ଯାଜପୁର(ଓଡ଼ିଶା ରିପୋର୍ଟର): ଛୁଆ ଉପରକୁ ବିପଦ ଘନେଇ ଆସିଲେ କେଉଁ ମା’ ବା ସହିବ । ନିଜ ଛୁଆର କଷ୍ଟକୁ କେବେ ବି ସହିପାରିନେ ମା’ । ଦରକାର ପଡ଼ିଲେ ଛୁଆ ପାଇଁ ନିଜ ଜୀବନ ଦେବାକୁ ପଛାଏନି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ତଳିହା ପଂଚାୟତ ଦେଉଳବାଡ ଗ୍ରାମରେ । ବର୍ଷକର ଛୁଆ ଆଡ଼କୁ ମାଡ଼ି ଯାଉଥିବା ମୃତ୍ୟୁକୁ ସହିପାରିଲାନି ମା’। ଶେଷରେ ନିଜ ଜୀବନ ଦେଇ ଛୁଆକୁ ବଞ୍ଚାଇଲା । ମୃତା ମହିଳା ହେଲେ ଚିନ୍ମୟ ରାଉତଙ୍କ ପତ୍ନୀ ପ୍ରିୟଦର୍ଶିନି ରାଉତ।
ଆଜି ସକାଳେ ପ୍ରିୟଦର୍ଶିନି ନିଜ ବର୍ଷକର ଶିଶୁ ପୁତ୍ରକୁ ଶୁଆଇ ଦେଇ ଘର କାମ କରୁଥିଲେ। ହଠାତ୍ ତାଙ୍କ ଆଖି ପଡ଼ିଗଲା ଏକ ନାଗ ସାପ ଉପରେ। ସାପଟି ଶୋଇଥିବା ପୁଅ ଆଡ଼କୁ ଜୋରରେ ମାଡ଼ି ଯାଉଥିଲା।
ପୁଅକୁ ସାପ କବଳରୁ ରକ୍ଷା କରିବାକୁ ଧାଇଁ ଆସିଲେ ପ୍ରିୟଦର୍ଶିନି। କିଛି ଉପାୟ ନ ପାଇ ସାପର ଲାଙ୍ଗୁଡ ଧରି ଟେକି ନେଲେ। ଏହି ସମୟରେ ସାପଟି ବୁଲି ପଡ଼ି ତାଙ୍କୁ ଚୋଟ ମାରିଥିଲା।
ପରିବାର ଲୋକ ସଙ୍ଗେ ସଙ୍ଗେ ଚିକିତ୍ସା ଲାଗି ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନା ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ମାତ୍ର ୨୬ ବର୍ଷୀୟା ପ୍ରିୟଦର୍ଶୀନି ୨୦୧୯ ମସିହାରେ ଚିନ୍ମୟ ରାଉତଙ୍କୁ ବିବାହ କରିଥିବା ବେଳେ ୨୦୨୦ ମସିହାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଶେଷରେ ନିଜ ଛୁଆକୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ନିଜେ ମରଣକୁ କୋଳେଇ ନେଲେ।
The post ଛୁଆ ପାଖକୁ ମାଡ଼ି ଆସୁଥିଲା ମୃତ୍ୟୁ, ବାଟ ଓଗାଳିଲା ମା’ appeared first on Odisha Reporter.
from Odisha Reporter https://ift.tt/3hNSkis
No comments:
Post a Comment