର୍ଷ ଲାଗିବ କିଏ କହିବ? ଏଥିରେ ଗୁଡ଼ାଏ ଟଙ୍କା ବ୍ୟୟ ହେବ। କୋଉଠୁ ଆସିବ ଏତେ ଟଙ୍କା? ବଜେଟରେ ଅନ୍ୟାନ୍ୟ ଖର୍ଚ୍ଚ ତ ପୁଣି ଅଛି। ଜଣେ ପାଠକ ଅଧିକ ସଂଶୟ ମନରେ କହି ପକାଇଲେ, ଏହି ଲେଖାଟି ଭଲ ହେଇଛି, ତଥାପି ଅବାସ୍ତବ ଲାଗୁଛି। ଟିକେ ଉପରଠଉରିଆ ଓ ରାଜନୈତିକ ଦୃଷ୍ଟି କୋଣରୁ ହୋଇଥିବା ପରି ମନେ ହୁଏ। ସବୁ ମତାମତ ନିଶ୍ଚୟ ଯଥାର୍ଥ। ମତାମତଗୁଡ଼ିକରୁ ବୁଝାପଡ଼ୁଛି ଯେ, ବୋଧହୁଏ ପାଠକକୁ ବୁଝାଇବାରେ ପୂର୍ବଲେଖାଟି ପୂର୍ଣ୍ଣ ସମର୍ଥ ହୋଇନାହିଁ। ବିଶେଷତଃ ବଡ଼ ପ୍ରକଳ୍ପ, ରାଜ୍ୟର ଆର୍ଥିକ ସ୍ଥିତିକୁ ଲକ୍ଷ୍ୟ କରି ଏହି ଆଶଙ୍କା ପ୍ରକାଶ ପାଇଛି। ଏହା ସତ୍ୟ ଯେ କୌଣସି ଯୋଜନା ସଂପର୍କରେ ବକ୍ତବ୍ୟ ରଖୁଥିବା ଯେ କେହି ବ୍ୟକ୍ତି ଯୋଜନାର ରୂପରେଖ ସହିତ ତା’ର ଆବଶ୍ୟକତା, ସମାପନର କାର୍ଯ୍ୟକାଳ, ସେଥିରେ ହେବାକୁ ଥିବା  ଆନୁମାନିକ ଅଟକଳ ଓ ଯୋଜନା ସଂପୂର୍ଣ୍ଣ ହେଲେ ସେଥିରୁ ଉତ୍ପନ୍ନ ସମସ୍ତ ଲାଭ ତଥା ଆୟ ସଂପର୍କୀତ ସବିଶେଷ ବିବରଣୀ ରଖିବା ଉଚିତ୍। ନ ରଖିଲେ ଏହା କେବଳ ଏକ ରାଜନୈତିକ ସ୍ଲୋଗାନ ବା ସ୍ୱପ୍ନ ବଣ୍ଟନର ରୂପ ନେଇଥାଏ। ଏଣୁ କିଛି ପାଠକଙ୍କ କଥିତ ଯୋଜନା ବ୍ୟୟ ଓ ସେଥିରୁ ମିଳିବାକୁ ଥିବା ଆୟ ଓ ଉପଯୋଗୀତା ସଂପର୍କରେ ଜ୍ଞାତ ହେବାର ଇଚ୍ଛା ନିଶ୍ଚୟ ସ୍ୱଭାବିକ।

ପୂର୍ବ ଲେଖାରେ ଯୋଜନାରେ ଦୁଇଗୋଟି ଉପଯୋଜନାର ସଂଯୋଗୀକରଣ ଯଥା – ତଟବର୍ତ୍ତୀ ସୁଉଚ୍ଚ ସବୁଜ ପ୍ରାଚୀର ଓ ତଟଠାରୁ ୨୦-୨୫ କି.ମି ଦୂରରେ ଗୋଟିଏ ବଡ଼ କେନାଲ ସଂପର୍କରେ ଉଲ୍ଲେଖ ଥିଲା। ରାଜ୍ୟରେ କାର୍ଯ୍ୟରତ ବଡ଼ ବଡ଼ ଶିଳ୍ପ ସଂସ୍ଥା ମଧ୍ୟରେ ସବୁଜ ପ୍ରାଚୀରର ୨ କି.ମି କରି ବାଣ୍ଟି ଦେବା ସହିତ କୋଷ୍ଟ କେନାଲ ଦାୟିତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟର ଅଂଶ ରଖି ସାତ ବର୍ଷିଆ ପ୍ୟାକେଜ ଘୋଷିତ ହେବା ଦରକାର। ପ୍ରଥମ ପ୍ରସ୍ତୁତି ବୃକ୍ଷ ରୋପଣ ଓ ରକ୍ଷଣାବେକ୍ଷଣରେ ତଟବର୍ତ୍ତୀ ପାଞ୍ଚଗୋଟି ବିଶ୍ୱବିଦ୍ୟାଳୟର ଜାତୀୟ  ସେବା ସଂସ୍ଥା, ପର୍ଯ୍ୟାୟ କ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍, ତଟରକ୍ଷା ବାହିନୀ, ଏନ୍.ସି.ସି., ଷ୍କାଉଟ୍ ଗାଇଡ଼ମାନଙ୍କ ସାହାଯ୍ୟରେ କରାଯିବାର ବ୍ୟବସ୍ଥା ହେବା ଦରକାର। ସବୁଜ ପ୍ରାଚୀର କାର୍ଯ୍ୟପାଇଁ ଆବଶ୍ୟକ ଜମି, ଅଧିଗ୍ରହଣ ମୂଲ୍ୟ ଦେବାକୁ ହେବ ନାହିଁ। ତଟବର୍ତ୍ତୀ ଦଶ କିଲୋମିଟର ଚଉଡ଼ାର ସମସ୍ତ ଜମି ସରକାରଙ୍କର। ଏଥିପାଇଁ ସରକାରଙ୍କର ଜଙ୍ଗଲ ବିଭାଗ କେବଳ ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକତା କିଛି ବୃକ୍ଷ ଯୋଗାଇଦେବେ। ଏହି ବୃକ୍ଷ ପ୍ରସ୍ତୁତିରେ ସରକାରଙ୍କର ବଜେଟ ଉପର ଚାପ ରହିବ ନାହିଁ। ଖଣିଖାଦାନ ଅଞ୍ଚଳ ନିମନ୍ତେ ଉଦ୍ଦିଷ୍ଟ ଜିଲ୍ଲା ଉନ୍ନୟନ ଫଣ୍ଡ, ମହାତ୍ମାଗାନ୍ଧୀ ନାରେଗା ମଜୁରୀର ସହାୟତା ନେବେ ଓ ଜଙ୍ଗଲ ପ୍ରସ୍ଥୁତି ପାଇଁ ଥିବା କାମ୍ପା ଫଣ୍ଡ ନିମନ୍ତେ ଥିବା ଅର୍ଥ ବିନିଯୋଗ ହେବ। ନିଷ୍ଠା ଓ ସଂକଳ୍ପର ସହ କାର୍ଯ୍ୟକଲେ ତଥା ଏଥିସହିତ ଇଚ୍ଛାଶକ୍ତି ସଂଯୋଜିତ କଲେ ପ୍ରାଚୀର ପାଞ୍ଚ ବର୍ଷ ମଧ୍ୟରେ ଛିଡ଼ା ହେବ।  ଅନ୍ୟମୁଖ୍ୟ କାର୍ଯ୍ୟଟି ଦୀର୍ଘସ୍ଥାୟୀ କେନ୍ଦ୍ରୀୟ ପ୍ୟାକେଜ୍ କେନ୍ଦ୍ର ଓ ରାଜ୍ୟର ୬୦ –  ୪୦ ଅଂଶ ଭାବରେ ପ୍ରସ୍ତୁତ ହେବ। ରାଜ୍ୟ ପାଇଁ ଉଦ୍ଦିଷ୍ଟ ୪୦ ଭାଗରୁ ଜମି ଅଧିଗ୍ରହଣ ହେବ ଏବଂ ୫ ବର୍ଷ ପାଇଁ ମହାତ୍ମାଗାନ୍ଧୀ ନାରେଗା ଯୋଜନାକୁ ସଂଲଗ୍ନ ପଞ୍ଚାୟତ ସବୁକୁ ସଂପୃକ୍ତ କରାଯାଇ ହୋଇପାରିବ। ଏହି ଅଞ୍ଚଳଟି ବାଲିଆ ମାଟି ଅଞ୍ଚଳ ହୋଇଥିବା ହେତୁ କୋଟି କୋଟି ଦିନର ମଜୁରୀ ସୃଷ୍ଟିକରି ଲକ୍ଷ ଲକ୍ଷ ମଜୁରିଆକୁ ଖଟାଯାଇପାରିବ। ସେମାନେ ଆଉ ଦାଦନ ଖଟିବାକୁ ବାହାରକୁ ଯିବେ ନାହିଁ। ପ୍ରସ୍ତୁତ ହେଉଥିବା ସବୁଜ ବନାନୀ ଭିତରେ ଅଧ ମାଇଲ ଦୂରରେ ଗୋଟିଏ ଗୋଟିଏ ଲମ୍ବା ବାସସ୍ଥଳୀ ରଖି ଏମାନଙ୍କୁ ରଖାଯାଇପାରିବ। ଗଞ୍ଜାମରୁ ଆରମ୍ଭ କରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକବାଲେଶ୍ୱର ଆଦି ଉପକୂଳବର୍ତ୍ତୀ ୩୬ଟି ପଞ୍ଚାୟତକୁ ଏହି କାର୍ଯ୍ୟରେ ଲଗାଯିବ। କିନ୍ତୁ କେନାଲରେ ଥିବା ସମସ୍ତ କଙ୍କ୍ରିଟ କାର୍ଯ୍ୟ ଯଥା ବଡ଼, ଛୋଟ ନଦୀ ଓ ନାଳମାନଙ୍କରେ ଆନିକଟ ଓ ଚେକଡ୍ୟାମ ହେଉଥିବା କେନାଲ ଉପରେ ପୋଲ ନିର୍ମାଣ ଦୁଇ ପାଖରେ ପିଚୁରାସ୍ତା ନିର୍ମାଣ କେନ୍ଦ୍ରୀୟ ଅନୁଦାନ ଅର୍ଥରେ ହିଁ ହେବ। ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏଥିରେ ଖର୍ଚ୍ଚ ହେବ ଓ ବିପର୍ଯ୍ୟୟ ବଣ୍ଡ ସୃଷ୍ଟି କରାଯାଇ ଅର୍ଥ ଯୋଗାଡ଼ ହୋଇପାରିବ।

କୋଷ୍ଟ କେନାଲ ବା ତଟୀୟ ନାଳ ପରିକଳ୍ପନା ବିଦେଶୀ ଶାସକ ଇଂରେଜ ସରକାରଙ୍କ ବେଳେ ହିଁ ଆରମ୍ଭ ହୋଇଥିଲା। ଉତ୍ତରରେ ଦିଘା – ଚନ୍ଦନେଶ୍ୱରଠାରୁ ଆରମ୍ଭ କରି ଦକ୍ଷିଣରେ ଗୋପାଳପୁର ପର୍ଯ୍ୟନ୍ତ ପ୍ରଶସ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଅନେକ ପର୍ଯ୍ୟଟନସ୍ଥଳୀ ଅଛି। ତୀର୍ଥସ୍ଥଳୀ ଓ ମନ୍ଦିର ମାନ ଅଛି, ଗବେଷଣା ଉପଯୋଗୀ କ୍ଷେତ୍ର ଅଛି।  ବିସ୍ତୃତ ପର୍ଯ୍ୟଟନ କ୍ଷେତ୍ର ଅଛି। ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, କୋଣାର୍କ, ରାମଚଣ୍ଡୀ, ମା’ ମଙ୍ଗଳା ମନ୍ଦିରରେ, କନିକାଇ, ଧାମରାଇ ଠାକୁରାଣୀ ଓ  ଚନ୍ଦନେଶ୍ୱର ଇତ୍ୟାଦି ଦେବସ୍ଥଳୀ ଅଛି, ଯେଉଁଠିକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି। ଜାତୀୟତା ଆନେ୍ଦାଳନର ମୁଖ୍ୟ କ୍ଷେତ୍ର ଇଂଚୁଡ଼ି, କୁଜଙ୍ଗ, ଅସ୍ତରଙ୍ଗ ଆଦି ଲବଣ ସତ୍ୟାଗ୍ରହ କ୍ଷେତ୍ର, ପର୍ଯ୍ୟଟନ କ୍ଷେତ୍ର, ଚାନ୍ଦବାଲି, ସାତଭାୟା, ଭିତରକନିକା (ଡାଙ୍ଗମାଳ) ବତୀଘର, ତାଳଚୁଆଁ, ରାମନଗର, ରାମଚଣ୍ଡୀ, ଅଲେଖ ନାହାକାଣୀ, ପେଶୁ, ବଣପାଟିଆ, ଅମରନାଥ ସାତପେଷା, ଗୋପାଳପୁର, ଦେବୀନଦୀ ମୁହାଣ ନିକଟରେ ଥିବା ବନ୍ଦର ଗାଁ, ଆଦି ଅନେକ ଆକର୍ଷଣ ସୃଷ୍ଟିକରି ତୀର୍ଥ ଓ ପର୍ଯ୍ୟଟନ ସ୍ଥଳୀ ଅଛି। କୁମ୍ଭୀର ସାଙ୍କ୍‌ଚୁଆରୀ, କଇଁଚ ସାଙ୍କ୍‌ଚୁଆରୀ ସାଙ୍ଗକୁ ନୀଳ କଙ୍କଡ଼ା କ୍ଷେତ୍ର ମଧ୍ୟ ଗବେଷକମାନଙ୍କୁ ଆକୃଷ୍ଟ କରିଥାଏ। ଅନେକ ଯାଗା ଅଛି ଯେଉଁଠି ପର୍ଯ୍ୟଟକ ନୌକା ଗୃହରେ ଦିନ ଦିନ ଧରି ରହିବାକୁ ଚାହିଁବେ। ପର୍ଯ୍ୟଟନସ୍ଥଳୀ ସାମାନ୍ୟ ସଜାଡ଼ି ଦେଲେ ଦେଶୀ, ବିଦେଶୀ ପର୍ଯ୍ୟଟକମାନେ ଅନେକ ଦିନ ଧରି ରହିବାକୁ ସ୍ଥାନ ପସନ୍ଦ କରିବେ। ପ୍ରତ୍ୟକ୍ଷ, ପରୋକ୍ଷ ନିଯୁକ୍ତି ବଢ଼ିବ।

ଅଧିକନ୍ତୁ ସମୁଦ୍ର ତଟରେ ଟାୱାରମାନ ଗଢ଼ି ଯାତାୟତ କରିବା ନିମନ୍ତେ ରୋପୱେ ତିଆରି କରି ଛୁଆଠାରୁ ବରିଷ୍ଠମାନଙ୍କୁ ଆକୃଷ୍ଟ କରା ଯାଇପାରିବ। କରପୋରେଟ୍ ପ୍ଲେୟାରମାନଙ୍କ ପାଇଁ ଏହି ସୁଯୋଗ ଖୋଲି ରଖିବା ଦରକାର। ସମୁଦ୍ର ତଟଭାଗର ପରିବେଶ ନଷ୍ଟ ନ କରି ଅଧିକ କୋଳାହଳ ବା ଆବର୍ଜନା ସୃଷ୍ଟି ନ କରି ଗୋଟିଏ ଟାୱାରର ଅନ୍ୟ ଟାୱାରକୁ ଯାତ୍ରା କରିହେବ ଓ ସମୁଦ୍ରର ସମସ୍ତ ସୌନ୍ଦର୍ଯ୍ୟ ଉପଭୋଗ କରିହେବ। ଚିଲିକାରେ ଓ ନିର୍ମିତ କେନାଲରେ ନୌବିହାର, ନୌକା-ହୋଟେଲ ରଖାଯାଇପାରିବ। ବିଶ୍ୱ ତମାମ ଧନୀକ ପର୍ଯ୍ୟଟକ ମନୋରଞ୍ଜନ ଓ ଉତ୍ତମ ଜଳବାୟୁ ସନ୍ଧାନରେ ଏଠାକୁ ଆସିବାକୁ ପସନ୍ଦ କରିବେ। ଏହି ସବୁ ଟାୱାର – ହୋଟେଲମାନଙ୍କରେ ଉଚ୍ଚମାନର ଓ ମଧ୍ୟମ ଧରଣର ବିଭିନ୍ନ ବର୍ଗର ଯାତ୍ରୀଙ୍କ ପାଇଁ ଷ୍ଟାର ହୋଟେଲ ପ୍ରସ୍ତୁତ ହେବା ସହିତ ବଜାର ନିମନ୍ତେ ମଲ ଏବଂ ଷ୍ଟଲ ବ୍ୟବସ୍ଥା କରାଯାଇପାରିବ। ତଳେ ବାଲି ହରିଣ ସମେତ ଅନେକ ଜୀବଜନ୍ତୁ ଉପରେ ଦେଶ ବିଦେଶାଗତ ଚଢ଼େଇର ମେଳାକୁ ଉପଭୋଗ କରିହେବ। ଟାୱାର ପଥରେ ଯାତ୍ରା ହେବ। ସବୁଠାରୁ ବଡ଼ କଥା ହେବ ଏହି ପର୍ଯ୍ୟଟନ ଓ ପରିବହନର ସହାୟକ ହେବ କୋଷ୍ଟ କେନାଲ। ସମସ୍ତେ ଜାଣନ୍ତି ପ୍ରକୃତି ଦତ୍ତ ଜଳବାୟୁ ଓ ଭୌଗୋଳିକ ସ୍ଥିତି ଓଡ଼ିଶା ଭୂଖଣ୍ଡ ଆମରାଜ୍ୟ ପାଇଁ ବଡ଼ ସଂପଦ। ତା’ର ଯଥାର୍ଥ ବ୍ୟବହାର ଜାଣି ନଥିବାରୁ ଆମେ ବିପଦରେ ପଡ଼ୁଛେ।

କିଛି ବର୍ଷ ତଳେ ରାଜ୍ୟର ବାର୍ଷିକ ବୃଷ୍ଟିପାତ ୬୦ ଇଞ୍ଚ ଥିଲା। ଜଳବାୟୁରେ ବିଭ୍ରାଟ ଘଟାଇ ଏହା ୫୪/୫୫ ଇଞ୍ଚକୁ ବା ବାର୍ଷିକ ହାରାହାରି ୧୪୦୦ରୁ ୧୫୦୦ ମିଲି ମିଟରରେ ରହିଛି। ଅବଶ୍ୟ ବିକ୍ଷିପ୍ତ ବର୍ଷା ଓ ଅନିୟମିତତା କାରଣରୁ ଗୋଟିଏ ଗୋଟିଏ ଅଞ୍ଚଳରେ ଅତିବୃଷ୍ଟି ଓ ଗୋଟିଏ ଗୋଟିଏ ଅଞ୍ଚଳରେ ଅନାବୃଷ୍ଟି ବା ଅଳ୍ପବୃଷ୍ଟି ହୋଇଥାଏ। ତଥାପି ବର୍ଷକୁ ହାରାହାରି ୨୩୧୦୦ କୋଟି କ୍ୟୁବିକ ମିଟର ବର୍ଷାପାଣି ଭୂମି ଉପରେ ପାଇଥାଉ। ଏହାର କିଛି ଅଂଶ ଜଳୀୟ ବାଷ୍ପ ହୋଇ ଉପରକୁ ଯାଏ ଓ କିଛି ଅଂଶ ମାଟି ତଳକୁ ଯାଇ ଭୂତଳ ଜଳସ୍ତରକୁ ସଂଗଠିତ କରିଥାଏ। ଆଉ ସମସ୍ତ ବର୍ଷକର ପ୍ରବାହିତ ଜଳରାଶି ସମୁଦ୍ରକୁ ଚାଲିଯାଏ, ଯାହା ଏ ରାଜ୍ୟର ଏକ ବୃହତ୍ତର ସଂପଦ। ଏହି ବର୍ଷା କେବଳ ବର୍ଷାଦିନେ ଅର୍ଥାତ୍ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୭୮% ହୋଇଥାଏ ଓ ଅନ୍ୟ ସମୟରେ ମାତ୍ର ୨୨% ହୋଇଥାଏ। ସେଥିମଧ୍ୟରୁ ୫୭% ଜଳ ନଦୀନାଳ ବାଟ ଦେଇ ବର୍ଷାଦିନେ ସମୁଦ୍ରକୁ ବୋହିଯାଇଥାଏ। ଚନ୍ଦନେଶ୍ୱର ଠାରୁ ଗୋପାଳପୁର ମଧ୍ୟରେ ପ୍ରବାହିତ ବଡ଼ନଦୀ ଓ ତା’ର ଶାଖା ନଦୀମାନଙ୍କରେ ସମୁଦ୍ରକୁ ବୋହି ଯାଉଥିବା ଜଳରାଶି, ପରିମାଣ ବର୍ଷକୁ ପାଖାପାଖି ୪୫୦୦ କୋଟି କ୍ୟୁବିକ ମିଟର। ବର୍ଷକୁ ୩୬୦୦ କୋଟି କ୍ୟୁବିକ ମିଟର ଜଳ ସମୁଦ୍ରରେ ନ ପକାଇ ବାନ୍ଧି ରଖାଯାଇପାରିବ। ବଡ଼ କେନାଲରେ ପ୍ରବାହିତ ଜଳ ମୁଖ୍ୟତଃ ଜଳମୁଣ୍ଡରେ ମାଟିତଳେ ବିସ୍ତାର ଲାଭ କରୁଥିବା ଲୁଣପାଣିକୁ ରୋକିବ। କେନାଲଗୁଡ଼ିକର ତଳମୁଣ୍ଡକୁ ପାଣି ମାଡ଼ି ନଥାଏ। ଏହି କୋଷ୍ଟ କେନାଲ ତଳମୁଣ୍ଡରେ ଜଳସେଚନରେ ସାହାଯ୍ୟ କରିବା ସହିତ – ଭୂତଳ ଜଳସ୍ତରକୁ ମଧୁର ପାଣିରେ ଭରି ଦେଇ ପାନୀୟଜଳ ତଥା ଉଠାଜଳସେଚନରେ ସାହାଯ୍ୟ କରିବ।

୧୯୯୮ ମସିହାରେ ବିଜୁ ଜନତା ଦଳ ଇସ୍ତାହାରରେ ରାଜ୍ୟରେ ଅନ୍ତତଃ ଗୋଟିଏ ଫସଲ ପାଇଁ ସବୁ ଚାଷଜମିକୁ ଜଳ ଯୋଗାଇବାର ପ୍ରତିଶୃତି ଦିଆଯାଇଥିଲା। ତାହା ଏପର୍ଯ୍ୟନ୍ତ ୨୨ ବର୍ଷର ଶାସନ କାଳରେ ବି ହୋଇନାହିଁ। ବରଂ ପୂର୍ବରୁ ହେଉଥିବା ଜଳସେଚନର ବ୍ୟବସ୍ଥା କେନାଲ ତଳମୁଣ୍ଡରେ ସଂକୁଚିତ ହୋଇଛି। ଏହି ବଡ଼ କେନାଲ ଦ୍ୱାରା ଅନ୍ତତଃ ଏକ ବିସ୍ତୃତ ଅଂଚଳରେ ତିନି ଫସଲି ଚାଷ ପାଇଁ ଜଳ ଯୋଗାଣ ହୋଇପାରିବ। କେନ୍ଦ୍ର ସରକାରଙ୍କ ‘ସାଗରମାଳା’ ଯୋଜନା ବାସ୍ତବ ରୂପ ଦେବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତି ସେହି ଅର୍ଥକୁ ଏହି କେନାଲ ଖୋଳାଇବା ଓ ଦୁଇ ପାଶ୍ୱର୍ରେ  ଦୁଇ ଥାକିଆ ଦୁଇଟି ପ୍ରଶସ୍ତ ରାସ୍ତା ପ୍ରସ୍ତୁତ କରିବା ଅର୍ଥ ବିନିଯୋଗ କରିବା ଦରକାର। ଅଧିକନ୍ତୁ ଏହା ସମୁଦ୍ରତଟ ପ୍ରଦୂଷଣମୁକ୍ତ ହେବାରେ ସାହାଯ୍ୟ କରିବ। କେନାଲ ଓ ସବୁଜ ପ୍ରାଚୀର ମଧ୍ୟବର୍ତ୍ତୀ ଅଞ୍ଚଳରେ ଚାଷୀମାନେ ଧାନ, ପାନ, ମୀନ ଚାଷ ସମେତ ଫଳ ବଗିଚା ପ୍ରସ୍ତୁତ କରିପାରିବେ। କଳାବଜାରୀ, ଚୋରା ବେପାରୀମାନେ ସମୁଦ୍ର ପଥରେ ପ୍ରବେଶ କରିବାକୁ ସାହାସ କରିବେ ନାହିଁ। ରାବଣ ସ୍ୱର୍ଗଯାତ୍ରାର ନିଶୁଣି ପ୍ରସ୍ତୁତ ଉପାଖ୍ୟାନ ସଂପର୍କରେ ସମସ୍ତେ ସଚେତନ ରହିବା ଦରକାର। ଏହି ଦୁଇ ରାସ୍ତାର ଦୁଇ ପାର୍ଶ୍ୱରେ ଟୋଲଗେଟ୍ ମାଧ୍ୟମରେ ଟୋଲ ଆଦାୟ କରି ସରକାର ତାଙ୍କ ଖର୍ଚ୍ଚର କିଛି ପରିଶୋଧ କରିପାରିବେ। ଲକ୍ଷ ଲକ୍ଷ ରୋଜଗାର ପ୍ରକଳ୍ପ ଆରମ୍ଭ ହେବାଠାରୁ, ଶେଷ ହେବାପରେ ସୃଷ୍ଟି ହେବ। ଓଡ଼ିଶା ଆଉ କେବେବି ତଳସ୍ତରର ରାଜ୍ୟଭାବେ ରହିଥିବା ଅପଖ୍ୟାତି ମୁଣ୍ଡାଇବ ନାହିଁ। ଅନ୍ତତଃ ରାଜ୍ୟ ସରକାର ଏହା ଆଖି ଆଗରେ ରଖି ତୁରନ୍ତ ପ୍ରକଳ୍ପ ପ୍ରସ୍ତୁତ କରିବା ଦରକାର ଓ ନିଜ ଉଦ୍ୟମରେ କାର୍ଯ୍ୟ ଆରମ୍ଭ କରିଦେଇ କେନ୍ଦ୍ର ପାଖରେ ଦାବୀ ଉପସ୍ଥାପନ କଲେ ଚାପ ଅଧିକ ଦୃଢ଼ ହେବ। ଏ ସଂପର୍କରେ ଗୋଟିଏ ଦୃଷ୍ଟାନ୍ତ ଦେବା ଦରକାର। ପାରାଦ୍ୱୀପ ବନ୍ଦରକୁ ଏକ ମେଜର ପୋର୍ଟରେ ପରିଣତ କରିବା ଓ ପରିବହନ ବୃଦ୍ଧି ପାଇଁ ରାଜ୍ୟ ନେତା ବିଜୁବାବୁ କେନ୍ଦ୍ରଠାରେ ଦାବୀ କଲେ ମଧ୍ୟ କେନ୍ଦ୍ରୀୟ ଅନୁଦାନରୁ ବଂଚିତ ହେଲେ। ସେ ନିଜେ କାର୍ଯ୍ୟ ଆରମ୍ଭ କରି କେନ୍ଦ୍ର ହାତରେ ସମର୍ପଣ କଲେ ଓ ଜବାହାରଲାଲ ନେହେରୁ ଓ ଲାଲବାହାଦୁର ଶାସ୍ତ୍ରୀ ବନ୍ଦରର ଉନ୍ନତି କଳ୍ପେ ସମସ୍ତ କାର୍ଯ୍ୟ କଲେ। ଆଜି ପାରାଦ୍ୱୀପ ଦେଶର ଅନ୍ୟତମ ଶ୍ରେଷ୍ଠ ବନ୍ଦର ଭାବେ ପରିଚୟ ସୃଷ୍ଟି କରିଛି।

ଗୋଟିଏ ବଡ଼ ଆଶ୍ଚର୍ଯ୍ୟର କଥା ଦେଖିବାକୁ ମିଳୁଛି ଯେ, କୌଣସି ବୈଷୟିକ ପ୍ରସ୍ତୁତି ଓ ରାଜ୍ୟସ୍ୱାର୍ଥଜନିତ ଲାଭକ୍ଷତିର ହିସାବ ନ ନେଇ ରାଜ୍ୟ ସରକାର କୋଷ୍ଟ ହାଇୱେ ନିର୍ମାଣକୁ କେବଳ ସମର୍ଥନ ଜଣାଉ ନାହାନ୍ତି, ଅଧିକନ୍ତୁ ଏହା ଜଳ ପରିବହନକୁ ସମୃଦ୍ଧ କରିବ ବୋଲି ଯୁକ୍ତି ବାଢ଼ୁଛନ୍ତି। ଏହା କିପରି ହେବ, ଜଣାନାହିଁ। ବରଂ କୋଷ୍ଟ କେନାଲର ଜଳ ପଥରେ ପରିବହନ ସୁଗମ ହେବ। କଣ୍ଟେନର ପରିବହନ ବ୍ୟବସ୍ଥା ଚାଲୁ ହେବ। ଜାତୀୟ ରାଜପଥ ଯେଉଁ ପରିମାଣରେ କ୍ଷତି ଘଟାଇବ ସେହି ପରିମାଣର ବ୍ୟବସାୟିକ ଲାଭ ରାଜ୍ୟ ପାଇଁ ହେବ ନାହିଁ। ସମୁଦ୍ର ପଥର ପରିବହନ କେବଳ ବଡ଼ ବଡ଼ ବେପାରୀ, ଶିଳ୍ପପତି, ଖଣିଜ ସଂପଦ ଲୁଟକାରୀଙ୍କୁ ସହାୟକ ହେବ। ରାଜ୍ୟ ପରିବହନ ମନ୍ତ୍ରୀ ଏହି କୋଷ୍ଟ ହାଇୱେ ସପକ୍ଷରେ ମତାମତ ଦେବା ପୂର୍ବରୁ ବେପାରୀ ପ୍ରୀତି ଓ ରାଜ୍ୟ ପ୍ରୀତି ଭିତରେ ତଉଲିବା ଉଚିତ୍ ଥିଲା।

କେନ୍ଦ୍ର ଓ ରାଜ୍ୟ ସରକାରରେ ଥିବା ଲୋକ ପ୍ରତିନିଧିମାନେ ଅଞ୍ଚଳର ଓ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରିବେ ବୋଲି ଆଶା କରାଯାଏ।

The post ଓଡ଼ିଶାରେ ସ୍ଥାୟୀ ବାତ୍ୟା ନିରୋଧ ସମ୍ଭବ appeared first on Odisha Reporter.



from Odisha Reporter https://ift.tt/2T5d4K9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages