ମୁମ୍ବାଇ: ଭାରତୀୟ ସିନେମାରେ ହରର ସାମ୍ରାଜ୍ୟ ସୃଷ୍ଟି କରିବାରେ ସଫଳ ହୋଇଥିବା ରାମସେ ବ୍ରଦର୍ସର ବଡ଼ ଭାଇ କୁମାର ରାମସେଙ୍କ ଦେହାନ୍ତ ହୋଇଛି। ରାମସେ ବ୍ରଦର୍ସଙ୍କ ମଧ୍ୟରେ ସବୁଠାରୁ ବଡ଼ ଭାଇ ହେଉଛି କୁମାର। ହୃଦଘାତରେ ସେ ପ୍ରାଣ ହରାଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।
କୁମାର ଅନେକ ଫିଲ୍ମ ପାଇଁ ସ୍କ୍ରିପ୍ଟ ଲେଖିଥିଲେ। ୧୯୮୪ରେ ରିଲିଜ ହୋଇଥିବା ପୁରୁଣା ମନ୍ଦିର, ୧୯୮୯ର ସାୟା ଓ ୧୯୮୯ର ଖୋଜ ହେଉଛି ତାଙ୍କ ଶ୍ରେଷ୍ଠ ଫିଲ୍ମ ମଧ୍ୟରୁ ଅନ୍ୟତମ।
କୁମାର ରାମସେ ଆଜି ସକାଳୁ ମୁମ୍ବାଇ ସ୍ଥିତ ହୀରନନ୍ଦାନୀ ସ୍ଥିତି ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ବଡ଼ ପୁଅ ଗୋପାଲ ସୂଚନା ଦେଇଛନ୍ତି। ହୃଦଘାତ ଯୋଗୁ ଆଜି ଭୋର ୫.୩୦ରେ କୁମାର ରାମସେଙ୍କ ଦେହାନ୍ତ ହୋଇଛି। କୁମାର ତାଙ୍କ ପତ୍ନୀ ଶୀଲା ଓ ୩ ପୁଅ ରାଜ, ଗୋପାଲ ଓ ସୁନୀଲଙ୍କ ସହ ରହୁଥିଲେ।
ରାମସେ ବ୍ରଦର୍ସଙ୍କ ବାପା ଫେତେଚାନ୍ଦ ୟୁ ରାମସିଙ୍ଘାନୀ ପାକିସ୍ତାନର କରାଚୀରେ ଗୋଟିଏ ଦୋକାନ ଚଳାଉଥିଲେ। ଦେଶ ବିଭାଜନ ପରେ ସେ ପରିବାର ସହ ମୁମ୍ବାଇ ଚାଲି ଆସିଥିଲେ। ଏହାପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ଆରମ୍ଭ କରିଥିଲେ। ରାମସିଙ୍ଘାନୀରୁ ସେ ରାମସେ ନାଁକୁ ବଦଳି ଯାଇଥିଲେ। ସହିଦ-ଇ-ଆଜମ ଭଗତ ସିଂହ, ରୁଷତ୍ତୋମ ସୋହରାବ ଭଳି ଫିଲ୍ମ ହିଟ୍ ହେବାରୁ ସେ ତାଙ୍କର ୭ ଜଣ ଯାକ ପୁଅଙ୍କୁ ସନେମା ବ୍ୟବସାୟକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ।
ଫିଲ୍ମ ପ୍ରଡକ୍ସନ କାମ ଗୁଡ଼ିକ ଭାଇମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ସେମାନଙ୍କ ମା’ ଓ ପତ୍ନୀମାନେ ପ୍ରଡକ୍ସନ ହାଉସରେ କାମ କରୁଥିବା ସଦସ୍ୟଙ୍କୁ ରାନ୍ଧି ଖାଇବାକୁ ଦେବା ସହ ମେକ-ଅପ୍ କାମ କରୁଥିଲେ। ସମସ୍ତେ ମିଳିମିଶି ପରିବାରର ବ୍ୟବସାୟକୁ ଆଗକୁ ନେଇଥିଲେ।
୧୯୭୦ ମସିହାରେ ସେମାନଙ୍କର ଫିଲ୍ମ ଏକ ନହ୍ନି ମୁନ୍ନି ସି ଲଡକୀକୁ ଦର୍ଶକଙ୍କ ଭଲ ପାଇବା ମିଳିବାରୁ ରାମସେ ବ୍ରଦର୍ସ ଭାରତୀୟ ସିନେମାରେ ହରରକୁ ଯୋଡ଼ିବା ଆରମ୍ଭ କରିଥିଲେ। ୧୯୭୦-୧୯୮୦ ଦଶକରେ ସେମାନେ ଗୋଟିଏ ପରେ ଗୋଟିଏ ହରର ଫିଲ୍ମ ତିଆରି କରିଥିଲେ।
୨୦୧୯ ମସିହାରେ ରାମସେ ବ୍ରଦର୍ସଙ୍କ ମଧ୍ୟରୁ ଶ୍ୟାମଙ୍କ ଦେହାନ୍ତ ହୋଇଥିଲା। ସେ ଦେଶର ପ୍ରଥମ ହରର ଶୋ’ ଦି ଜି ହରର ଶୋ’ ତିଆରି କରିଥିଲେ। ୭ ରାମସେ ବ୍ରଦର୍ସ ହେଲେ କୁମାର, ତୁଲସୀ, ଶ୍ୟାମ, କେଶୁ, କିରନ, ଗାଙ୍ଗୁ ଓ ଅର୍ଜୁନ।
The post ରାମସେ ବ୍ରଦର୍ସର ବଡ଼ ଭାଇ କୁମାରଙ୍କ ଦେହାନ୍ତ appeared first on Odisha Reporter.
from Odisha Reporter https://ift.tt/3jV40CK
No comments:
Post a Comment