ଭୋପାଲ: ଟିକେ ଫୁରସତ ପାଇଲେ ମଣିଷ ଶାନ୍ତି ପାଇବାକୁ କୋଳାହଳଠୁ ଦୂର ଘଞ୍ଚ ଜଙ୍ଗଲକୁ ଧାଇଁ ଯାଇଥାଏ। ହେଲେ ଦରକାର ପଡ଼ିଲେ ନିଜ ସ୍ୱାର୍ଥ ପାଇଁ ସେହି ଗଛ କାଟି ବଡ଼ ବଡ଼ କୋଠା ଛିଡ଼ା କରି ଦେଇଥାଏ। ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ସହରରେ ରହି ସୁଦ୍ଧା ନିଜ ଘରକୁ ଜଙ୍ଗଲର ଲୁକ୍ ଦେଇଥାନ୍ତି । ସେମାନଙ୍କ ଘରେ ପଶିଲେ ଲାଗିବ ସତେ ଯେପରି ବାଟ ଭୁଲି ଏକ ଘଞ୍ଚ ବନାନୀ ଭିତରେ ପଶି ଯାଇଛନ୍ତି। ଏପରି ଜଣେ ମହିଳା ହେଉଛନ୍ତି ସାକ୍ଷୀ ଭରଦ୍ୱାଜ। ସେ ନିଜ ଘରକୁ ଏକ ମିନି ଜଙ୍ଗଲର ରୂପ ଦେଇଛନ୍ତି।
ମଧ୍ୟପ୍ରଦେଶର ଭୋପାଲରେ ରହୁଥିବା ସାକ୍ଷୀ ନିଜ ୮୦୦ ସ୍କୋୟାର ଫୁଟ୍ ଘରେ ୪୫୦ ପ୍ରଜାତିର ପ୍ରାୟ ୪ ହଜାର ଗଛ ଲଗାଇଛନ୍ତି। ସାକ୍ଷୀଙ୍କ ମିନି ଫରେଷ୍ଟରେ ୧୫୦ ପ୍ରଜାତିର ଏପରି ଦୁର୍ଲଭ ପ୍ରଜାତିର ଗଛ ଅଛି ଯାହାକି ଭାରତୀୟ ଜଳବାୟୁରେ ବଢ଼ିବା ସମ୍ଭବପର ନୁହେଁ। ହେଲେ ସାକ୍ଷୀ କୁତ୍ରିମ ଉପାୟରେ ଏହି ସବୁ ଗଛ ପାଇଁ ଅନୁକୂଳ ପରିବେଶ ମଧ୍ୟ ସୃଷ୍ଟି କରିଛନ୍ତି । ଫଳରେ ଏହି ଗଛଗୁଡ଼ିକ ଏବେ ସାକ୍ଷୀଙ୍କ ଘରେ ହସୁଛନ୍ତି।
ସାକ୍ଷୀଙ୍କ କହିବାନୁଯାୟୀ, ଆଧୁନିକତା ନାଁରେ ଆଜିକାଲି ସବୁଠି ଥିବା ଗଛକୁ କଟାଯାଇ ସେଠାରେ ବଡ଼ ବଡ଼ ବିଲଡିଂ ଛିଡ଼ା କରାଯାଉଛି। ଏଥିଯୋଗୁ ପରିବେଶ ଅସୁନ୍ତଳନ ହେଉଛି। ଏଥିଯୋଗୁ ପରିବେଶ ଉପରେ ପଡ଼ୁଥିବା ଚାପକୁ କିଛି ମାତ୍ରାରେ କମାଇବାକୁ ଅର୍ବାନ ଗାର୍ଡେନିଙ୍ଗ କନସେପ୍ଟ ତାଙ୍କ ମୁଣ୍ଡକୁ ଜୁଟିଥିଲା। ଏଭଳି ଛୋଟ ଛୋଟ ପଦକ୍ଷେପ ନେବା ଦ୍ୱାରା ପ୍ରଦୂଷଣ ମାତ୍ରା କିଛି କିଛି କମିବ ବୋଲି କହିଛନ୍ତି ସାକ୍ଷୀ।
ସାକ୍ଷୀ ମାନସରୋବର ଗ୍ଲୋବାଲ ୟୁନିଭରସିଟିରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି। ୨୦୧୮ ମସିହାରେ ସେ ‘ଜଙ୍ଗଲବାସ’ ନାମକ ଏହି ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ଗଛ ଲଗାଇବା ପାଇଁ ସେ ପ୍ରାୟତଃ ୫୦୦ ନଡ଼ିଆ ଖୋଳର ବ୍ୟବହାର କରିଛନ୍ତି। ଯେଉଁଥିରେ ସେ ଭିନ୍ନ ଭିନ୍ନ ଗଛ ଲଗାଇଛନ୍ତି।
ନିଜ ଇନଷ୍ଟା ପେଜ୍ରେ ନିଜ ଗଛମାନଙ୍କର ଫଟୋ ଛାଡ଼ି ସାକ୍ଷୀ ଲୋକଙ୍କୁ ଏଥିପ୍ରତି ଆକୃଷ୍ଟ କରୁଛନ୍ତି। ଗଛକୁ ବଢ଼ାଇବା ପାଇଁ ସେ ଅର୍ଗାନିକ ଖତ ସାଙ୍ଗକୁ ବାୟୋ ଇନଜାଇମ୍ସର ବି ପ୍ରୟୋଗ କରିଥାନ୍ତି।
ସାକ୍ଷୀଙ୍କ ଏପରି କାମକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଯଦି ସାକ୍ଷୀ ନିଜ ଘରକୁ ଏପରି ସୁନ୍ଦର ଭାବେ ବିଭିନ୍ନ ଗଛରେ ସଜାଇ ପାରିଛନ୍ତି , ତେବେ ଆପଣମାନେ ବି ଏପରି କାମ କରିପାରିବେ। ତୁରନ୍ତ ଏହାକୁ ଶିଖି କାମରେ ଲଗାନ୍ତୁ ବୋଲି ଟ୍ୱିଟ କରିଛନ୍ତି ମୁଖ୍ୟମନ୍ତ୍ରୀ।
The post ସାକ୍ଷୀଙ୍କ ଅର୍ବାନ ଗାର୍ଡେନ; ଘରେ ହସୁଛି ୪ ହଜାର ଗଛ appeared first on Odisha Reporter.
from Odisha Reporter https://ift.tt/3yzSSz8
No comments:
Post a Comment