ଉଦଳା (ମାନସ ପାଣି): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ଶ୍ୱଶୁର ଶ୍ରୀହରି ପଣ୍ଡା ମୁହଁ ଖୋଲିଛନ୍ତି।
ଏହି ମାମଲାରେ ପ୍ରାରମ୍ଭରୁ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ବିଦ୍ୟାଭାରତୀଙ୍କର ସଂପର୍କ ଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ସୌମ୍ୟରଞ୍ଜନଙ୍କ ପରକୀୟା ପ୍ରୀତି କଥା ଉଠିଛି। ଆଉ ଏହି କଥା ଉଠାଇଛନ୍ତି ଖୋଦ୍ ତାଙ୍କ ପତ୍ନୀ ବିଦ୍ୟାଭାରତୀ। ଅନ୍ୟପକ୍ଷରେ ଶ୍ୱଶୁର ଶ୍ରୀହରି ପଣ୍ଡା ଜ୍ୱାଇଁ ସୌମ୍ୟରଞ୍ଜନଙ୍କୁ ଦେବତା ବୋଲି କହିଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି, ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ଭଲ ସଂପର୍କ ଥିଲା। ଝିଅ ଫୋନ୍ କଲେ ସବୁ ଠିକ୍ଠାକ୍ ଚାଲିଛି ବୋଲି କହେ। ସେହିପରି ଜ୍ୱାଇଁ ବି ମୋ ପାଖକୁ ଫୋନ୍ କରନ୍ତି। ଘଟଣାର ୫ ଦିନ ପୂର୍ବରୁ ମୋ ମିସେସ୍ଙ୍କ ପାଖକୁ ଜ୍ୱାଇଁ ଫୋନ୍ କରିଥିଲେ ଓ ଝିଅ ତାଙ୍କର ଖୁବ୍ ଯତ୍ନ ନେଉଛି ବୋଲି କହିଥିଲେ। ସେମାନଙ୍କ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିଲା ବୋଲି ଯେଉଁ କଥା କୁହାଯାଉଛି, ତାହା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।
ସୌମ୍ୟରଞ୍ଜନଙ୍କର ଅନ୍ୟ ଝିଅଙ୍କ ସହିତ ସଂପର୍କ ଥିବା ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଅଭିଯୋଗ କରିଥିବା ବେଳେ ଶ୍ୱଶୁର ଶ୍ରୀହରି ପଣ୍ଡା କହିଛନ୍ତି, ସାମାନ୍ୟ ମନୋମାଳିନ୍ୟ ଥିଲା। ପିଲାଙ୍କ ମଧ୍ୟରେ ସେମିତି ହୁଏ। ସେ ଯେଉଁ ଘଟଣା କଥା କୁହାଯାଉଛି, ତାହାର ସମାଧାନ ପାଞ୍ଚ-ସାତ ଦିନ ଭିତରେ ହୋଇଯାଇଥିଲା। ତା’ପରଠୁ ଆଉ କିଛି ଅସୁବିଧା ନଥିଲା।
ସେ ଆହୁରି କହିଛନ୍ତି ଯେ ଝିଅର ଶ୍ୱଶୁର ଘର ଲୋକେ ଆଦୌ ଖରାପ ଲୋକ ନୁହଁନ୍ତି। ଜ୍ୱାଇଁ ବି ଦେବତା ତୂଲ୍ୟ ଥିଲେ।
ସେହିପରି ଏହି ଘଟଣାରେ ଗଜପତି ଜିଲ୍ଲା ଗୁରାଣ୍ଡି ଥାନାର ମହିଳା ଆଇଆଇସି ମମତା ପଣ୍ଡାଙ୍କ ନାଁ ଉଠିଥିବା ବେଳେ ଶ୍ରୀହରି ପଣ୍ଡା କହିଛନ୍ତି ଯେ ସେ ଜଣେ ଦୂର ସଂପର୍କୀୟ। ସେ କପ୍ତିପଦାର ବୋହୂ। ତାଙ୍କ ସହିତ ସେମାନଙ୍କର ଦେଖାସାକ୍ଷାତ ବି କେବେ ହୋଇନି। ସୌମ୍ୟରଞ୍ଜନ ପୋଡ଼ି ହେବା ଖବର ପାଇବା ପରେ ଝିଅକୁ ସାନ୍ତ୍ୱନା ଦେବାକୁ କେହି ଜଣେ ଚିହ୍ନାପରିଚିତ ଲୋକ ସେଠାରେ ପହଞ୍ଚୁ ବୋଲି ଆମେ ଚାହୁଁଥିଲୁ। ତେଣୁ ଫୋନ୍ ନମ୍ବର ଯୋଗାଡ଼ କରି ତାଙ୍କ (ମମତା ପଣ୍ଡାଙ୍କ) ସହିତ ଯୋଗାଯୋଗ କରିଥିଲୁ।
ଅନ୍ୟପକ୍ଷରେ ବିଦ୍ୟା ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ଯେ ସୌମ୍ୟଙ୍କର ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ତାଙ୍କୁ ଲୁଚି ଲୁଚି ଫୋନ୍ କରୁଥିଲେ। ତାଙ୍କୁ ମୋବାଇଲ୍ରେ ଆଇ ଲଭ ୟୁ ଲେଖି ମେସେଜ୍ ପଠାଉଥିଲେ। ଏମିତିକି ସୌମ୍ୟ ତାଙ୍କ ମୋବାଇଲ୍କୁ ସବୁ ବେଳେ ପାସ୍ୱାର୍ଡ ଦେଇ ଲକ୍ କରି ରଖୁଥିଲେ। ହ୍ୱାଟସଆପ୍ ଚାର୍ଟ ଓ କଲ୍ ହିଷ୍ଟ୍ରି ସବୁ ଡିଲିଟ କରି ଦେଉଥିଲେ। ତଥାପି ସ୍ୱାମୀଙ୍କ ସହିତ ତାଙ୍କ ଭଲ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି।
The post ସ୍ତ୍ରୀ ଉଠାଇଲେ ସୌମ୍ୟଙ୍କ ପରକୀୟା ପ୍ରୀତି କଥା; ଶ୍ୱଶୂର କହିଲେ, ଜ୍ୱାଇଁ ମୋର ଦେବତା appeared first on Odisha Reporter.
from Odisha Reporter https://ift.tt/3zhfnsO
No comments:
Post a Comment