ଲଣ୍ଡନ: ଇଂଲଣ୍ଡର ଷ୍ଟାର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ନିଜ ନାଁକୁ ରେକର୍ଡ କ୍ଲବରେ ସାମିଲ କରିଛନ୍ତି। କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୦୦ ୱିକେଟ ଦଖଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କାଉଣ୍ଟି କ୍ଲବ୍ ଲାଙ୍କାଶାୟର୍ ପକ୍ଷରୁ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳୁଥିବା ଆଣ୍ଡରନସନ କେଣ୍ଟ ବିପକ୍ଷରେ ଏପରି ସଫଳତା ହାସଲ କରିଛନ୍ତି।
ସେ ଏହି ମ୍ୟାଚ୍ରେ ଜ୍ୟାକ କ୍ରାଉଲି, ଜୋର୍ଡନ କୋକ୍ସ, ଓଲିଭର ରବିନଶନ, ଜ୍ୟାକ ଲିନିଂ, ହେଇନୋ ଖୁନ, ମ୍ୟାଟ ମିଲନେସ ଓ ହ୍ୟାରି ପୋଡମୋରଙ୍କୁ ଆଉଟ କରିଛନ୍ତି। ସେ କେଣ୍ଟର ୭ ଜଣ ବ୍ୟାଟସମ୍ୟାନଙ୍କୁ ଏକାକୀ ଆଉଟ କରିବାରୁ ଦଳ ପ୍ରଥମ ଇନିଂସ୍ରେ ମାତ୍ର ୭୪ ରନ୍ରେ ଅଲଆଉଟ ହୋଇଯାଇଛି।
ଆଣ୍ଡରନସନ କେଣ୍ଟର ହେଇନୋ ଖୁନଙ୍କୁ ଆଉଟ କରିବା ପରେ ନିଜ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୧୦୦୦ ୱିକେଟ ପୂରଣ କରିଥିଲେ। ୧୯ ରନ୍ରେ ପ୍ରଥମଥର ପାଇଁ ୭ ୱିକେଟ ନେବା ପରେ ଆଣ୍ଡରସନଙ୍କ ୱିକେଟ ସଂଖ୍ୟା ୧୦୦୨ରେ ପହଞ୍ଚି ଯାଇଛି।
ଜୁନ୍ ମାସରେ ଆଣ୍ଡରସନ ଆଉ ଗୋଟିଏ ରେକର୍ଡର ଅଧିକାରୀ ହୋଇଥିଲେ। ସେ ଆଲିଷ୍ଟର କୁକଙ୍କୁ ପଛରେ ପକାଇ ଇଂଲଣ୍ଡ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏଜବାଷ୍ଟନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ଖେଳିବାକୁ ସେ ପଡ଼ିଆକୁ ଓହ୍ଲାଇବା କ୍ଷଣି ଏହି ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଥିଲା।
କୁକ ଇଂଲଣ୍ଡ ପାଇଁ ୧୬୧ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ଆଣ୍ଡରସନ ୧୬୨ଟି ମ୍ୟାଚ୍ ଖେଳିଛନ୍ତି। ୧୪୭ଟି ମ୍ୟାଚ୍ ସହ ଷ୍ଟୁଆର୍ଟ ବ୍ରଡ ତୃତୀୟ ସ୍ଥାନରେ ଓ ୧୩୩ ମ୍ୟାଚ୍ ସହ ଆଲେକ ଷ୍ଟେୱର୍ଟ ୪ର୍ଥ ସ୍ଥାନରେ ଅଛନ୍ତି।
ଆଣ୍ଡରସନ ବିଶ୍ୱର ଏକମାତ୍ର ଦ୍ରୁତ ବୋଲର ଯିଏ ଟେଷ୍ଟ କ୍ରିକେଟରେ ୬୦୦ରୁ ଅଧିକ ୱିକେଟ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ନାଁରେ ୬୧୭ଟି ୱିକେଟ ରହିଛି।
The post କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ୧୦୦୦ ୱିକେଟ କ୍ଲବରେ ଜେମ୍ସ ଆଣ୍ଡରସନ appeared first on Odisha Reporter.
from Odisha Reporter https://ift.tt/2VaBL8G
No comments:
Post a Comment