ନୂଆଦିଲ୍ଲୀ: ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ୱେଭ ଦେଶରେ ବ୍ୟାପିବା ପୂର୍ବରୁ ରୋକିବାକୁ ପଡ଼ିବ। ଏଥିପାଇଁ ରାଜ୍ୟ ସରକାର ଗୁଡ଼ିକ ୪-ଟି ଉପରେ କାମ କରିବା ଦରକାର ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଆଜି ଶ୍ରୀ ମୋଦି ଓଡ଼ିଶା, ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତି ନେଇ ସମୀକ୍ଷା କରିଥିଲେ। ଏହି ସମୟରେ ମୋଦି କହିଛନ୍ତି ଯେ ତୃତୀୟ ୱେଭକୁ ରୋକିବା ଆମ ସମସ୍ତଙ୍କର ପ୍ରଥମ ଦାୟିତ୍ୱ। କେନ୍ଦ୍ର ସରକାର ଜାରି କରିଥିବା ୪ଟି-ଟେଷ୍ଟ, ଟ୍ରାକ, ଟ୍ରିଟ ଓ ଟିକା ଉପରେ ସମସ୍ତଙ୍କୁ ଫୋକସ କରିବାକୁ ପଡ଼ିବ।
ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ତୃତୀୟ ୱେଭକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଜରୁରୀ। ଆପଣମାନେ ଭଲ ଭାବେ ଏହାର ଗୁରୁତ୍ୱ ସମ୍ପର୍କରେ ଜାଣିଛନ୍ତି। ତେଣୁ ଏହାକୁ ପାଳନ କରିବାକୁ ହେବ। ୟୁରୋପ ଓ ଏସିଆର କିଛି ଦେଶରେ ସଂକ୍ରମଣ ପୁଣି ବଢ଼ୁଛି। ଏହା ଆମ ପାଇଁ ସତର୍କ ଘଣ୍ଟି। ଏହାକୁ ଆମେ ହାଲୁକା ଭାବେ ଆଦୌ ନେବା ନାହିଁ ବୋଲି ମୋଦି କହିଛନ୍ତି।
ଟେଷ୍ଟିଂ ବୃଦ୍ଧି କରିବାକୁ ମୋଦି ପରାମର୍ଶ ଦେଇ କହିଛନ୍ତି, ସ୍ଥିତି ଯଦି ନିୟନ୍ତ୍ରଣ ବାହାରକୁ ଚାଲିଯିବ, ତା’ହେଲେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ଆରଟି-ପିସିଆର ଟେଷ୍ଟକୁ ବୃଦ୍ଧି କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ହିଁ ଆମେ ସଂକ୍ରମଣକୁ ରୋକିପାରିବା। ଗ୍ରାମାଞ୍ଚଳ ପ୍ରତି ଅଧିକ ଧ୍ୟାନ ଦେବାକୁ ମଧ୍ୟ ମୋଦି କହିଛନ୍ତି। ଏଥିସହ ସାର୍ବଜନୀନ ସ୍ଥାନରେ ଯେମିତି ଭିଡ଼ ନହେବ, ସେଥିପାଇଁ ମଧ୍ୟ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି।
ଦ୍ୱିତୀୟ ୱେଭ ବେଳେ ଅମ୍ଳଜାନର ଅଭାବ ଦେଖା ଯାଇଥିଲା। ଏଭଳି ସ୍ଥିତି ପୁଣି ଯେମିତି ନ ଉପୁଜିବ ତା’ ଉପରେ ଗୁରୁତ୍ୱ ଦେବାକୁ ମୋଦି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟକୁ ଅନୁମତି ଦେଇଛନ୍ତି। ୧୫/୨୦ ଦିନ ଭିତରେ ଏହା ଯେମିତି ପ୍ରତିଷ୍ଠା ହୋଇପାରିବ, ସେଥିପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଉ। ଏହାକୁ ଏକ ମିଶନ ଭାବେ ନେଇ ସମସ୍ତେ ଆଗକୁ ବଢ଼ିବା ଦରକାର ବୋଲି ମୋଦି କହିଛନ୍ତି।
ସୂଚନାଯୋଗ୍ୟ, ଆଜି ମୋଦି ଯେଉଁ ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛି ସେଠାରୁ ଦୈନିକ ମୋଟ ସଂକ୍ରମଣର ୮୦% ଲୋକ ଚିହ୍ନଟ ହେଉଛନ୍ତି। ସେହିପରି ଦେଶର ମୋଟ ମୃତ୍ୟୁସଂଖ୍ୟାରୁ ୮୪% ଏହି ୬ ରାଜ୍ୟରୁ ରେକର୍ଡ କରାଯାଉଛି।
The post କରୋନାର ୩ୟ ୱେଭ ରୋକିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ୪-ଟିର ମନ୍ତ୍ର ଦେଲେ ମୋଦି appeared first on Odisha Reporter.
from Odisha Reporter https://ift.tt/36DmqzQ
No comments:
Post a Comment