ମୁମ୍ୱାଇ: ଦୁର୍ନୀତି ମାମଲାରେ ମହାରାଷ୍ଟ୍ରରେ ଇଡି ଓ ସିବିଆଇ ରେଡ୍ କରୁଛନ୍ତି। ଏହାପରେ ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ମେଣ୍ଟରେ ଯେ ସବୁ କିଛି ଠିକ ଠାକ ଚାଲିଛି କହି ହେବନି। ଅନ୍ୟପଟେ ଶିବସେନା ନେତା ବିଜେପିକୁ ସୁହାଇଲା ଭଳି କିଛି ପ୍ରସଙ୍ଗରେ ମତ ରଖିବା ଏବେ ମହାରାଷ୍ଟ୍ର ରାଜନୀତିରେ ନୂଆ ଆଭାସ ଦେଇଛି।
ସୋମବାର ଏବଂ ମଙ୍ଗଳବାର ମହାରାଷ୍ଟ୍ରର ଦୁଇ ଦିନିଆ ବିଧାନସଭା ଅଧିବେଶନ ବସିବାକୁ ଯାଉଛି। ଏହା ପୂର୍ବରୁ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏବଂ ବିଜେପି ବିଧାୟକ ଆଶିଷ ଶେଲାର ଗୁପ୍ତ ବୈଠକ କରିଛନ୍ତି। ପରସ୍ପରର ବିରୋଧୀ ଦଳ କୁହାଯାଉଥିବା ବିଜେପି ଏବଂ ଶିବସେନା ଦଳର ନେତା ଅଧଘଣ୍ଟାଏ ଧରି ଗୁପ୍ତରେ ବୈଠକ କରିବା ପଛର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ବଢ଼ିଛି।
ଅନ୍ୟପକ୍ଷରେ ସଞ୍ଜୟ ରାଉତ ଏହି ବୈଠକକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ବିଜେପି ନେତା ଆଶିଷଙ୍କୁ ଭେଟିଥିଲେ ବୋଲି କହିଛନ୍ତି। ମହାରାଷ୍ଟ୍ରର ରାଜନୀତି ଭାରତ ଏବଂ ପାକିସ୍ତାନ ଭଳି ନୁହେଁ। ରାଜନୀତିକ ମତ ପାର୍ଥକ୍ୟ ସତ୍ତ୍ୱେ ଆମର ସମ୍ପର୍କ ରହିଛି। ଯେଉଁମାନେ ମୋତେ ପସନ୍ଦ କରନ୍ତି ନାହିଁ ସେମାନେ ଆସନ୍ତାକାଲିର ବିଧାନସଭା ଅଧିବେଶନ ପୂର୍ବରୁ ଗୁଜବ ପ୍ରଚାର କରୁଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି।
ତେବେ ମହା ବିକାଶ ଅଘାଡି ଏବଂ ବିଜେପି ନେତାଙ୍କ ମଧ୍ୟରେ ଗୁପ୍ତ ବୈଠକ ପ୍ରଥମ ଥର ଘଟଣା ନୁହେଁ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ମୁଖ୍ୟ ଶରଦ ପାୱାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ଏହି ବୈଠକ ପରେ ଉଦ୍ଧବ କହିଛନ୍ତି ଯେ ମୁଁ ନୱାଜ ସରିଫଙ୍କୁ ନୁହେଁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛି। କିଛି ଦିନ ପୂର୍ବରୁ ଶିବସେନା ବିଧାୟକ ପ୍ରତାପ ସାରନାକ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ ବିଜେପି ସହ ଥିବା ସମ୍ପର୍କର ଦୂରତାକୁ କମାଇବାକୁ କହିଥିଲେ।
ତେବେ ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମେଣ୍ଟ ସରକାର ପାଞ୍ଚ ବର୍ଷ ଚାଲିବ। ତେବେ ଶେଲାର ଏବଂ ରାଉତଙ୍କ ବୈଠକକୁ ନେଇ କଂଗ୍ରେସ ନେତା ନାନା ପାଟୋଲ କହିଛନ୍ତି ଯେ ଏହି ବୈଠକ ଗୁଡିକକୁ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଉଛି ତାର ଅସଲ ଉଦ୍ଦେଶ୍ୟ ଆଉ କିଛି କହିଛି। ସେ କହିଛନ୍ତି ଯେ ରାଜ୍ୟରେ ମେଣ୍ଟ ସରକାର ୫ ବର୍ଷ ଚାଲିବ।
The post ବିଧାନସଭା ଅଧିବେଶନ ପୂର୍ବରୁ ସଞ୍ଜୟ ଓ ବିଜେପି ବିଧାୟକଙ୍କ ମଧ୍ୟରେ ଗୁପ୍ତ ବୈଠକ appeared first on Odisha Reporter.
from Odisha Reporter https://ift.tt/3dGGHbL
No comments:
Post a Comment