ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭୦ ପ୍ରତିଶତ ସିଲାବସ୍ରୁ ହେବ ମାଟ୍ରିକ ଅଫ୍ଲାଇନ୍ ପରୀକ୍ଷା। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ୩୦% ସିଲାବସ୍ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଜୁଲାଇ ୩୦ ତାରିଖରୁ ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ। ଏଥିପାଇଁ ଜୁଲାଇ ୫ ତାରିଖରୁ ଫର୍ମଫିଲପ୍ ଆରମ୍ଭ ହେବ ଓ ଏହା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ। ଯୁକ୍ତ ଦୁଇରେ ନାମଲେଖା ପାଇଁ ସେହି ଛାତ୍ରଛାତ୍ରୀଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଯେଉଁ ଛାତ୍ରଛାତ୍ରୀ ରେଜଲ୍ଟ ନେଇ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଅଫ୍ଲାଇନ୍ରେ ପରୀକ୍ଷା ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫି’ ଛାଡ଼ କରାଯାଇଛି। ମହାମାରୀ କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ହୋଇନଥିଲା। ସେଥିପାଇଁ ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ।
ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। କିଛି ସ୍ଥାନରେ ଛାତ୍ରଛାତ୍ରୀ ସ୍କୁଲ୍ରେ ତାଲା ପକାଇ ଦେଇଥିବା ବେଳେ ଆଉ କେଉଁଠି ରାସ୍ତାରେ ଧାରଣା ଦେଇଥିଲେ। ଏମିତିକି କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍ ସମ୍ମୁଖରେ ମଧ୍ୟ ଅଭିଭାବକମାନେ ଧାରଣା ଦେଇଥିଲେ। ତେବେ ସାମ୍ବାଦିକ ସମ୍ମିଳନୀ କରି ବୋର୍ଡ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଥିଲା ଯେ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ।
The post ‘୭୦% ସିଲାବସ୍ରୁ ହେବ ମାଟ୍ରିକ୍ ପରୀକ୍ଷା’ appeared first on Odisha Reporter.
from Odisha Reporter https://ift.tt/3jBdxyA
No comments:
Post a Comment