ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକସେବା ଭବନରେ ସଂସ୍କୃତି ବିଭାଗର ଡେସ୍କ ଅଫିସର ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ କୁମାର ଦଳବେହେରା ମାସେ ହେଲାଣି ନିଖୋଜ ଅଛନ୍ତି। ଏ ନେଇ ସହିଦ ନଗର ଥାନାରେ ଗତ ମାସ ୩୦ ତାରିଖରେ ଏତଲା ଦିଆଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିପାରି ନାହିଁ। ସେଥିପାଇଁ ତାଙ୍କ ପତ୍ନୀ ମଞ୍ଜୁଲତା ନାୟକ ଏହି ଘଟଣା ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଅପିଲ୍ କରିଛନ୍ତି।
ମଞ୍ଜୁଲତା ଅଭିଯୋଗ କରିଛନ୍ତି ଯେ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଅତ୍ୟଧିକ କାମର ଚାପ ଯୋଗୁ ତାଙ୍କ ସ୍ୱାମୀ ସନ୍ତୋଷ କୁମାର ଦଳବେହେରା କିଛି ପଦକ୍ଷେପ ନେଇ ଥାଇପାରନ୍ତି କିମ୍ବା ତାଙ୍କୁ ଅପହରଣ ମଧ୍ୟ କରାଯାଇ ଥାଇପାରେ।
ମଞ୍ଜୁଲତା ସହିଦ ନଗର ଥାନାରେ ଦେଇଥିବା ଏତଲା ଅନୁଯାୟୀ, ଶେଷ ଥର ପାଇଁ ସେ ତାଙ୍କ ସ୍ୱାମୀଙ୍କ ସହିତ ଜୁନ୍ ୨୬ ତାରିଖ ସକାଳ ସାଢ଼େ ୮ଟାରେ ଫୋନ୍ ଯୋଗେ କଥା ହୋଇଥିଲେ। ତା’ ପରଠାରୁ ସନ୍ତୋଷଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇପାରି ନାହିଁ। ଏହା ପରେ ଜୁନ୍ ୩୦ ତାରିଖରେ ସେ ଜି.ଉଦୟଗିରିରୁ ଆସି ସନ୍ତୋଷଙ୍କ ୟୁନିଟ୍ ୯ ସ୍ଥିତ ଭୋଇ ନଗର ସରକାରୀ ବାସଭବନକୁ ଯାଇଥିଲେ। କିନ୍ତୁ ସେଠାରେ ସନ୍ତୋଷ ନଥିଲେ। ତା’ପରେ ଅଫିସ୍ ଯାଇଥିଲେ। କିନ୍ତୁ ସେଠାରୁ ବି ସନ୍ତୋଷଙ୍କ ବିଷୟରେ କିଛି ଜାଣିବାକୁ ପାଇ ନଥିଲେ। ଏଣୁ ସେ ଶେଷରେ ଥାନାରେ ଏତଲା ଦେଇଥିଲେ।
ସେହିଭଳି ମଞ୍ଜୁଲତା ସଂସ୍କୃତି ବିଭାଗ କମିଶନର ତଥା ସଚିବଙ୍କୁ ଜୁଲାଇ ୧୩ ତାରିଖରେ ଏକ ଚିଠି ଲେଖିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ସ୍ୱାମୀ ଜୁନ୍ ୨୮ ଓ ୨୯ ତାରିଖରେ ଅଫିସ୍ରେ ଅନୁପସ୍ଥିତ ଥିବା ନେଇ ବିଭାଗ ପକ୍ଷରୁ ତାଙ୍କୁ ଅବଗତ କରାଯାଇଥିଲା। ତା’ସହିତ ସନ୍ତୋଷଙ୍କ ସରକାରୀ ବାସଭବନ ବାହାରେ ତାଙ୍କ ଲୁଗା ଶୁଖୁଥିବା ଦେଖିବାକୁ ମିଳିଥିବା କୁହାଯାଇଥିଲା। ଏହା ପରେ ମଞ୍ଜୁଲତା ଭୁବନେଶ୍ୱର ଆସିଥିଲେ ଓ ତାଙ୍କ ସ୍ୱାମୀ ନିଖୋଜ ଥିବା ଜାଣିବାକୁ ପାଇଥିଲେ ବୋଲି ଉଲ୍ଲେଖ କରିଥିଲେ।
ଅନ୍ୟପକ୍ଷରେ ଲୋକସେବା ଭବନରେ କର୍ମଚାରୀ ଚାପରେ କାମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ। ଶ୍ରୀ ଦଳବେହେରାଙ୍କୁ ଖୋଜିବା ସହ ଲୋକସେବା ଭବନରେ କର୍ମଚାରୀମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି।
The post ମାସେ ହେଲାଣି ଲୋକସେବା ଭବନର ଡେସ୍କ ଅଫିସର ନିଖୋଜ, ଅପହରଣ ଅଭିଯୋଗ ଆଣିଲେ ପତ୍ନୀ appeared first on Odisha Reporter.
from Odisha Reporter https://ift.tt/3y3zdHP
No comments:
Post a Comment