ଲକ୍ଷ୍ନୌ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଗଡ଼ ରାଏବରେଲୀରେ ବେଶ ଚତୁରତାର ସହ ବଡ଼ ପଦକ୍ଷେପ ନିଆଯାଇଛି। ସୋନିଆଙ୍କୁ ହଟାଇ ଆମେଥି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ରାଏବରେଲୀର ଜିଲ୍ଲା ବିକାଶ ସଂଯୋଜକ ଓ ମନିଟରିଂ କମିଟି (ଦିଶା)ର ଅଧ୍ୟକ୍ଷ କରି ଦିଆଯାଇଛି।
ଏପରି ପଦକ୍ଷେପ ବେଶ ଚତୁରତାର ସହ କରାଯାଇଥିବାରୁ ଆଗକୁ ରାଜନୀତିକ ବାକଯୁଦ୍ଧ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ରାଏବରେଲୀର ସାଂସଦ ସୋନିଆ ଗାନ୍ଧି ହୋଇଥିବା ବେଳେ କେମିତି ସ୍ମୃତି ଇରାନୀଙ୍କୁ ଦିଶାର ଅଧ୍ୟକ୍ଷ କରାଗଲା, ତା’କୁ ନେଇ ପ୍ରଶ୍ନ ଉଠିଛି।
ନିୟମ ଅନୁସାରେ, ଜଣେ ନିର୍ବାଚିତ ସାଂସଦଙ୍କୁ ଦିଶାର ଅଧ୍ୟକ୍ଷ ଭାବେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ନିଯୁକ୍ତି ଦେଇଥାଏ। ବିଭିନ୍ନ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେଉଛନ୍ତି କି ନାହିଁ, ତା’ ଉପରେ ନଜର ରଖିବା ପାଇଁ ଏହି କମିଟି ଗଠନ କରାଯାଇଛି। ଆମେଥିର ଦିଶାର ଅଧ୍ୟକ୍ଷ ଭାବେ ପୂର୍ବରୁ ସ୍ମୃତି ଇରାନୀ କାର୍ଯ୍ୟ କରୁଛନ୍ତି। ହେଲେ ଏବେ ତାଙ୍କୁ ପଡ଼ୋଶୀ ରାଏବରେଲୀର ଦାୟିତ୍ୱ ମଧ୍ୟ ଦିଆଯାଇଛି।
ରାଏବରେଲୀର ଜିଲ୍ଲା ମାଜିଷ୍ଟ୍ରେଟ ବୈଭବ ଶ୍ରୀବାସ୍ତବ କହିଛନ୍ତି, ରାଏବରେଲୀର ସାଲୋନ ବ୍ଲକ ଆମେଥି ଅଧୀନରେ ଆସୁଛି। ଏହି କାରଣରୁ ଆମେଥି ସାଂସଦ ସ୍ମୃତି ଇରାନୀଙ୍କୁ ଦିଶାର ଅଧ୍ୟକ୍ଷ କରାଯାଇଛି। କ’ଣ ଜଣେ ସାଂସଦ ଦୁଇଟି ଜିଲ୍ଲା ପୋଷ୍ଟରେ କାମ କରିପାରିବେ କି ପ୍ରଶ୍ନରେ ସେ କୌଣସି ଉତ୍ତର ଦେଇନାହାନ୍ତି।
ଜିଲ୍ଲାରୁ ନିର୍ବାଚିତ ହୋଇଥିବା ସାଂସଦ ହିଁ ଦିଶା କମିଟିର ଅଧ୍ୟକ୍ଷ ହୋଇପାରିବେ। ଯଦି ଜିଲ୍ଲାରୁ ଦୁଇ ଜଣ ସାଂସଦ ନିର୍ବାଚିତ ହେଉଛନ୍ତି, ତା’ହେଲେ ଏଭଳି କ୍ଷେତ୍ରରେ ବରିଷ୍ଠ ସାଂସଦ ଜଣଙ୍କ ଦିଶା ଅଧ୍ୟକ୍ଷ ହେବେ। ୨୦୦୪ରୁ ସୋନିଆ ରାଏବରେଲୀରୁ ସାଂସଦ ହେଉଛନ୍ତି। କିନ୍ତୁ ସ୍ମୃତି ଇରାନୀ ୨୦୧୯ ଲୋକସଭା ନିର୍ବାଚନରେ ହିଁ ଆମେଥିରୁ ରାହୁଲ ଗାନ୍ଧିଙ୍କୁ ହରାଇଥିଲେ। ତେଣୁ ସୋନିଆ ହିଁ ବରିଷ୍ଠ ସାଂସଦ।
The post ସୋନିଆଙ୍କ ଗଡ଼ରେ ସ୍ମୃତି ଇରାନୀଙ୍କୁ ଗୁରୁ ଦାୟିତ୍ୱ appeared first on Odisha Reporter.
from Odisha Reporter https://ift.tt/3ifE7e7
No comments:
Post a Comment