- ୧୦୦ ଦିନରେ ଲକ୍ଷ୍ୟ ପୂରଣ କରିବାକୁ ସରକାର ଟାର୍ଗେଟ କରିଥିଲେ
- ୧୦ ମାସ ପରେ ବି ଲକ୍ଷ୍ୟ ପୂରଣ କରିବାରେ ଜଳ ଶକ୍ତି ମନ୍ତ୍ରାଳୟ ବିଫଳ
- ୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦% ଟ୍ୟାପ ପାଣି ସଂଯୋଗ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅକ୍ଟୋବର ମାସରେ ଜଳ ଜୀବନ ମିଶନ (ଜେଜେଏମ୍) ଆରମ୍ଭ କରିଥିଲା। ଯାହାର ଲକ୍ଷ୍ୟ ରହିଥିଲା ୧୦୦ ଦିନରେ ଟ୍ୟାପ ପାଣି ସଂଯୋଗ। ଶିକ୍ଷାନୁଷ୍ଠାନକୁ ଟ୍ୟାପ ପାଣି ସଂଯୋଗ କରିବାକୁ ସରକାର ଏହି ମିଶନରେ ଲକ୍ଷ୍ୟ ରଖିଥିଲେ। ହେଲେ ୧୦ ମାସ ପରେ ବି ଲକ୍ଷ୍ୟ ପୂରଣ ହୋଇନି। ୩୫ ପ୍ରତିଶତ ସ୍କୁଲ ଏବଂ ଅଙ୍ଗନବାଡିରେ ଏବେ ବି ଟ୍ୟାପ ପାଣି ସଂଯୋଗ ହୋଇପାରିନି। ମୋଟାମୋଟି ଭାବରେ ୧୦ ମାସ ପରେ ବି ଜଳ ଶକ୍ତି ମନ୍ତ୍ରାଳୟ ଶତ ପ୍ରତିଶତ ଟ୍ୟାପ ପାଣି ସଂଯୋଗ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି।
ମାର୍ଚ୍ଚ ମାସରେ ଦାଖଲ ହୋଇଥିବା ଏହି ରିପୋର୍ଟକୁ ନେଇ ସଂସଦୀୟ କମିଟି ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ସେଭଳି ଆଖି ଦୃଶିଆ ଉନ୍ନତୀ ଘଟିନି। କୋଭିଡ ସଂକ୍ରମଣ ପରେ ସ୍କୁଲ ଖୋଲିବ ତେଣୁ ସ୍କୁଲ ଓ ଅଙ୍ଗନବାଡିରେ ଟ୍ୟାପ ପାଣି ଶତ ପ୍ରତିଶତ ସଂଯୋଗ ହେବା ଦରକାର ବୋଲି ସେତେବେଳେ ସଂସଦୀୟ କମିଟି କହିଥିଲେ।
ସାରା ଦେଶରେ ଏବେ ବି କୋଭିଡ ସଂକ୍ରମଣ ରହିଛି। କୋଭିଡକୁ ଦୂରେଇବା ପାଇଁ ହେଲେ ପରିମଳ ବ୍ୟବସ୍ଥା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି। ଏସବୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନକୁ ଟ୍ୟାପ ପାଣି ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସ୍କୁଲ, ଅଙ୍ଗନବାଡି, ବାଳାଶ୍ରମ ଆଦିରେ ଥିବା ରୋଷେଇ ଘର, ଶୌଚାଳୟ ଏବଂ ବାହାରେ ଟ୍ୟାପ ପାଣି ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।
ରବିବାର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଟ୍ୱିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଶିକ୍ଷାନୁଷ୍ଠାନରେ ଟ୍ୟାପ ପାଣି ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏବେ ଦେଶର ୬୬ ପ୍ରତିଶତ ସ୍କୁଲ ଏବଂ ୬୦ ପ୍ରତିଶତ ଅଙ୍ଗନବାଡିରେ ପାଣି ପାଇପ ସଂଯୋଗ ହୋଇଛି। ୧୦ ମାସ ମଧ୍ୟରେ ଜଳ ଜୀବନ ମିଶନ ଜରିଆରେ ଏହି ପାଣି ପାଇବ ସଂଯୋଗ ହୋଇଛି।
ତେବେ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ଅକ୍ଚୋବର ୨ରେ କେନ୍ଦ୍ର ସରକାର ଏହି ଜଳ ଜୀବନ ମିଶନ ଆରମ୍ଭ କରିଥିଲେ। ଏହା ପୂର୍ବରୁ ୪୦ ପ୍ରତିଶତ ସ୍କୁଲ ଏବଂ ଅଙ୍ଗନବାଡିରେ ଟ୍ୟାପ ପାଣି ସଂଯୋଗ ହୋଇଥିଲା। ଲକ୍ଷ୍ୟ ପୂରଣ ହୋଇନପାରିବା ନେଇ ଜଳ ଶକ୍ତି ମନ୍ତ୍ରାଳୟ ସଂସଦୀୟ ପ୍ୟାନେଲକୁ କହିଛି ଯେ କିଛି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ କହିଛନ୍ତି ଯେ କାମ ଶେଷ କରିବାକୁ ସେମାନଙ୍କୁ ଅଧିକ ସମୟ ଆବଶ୍ୟକ। ପରେ ୧୦୦ ଦିନର ଏହି ଅଭିଯାନକୁ ମାର୍ଚ୍ଚ ୩୧,୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ହେଲେ ମାର୍ଚ୍ଚ ମାସର ପ୍ରାୟ ଚାରି ମାସ ପରେ ଏପର୍ଯ୍ୟନ୍ତ ଜଳ ଶକ୍ତି ମନ୍ତ୍ରାଳୟ ଲକ୍ଷ୍ୟ ହାସଲ କରିପାରି ନାହିଁ। ସରକାରୀ ତଥ୍ୟ ଅନୁଯାୟୀ କେବଳ କେରଳରେ ୫୦ ହଜାର ସ୍କୁଲ ଏବଂ ୪୦ ହଜାର ଅଙ୍ଗନୱାଡିରେ ଟ୍ୟାପ୍ ୱାଟର ଯୋଡି ହୋଇଛି। ଯାହାକି ଏହି ଅଭିଯାନ କେତେ ଧିମା ଦର୍ଶାଇଛି। ରବିବାର ମନ୍ତ୍ରଣାଳୟ ଉଲ୍ଲେଖ କରିଛି ଯେ କୋଭିଡ-୧୯ ମହାମାରୀ ଏବଂ ଲକଡାଉନ୍ ପାଇଁ କାମରେ ବାଧା ସୃଷ୍ଟି ହୋଇଛି।
ଏବେ ସୁଦ୍ଧା ନଅଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ଆନ୍ଧ୍ରପ୍ରଦେଶ, ଗୋଆ, ଗୁଜୁରାଟ, ହରିଆଣା, ହିମାଚଳ ପ୍ରଦେଶ, କେରଳ, ପଞ୍ଜାବ, ସିକ୍କିମ, ତାମିଲନାଡୁ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ) ୧୦୦% ଟ୍ୟାପ ପାଣି ସଂଯୋଗ ହୋଇସାରିଛି। ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୧୫% ରୁ କମ୍ ସ୍କୁଲ ଏବଂ ୧୦% ରୁ କମ୍ ଅଙ୍ଗନୱାଡିରେ ଟ୍ୟାପ୍ ଜଳ ସଂଯୋଗ ହୋଇଛି। ଅନ୍ୟପକ୍ଷରେ ୟୁପିରେ କିନ୍ତୁ ଏହି ଦିଗରେ ଉଲ୍ଲେଖନୀୟ ଉନ୍ନତୀ ଘଟିଛି। ଅଭିଯାନ ପୂର୍ବରୁ ମାତ୍ର ୧୩,୪୦୦ ସ୍କୁଲରେ ଟ୍ୟାପ ପାଣି ସଂଯୋଗ ଥିଲା। ଏବେ ଏହା ବୃଦ୍ଧି ପାଇ ୧ ଲକ୍ଷରୁ ଅଧିକ ରହିଛି। ୮୦ ପ୍ରତିଶତରୁ ଅଧିକ ସ୍କୁଲକୁ ପାଣି ସଂଯୋଗ ହୋଇନି।
The post ଏବେ ବି ୩୫% ସ୍କୁଲ ଏବଂ ଅଙ୍ଗନବାଡିକୁ ସଂଯୋଗ ହୋଇନି ଟ୍ୟାପ ପାଣି appeared first on Odisha Reporter.
from Odisha Reporter https://ift.tt/3rBsl27
No comments:
Post a Comment