ନୂଆଦିଲ୍ଲୀ: ପ୍ରାୟ ୩୦୦ ବିଶିଷ୍ଟ ଭାରତୀୟଙ୍କ ଗତିବିଧି ଉପରେ ଗୁପ୍ତରେ ନଜର ରଖିଛନ୍ତି ଭାରତ ସରକାର। ଏହି କାର୍ଯ୍ୟ ପାଇଁ ଇସ୍ରାଏଲ୍ ସଂସ୍ଥା ଏନଏସଓର ସ୍ପାଇୱେୟାର ପେଗାସସ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏ ବାବଦରେ ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ କରାଯାଇଛି। ଇସ୍ରାଏଲର ଏନଏସଓ ସଂସ୍ଥା କେବଳ ବିଭିନ୍ନ ସରକାରଙ୍କୁ ହିଁ ପେଗାସସ୍କୁ ସ୍ପାଇୱେୟାର ବିକ୍ରି କରିଥାଏ। ଗତ ସନ୍ଧ୍ୟାରେ ଆମ୍ନେଷ୍ଟି ଇଣ୍ଟରର୍ନେସନାଲ ଓ ଫ୍ରାନ୍ସର ଏକ ଅଣଲାଭକାରୀ ଗଣମାଧ୍ୟମ ଫର୍ବିଡିନ୍ ଷ୍ଟୋରିଜ୍ରେ ଏହି ତଥ୍ୟ ପ୍ରକାଶ ପାଇଛି।
ଏହି ରିପୋର୍ଟ ଅନୁସାରେ ଭାରତର ଦୁଇ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ ଜଣ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍ ଜରିଆରେ ଗୁଇନ୍ଦାଗିରି କରାଯାଉଛି। ଏମାନଙ୍କ ବ୍ୟତିତ ସରକାରଙ୍କ ଗୁପ୍ତ ନଜରରେ ଥିବା ଅନ୍ୟ କେତେକଙ୍କ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି କେତେ ଜଣ ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମ କୋର୍ଟ ବିଚାରପତି। ଏହି ବ୍ୟକ୍ତିମାନଙ୍କ ଫୋନ୍ ତଥ୍ୟ ଖୋଳିତାଡ଼ି ବାହାର କରିବାର କୌଶଳ ହେଉଛି ପେଗାସସ୍। ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଫୋନ୍ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍ସଆପ୍ ଚ୍ୟାଟ୍, ଫେସ୍ବୁକ୍ ଅପଡେଟ୍ ଆଦି ବହୁ ତଥ୍ୟ ଫୋନ୍ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍ ସ୍ପାଇୱୟାର୍ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। ଏହିପରି ଭାବେ ପେଗାସସ୍ ବିଶ୍ୱର ବହୁ ଲୋକଙ୍କର ଫୋନ୍ ତଥ୍ୟ ହାସଲ କରିଥିବା ଆମ୍ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍ ଷ୍ଟୋରିଜ୍ ଦାବି କରିଛନ୍ତି। ଏହି ଦୁଇ ସଂସ୍ଥା ସହିତ ଆଉ କେତେକ ସଂସ୍ଥା ମିଶି ପେଗାସସ୍ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳେଇଥିଲେ। ଅନୁସନ୍ଧାନର ଲକ୍ଷ୍ୟଥିଲା ପେଗାସସ୍ କେଉଁମାନଙ୍କ ବିରୋଧରେ ଗୁଇନ୍ଦାଗିରି କରୁଛି ତାହା ଲୋକଲୋଚନକୁ ଆଣିବା। ଏହି ପ୍ରକଳ୍ପରେ ସାମିଲ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହେଲେ ଆମେରିକାର ୱାଶିଂଟନ୍ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର। ଏହି ପ୍ରକଳ୍ପରୁ ମିଳିଥିବା ସୂଚନା ଅନୁସାରେ ବିଶ୍ୱର ସହସ୍ରାଧିକ ଫୋନ୍ ନମ୍ବର ଉପରେ ପେଗାସସ୍ କାର୍ଯ୍ୟ କରୁଛି। ସେଥିରୁ କେଉଁ କେଉଁ ଫୋନ୍ର ତଥ୍ୟ ପେଗାସସ୍ ଚୋରେଇ ନେଇଛି ବା ହ୍ୟାକ୍ କରିଛି ତାହା ଜାଣିବାକୁ ହେଲେ ସେସବୁ ଫୋନ୍ ଓ ପେଗାସସ୍ ତଥ୍ୟର ଡିଜିଟାଲ୍ ଫୋରେନ୍ସିକ ଯାଞ୍ଚ ଦରକାର। ତେବେ ତଦନ୍ତ ସମୟରେ ଏଭଳି ୩୭ ଫୋନ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ଏହି ଫୋନ୍ ମଧ୍ୟରେ ଭାରତର ୯ଟି ଆଇଫୋନ୍ ଓ ଗୋଟିଏ ଆଣ୍ଡ୍ରଏଡ୍ ଫୋନ୍ ରହିଛି।
ପେଗାସସ୍ ପ୍ରକଳ୍ପର ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ ପୃଥିବୀର କେଇ ହଜାର ଫୋନ୍ ନମ୍ବର ସହ ପେଗାସସ୍ ସ୍ପାଇୱେୟାର ସଂଯୁକ୍ତ ହୋଇଛି। ମେକ୍ସିକୋର ୧୫୦୦୦ ହଜାର ଫୋନ୍ ବିରୋଧରେ ପେଗାସସ୍ ଗୁଇନ୍ଦାଗିରି ଚଳେଇଛି। ଭାରତ, ପାକିସ୍ତାନ, ଫ୍ରାନ୍ସ, ବାହାରିନ୍, ସାଉଦି ଆରବ, ଆରବ ଅମିରାତ, ହଙ୍ଗେରି ଆଦି ବହୁ ଦେଶର ଫୋନ୍ ନମ୍ବର ପେଗାସସ୍ ତାଲିକାରେ ରହିଛି। ୨୦୧୯ରେ ମଧ୍ୟ ପେଗାସସ୍ ଫୋନ୍ ଗୁଇନ୍ଦାଗିରି ନେଇ ଅନେକ ଅଭିଯୋଗ ହୋଇଥିଲା। ସେତେବେଳେ ଅନେକ ସାମ୍ବାଦିକ ଓ ନେତା ଅଭିଯୋଗ କରିଥିଲେ ଯେ ସେମାନଙ୍କ ଫୋନ୍ରୁ ହ୍ୱାଟ୍ସଆପ ଚାଟ୍ ତଥ୍ୟ ଚୋରି ହୋଇଛି। ଏବେ ଜଣାପଡ଼ିଥିବା ତଥ୍ୟ ଅନୁସାରେ ପେଗାସସ୍ ଜରିଆରେ ଭାରତ ସରକାର ଦ ୱେୟାରର ସାମ୍ବାଦିକ ସିଦ୍ଧାର୍ଥ ଭରଦରାଜନ ଓ ରୋହିଣୀ ସିଂହ, ଦ ହିନ୍ଦୁର ବିଜେତା ସିଂହ, ସ୍ୱାଧୀନ ସାମ୍ବାଦିକ ପ୍ରେମ ଶଙ୍କର ଝା ଓ ସ୍ୱାତୀ ଚତୁର୍ବେଦୀଙ୍କ ଫୋନ୍ ତଥ୍ୟ ହାସଲ କରିଛନ୍ତି।
ରବିବାର ସନ୍ଧ୍ୟାରେ ପ୍ରକାଶ ପାଇଥିବା ଏ ସଂପର୍କୀତ ତଥ୍ୟ ଅନୁସାରେ ପେଗାସସ୍ ନିକଟରେ ଥିବା କେଇ ହଜାର ଫୋନ୍ ନମ୍ବରରୁ ପ୍ରାୟ ହଜାରେ ଫୋନ୍ ନମ୍ବର ଚିହ୍ନଟ କରାଯାଇଛି। ଏସବୁ ଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରେ ଅଛନ୍ତି ନିହତ ସାଉଦି ସାମ୍ବାଦିକ ଜମାଲ୍ ଖାସୋଗୀଙ୍କ ପତ୍ନୀ ଓ ବାପା, କେତେକ ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସାମରିକ ପଦାଧିକାରୀ, କୂଟନୀତିଜ୍ଞ, କ୍ୟାବିନେଟ୍ ମନ୍ତ୍ରୀ, ୧୮୯ ସାମ୍ବାଦିକ, ୮୫ ମାନବାଧିକାର କର୍ମୀ ଓ ୬୫ ବ୍ୟାବସାୟିକ ନିର୍ବାହୀ। ଇସ୍ରାଏଲର ଏନଏସଓ ନିଜ ଆଡ଼ୁ ଘୋଷଣା କରିଥିବା ତଥ୍ୟ ଅନୁସାରେ ଏହାର ଗ୍ରାହକ ହେଉଛନ୍ତି ୪୦ଟି ଦେଶର ୬୦ରୁ ଅଧିକ ଗୁଇନ୍ଦା ସଂସ୍ଥା, ସାମରିକ ଓ ନିରାପତ୍ତା ସଂସ୍ଥା ଏବଂ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥା।
ଆଜିଠାରୁ ଭାରତର ସଂସଦ ଅଧିବେଶନ ଆରମ୍ଭ ହୋଇଛି। ଏହାର ପୂର୍ବ ସନ୍ଧ୍ୟାରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ ସଂସଦରେ ତୁମ୍ଭିତୋଫାନ୍ ହେବାର ସମ୍ଭାବନା ଅଛି। ରାଫାଲେ ବିମାନ ଦୁର୍ନୀତି, ଚାଷୀ ଆନ୍ଦୋଳନ, କରୋନା ମୁକାବିଲା ବିଫଳତା, ଉଜୁଡ଼ି ଯାଇଥିବା ଅର୍ଥନୀତି ଆଦି ବହୁ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ କହିସାରିଛନ୍ତି ଯେ ବିରୋଧୀ ଯେତେ କଷ୍ଟକର ପ୍ରଶ୍ନ ପଚାରିବା କଥା ପଚାରନ୍ତୁ କିନ୍ତୁ ଉତ୍ତର ଦେବା ପାଇଁ ସରକାରଙ୍କୁ ସୁଯୋଗ ଦିଅନ୍ତୁ। ଏଭଳି ପରିସ୍ଥିତିରେ ପେଗାସସ୍ ଗୁଇନ୍ଦାଗିରି ନେଇ କିଭଳି ଆଲୋଚନା ହେବ ତାହା ଆଗକୁ ଜଣାପଡ଼ିବ।
ତେବେ ଅନ୍ତର୍ଜାତୀୟ ସ୍ତରରେ ରବିବାର ସନ୍ଧ୍ୟାରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏନଏସଓ ତରଫରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ରପୋର୍ଟରେ ପେଗାସସ୍ର ଗୁଇନ୍ଦାଗିରି ନେଇ ଯେଉଁସବୁ ତଥ୍ୟ ପ୍ରକାଶ ପାଇଛି ତାହା ମିଥ୍ୟା ଓ ବିଭ୍ରାନ୍ତିକର। ଏହା ବିରୋଧରେ କମ୍ପାନୀ ମକଦ୍ଦମା କରିପାରେ ବୋଲି ଧମକ୍ ଦେଇଛି।
The post କ୍ୟାବିନେଟ୍ ମନ୍ତ୍ରୀ, ବିଚାରପତି ଓ ସାମ୍ବାଦିକଙ୍କ ଫୋନ୍ ତଥ୍ୟ ଚୋରି କରୁଛି ପେଗାସସ୍ ସ୍ପାଇୱେୟାର୍! appeared first on Odisha Reporter.
from Odisha Reporter https://ift.tt/3ii2GHu
No comments:
Post a Comment