ଟୋକିଓ: ଭାରତର ଷ୍ଟାର୍ ମହିଳା ଶଟଲର୍ ପିଭି ସିନ୍ଧୁ ଚଳିତ ଟୋକିଓ ଅଲିମ୍ପିକ୍ସରେ ବିଜୟ ଧାରା ଜାରି ରଖି ପ୍ରି-କ୍ୱାର୍ଟର୍ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ବୁଧବାର ଗ୍ରୁପ୍-ଜେ’ର ଶେଷ ମୁକାବିଲାରେ ସିନ୍ଧୁ ହଂକଂର ଚିଉଙ୍ଗ ଗାନ୍ ୟିଙ୍କୁ ସିଧାସଳଖ ୨୧-୯, ୨୧-୧୬ ଗେମରେ ପରାସ୍ତ କରିଛନ୍ତି। ମୁସାଶିନୋ ଫରେଷ୍ଟ ସ୍ପୋର୍ଟ ପ୍ଲାଜାରେ ଖେଳାଯାଇଥିବା ଏହି ମୁକାବିଲାକୁ ଜିତିବା ପାଇଁ ସିନ୍ଧୁ ୩୦ ମିନିଟ୍ ସମୟ ନେଇଥିଲେ।
ସିନ୍ଧୁ ପ୍ରି-କ୍ୱାର୍ଟରରେ ଡେନମାର୍କର ମିଆ ବ୍ଲିଚଫେଲ୍ଡଙ୍କୁ ଭେଟିବ। ସିନ୍ଧୁ ଓ ବ୍ଲିଚଫେଲ୍ଡ ଏପର୍ଯ୍ୟନ୍ତ ୫ଥର ପରସ୍ପରକୁ ଭେଟିଛନ୍ତି। ଏଥିରେ ସିନ୍ଧୁ ୪-୧ରେ ଆଗୁଆ ରହିଛନ୍ତି। ବ୍ଲିଚଫେଲ୍ଡଙ୍କ ବିପକ୍ଷ ଶେଷ ମ୍ୟାଚରେ ସିନ୍ଧୁ ବିଜୟୀ ହୋଇଥିଲେ।
ଏହି ବିଜୟ ସହ ସିନ୍ଧୁ ଗ୍ରୁପ୍-ଜେ’ରେ ୨ଟି ମ୍ୟାଚରୁ ୪ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସିନ୍ଧୁ ଏପର୍ଯ୍ୟନ୍ତ ଗୋଟିଏ ବି ଗେମ୍ ହାରିନାହାନ୍ତି। ରବିବାର ସିନ୍ଧୁ ସେନିଆ ପୋଲିକାର୍ପୋଭାଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। ଚିଉଙ୍ଗ ଗାନ୍ ୟି’ଙ୍କ ବିପକ୍ଷ ମ୍ୟାଚରେ ସିନ୍ଧୁ ଦମଦାର ଆରମ୍ଭ କରିଥିଲେ। ହାଇଦ୍ରାବାଦର ଷଷ୍ଠ ସିଡ୍ ସିନ୍ଧୁ ନିଜର ଭେରାଇଟୀ ଶଟ୍ ଓ ଗତିରେ ପରିବର୍ତ୍ତନ କରି ଚିଉଙ୍ଗଙ୍କୁ ସମସ୍ୟାରେ ପକାଇଥିଲେ। ଚିଉଙ୍ଗ ନିଜ କ୍ରସ୍ କୋର୍ଟ ରିଟର୍ଣ୍ଣ ଜରିଆରେ କିଛି ପଏଣ୍ଟ ହାସଲ କରିଥିଲେ, କିନ୍ତୁ ହଂକଂର ଏହି ଖେଳାଳି ଜଣକ ସାଧାରଣ ଭୁଲ୍ କାରଣରୁ ସିନ୍ଧୁଙ୍କ ଉପରେ ଚାପ ପକାଇବାରେ ବିଫଳ ହୋଇଥିଲେ।
ସିନ୍ଧୁ ଭଲ ଆରମ୍ଭ କରି ସ୍କୋରକୁ ୬-୨ ଏବଂ ପରେ ୧୦-୩ର ଅଗ୍ରଣୀ ହାସଲ କରିଥିଲେ। ବ୍ରେକ ସୁଦ୍ଧା ସେ ୧୧-୫ରେ ଆଗୁଆ ଥିଲେ। ବ୍ରେକ୍ ପରେ ସିନ୍ଧୁ ନିଜ ଦବଦବା ବଜାୟ ରଖି ନିଜ ଅଗ୍ରଣୀକୁ ୨୦-୯ରେ ପହଞ୍ଚାଇଥିଲେ। ଦ୍ୱିତୀୟ ଗେମରେ ସିନ୍ଧୁଙ୍କୁ କଡ଼ା ଟକ୍କର ଦେଇଥିଲେ ଚିଉଙ୍ଗ୍। ଏକ ସମୟରେ ଗେମ୍ ୮-୮ରେ ବରାବର ଥିଲା। ସିନ୍ଧୁ ଲଗାତର ଆକ୍ରମଣାତ୍ମକ ଶଟ୍ ଖେଳି ୧୯-୧୪ରେ ଆଗୁଆ ହୋଇଥିଲେ। ସିନ୍ଧୁ ନିଜର ଆଟାକିଂ ଖେଳ ଜାରି ଦ୍ୱିତୀୟ ଗେମକୁ ମଧ୍ୟ ଜିତି ନେଇଥିଲେ।
The post ପ୍ରି-କ୍ୱାର୍ଟରରେ ପିଭି ସିନ୍ଧୁ appeared first on Odisha Reporter.
from Odisha Reporter https://ift.tt/3zFJjzd
No comments:
Post a Comment