ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ବେଳେ ଚଳିତ ମାସ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଅଧିବେଶନରେ ଅଗଷ୍ଟ ୧୩ରେ ଶେଷ ହେବ। ଏଥିରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି। ସାଧାରଣତଃ ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହୋଇ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୁଏ।
ଜୁଲାଇ ୧୯ରେ ସଂସଦର ମୌସୁମୀ ଅଧିବେଶ ଆରମ୍ଭ ହେବା ପୂର୍ବରୁ ୧୮ରେ ସର୍ବ ଦଳୀୟ ବୈଠକ ବସିବ। ଏହି ବୈଠକରେ ଅଧିବେଶନ କିଭଳି ଚାଲିବ ଏବଂ କେଉଁ କେଉଁ ପ୍ରସଙ୍ଗ ଉଠିବ ତା ଉପରେ ଆଲୋଚନା ହୋଇପାରେ। ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଥିବାରୁ ଅନେକ କମିଟିରେ ସଦସ୍ୟ ଖାଲି ରହିଛି। ଖୁବଶୀଘ୍ର ଖାଲିଥିବା କମିଟି ପଦ ପୂରଣ ହେବ ବୋଲି ବାଚସ୍ପତି କହିଛନ୍ତି।
ଯେଉଁ ସବୁ ବିଲ୍ ମୌସୁମୀ ଅଧିବେଶନରେ ପାରିତ ହେବ ସେ ନେଇ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ଏହି ସମୟରେ ବାପା-ମା ଏବଂ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ପ୍ରସ୍ତାବିତ ଆଇନ, ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଆନ୍ତଃ ନଦୀ ଜଳ ବିବାଦର ସମାଧାନ କମିଟି ଗଠନ ପାଇଁ ବିଲ୍ ଆସିବ ବୋଲି ଜଣାପଡ଼ିଛି।
କୋଭିଡ ପ୍ରୋଟୋକଲ ସହିତ ମୌସୁମୀ ଅଧିବେଶନ ଚାଲିବ। କରୋନା ବେଳେ ମୋଟ୍ ତିନୋଟି ଅଧିବେଶନ ଆୟୋଜିତ ହୋଇଛି। ପୂର୍ବ ଅପେକ୍ଷା ପ୍ରତ୍ୟେକ ଅଧିବେଶନରେ ସାମାନ୍ୟ ଅଧିକ ସାଂସଦ ଉପସ୍ଥିତ ରହିଥିଲେ। ସାଂସଦମାନେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସଂସଦରେ ଉପସ୍ଥିତ ରହିଥିଲେ। ୨୪ ଘଣ୍ଟିଆ ଆରଟିପିସିଆର ସେବା ରହିଛି ବୋଲି ବାଚସ୍ପତି କହିଛନ୍ତି। ତେବେ ସାମ୍ୱାଦିକ ଏବଂ ସାଂସଦଙ୍କ ପାଇଁ ଆରଟିପିସିଆର ପରୀକ୍ଷା ବାଧ୍ୟତାମୂଳକ ନୁହେଁ ବୋଲି ଜଣାପଡ଼ିଛି। ମୋଟ୍ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୩୧୧ ସାଂସଦ ଉଭୟ ଡୋଜ ନେଇଛନ୍ତି। ୨୩ ସାଂସଦ କରୋନା ହୋଇ ଆରୋଗ୍ୟ ହୋଇଥିବାରୁ ଏବେ ତାଙ୍କର ଟିକା ନେବାର ସମୟ ଆସିନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅନ୍ତିମଥର କରୋନା ମହାମାରୀ ପାଇଁ ଶୀତକାଳୀନ ଅଧିବେଶନ ରଦ୍ଦ ହୋଇଥିଲା। ପୂର୍ବ ଅଧିବେଶନ ଶେଷ ହେବା ପୂର୍ବରୁ କରୋନା ପାଇଁ ସଂସଦ ଆଗୁଆ ଶେଷ କରି ଦିଆଯାଇଥିଲା।
The post ମୌସୁମୀ ଅଧିବେଶନରେ ମୋଟ୍ ୧୯ଟି କାର୍ଯ୍ୟ ଦିବସ appeared first on Odisha Reporter.
from Odisha Reporter https://ift.tt/3xEUhUY
No comments:
Post a Comment