ବୃକ୍ଷରୋପଣରୁ ଖୋଲିଲା ନବରଙ୍ଗପୁରର କୋଭିଡ୍ ମୃତ୍ୟୁ ଗୁମର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 3, 2021

ବୃକ୍ଷରୋପଣରୁ ଖୋଲିଲା ନବରଙ୍ଗପୁରର କୋଭିଡ୍ ମୃତ୍ୟୁ ଗୁମର!

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାରେ କରୋନାରେ ଏଯାବତ୍ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ହେଉଛି ରାଜ୍ୟ ସରକାରଙ୍କ ଡ୍ୟାସ୍‌ବୋର୍ଡରେ ଦିଆଯାଇଥିବା ତଥ୍ୟ। କିନ୍ତୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସିଆଲ୍ ଫେସ୍‌ବୁକ୍‌ରେ ପ୍ରାୟ ମାସେ ତଳେ କରାଯାଇଥିବା ଦୁଇଟି ପୋଷ୍ଟରେ ଜିଲ୍ଲାରେ କରୋନାରେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବା ଉଲ୍ଲେଖ କରାଯାଇଛି। ଆଉ ଦୁଇଟି ଭିନ୍ନ ଭିନ୍ନ ତଥ୍ୟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ବିରୋଧୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ ଦେଇଥିବା ସୂଚନା ମିଛ।

ଜୁନ୍ ୬ ତାରିଖରେ ଫେସ୍‌ବୁକ୍‌ରେ ‘କଲେକ୍ଟୋରେଟ୍ ନବରଙ୍ଗପୁର’ ଏକାଉଣ୍ଟରେ କରାଯାଇଥିବା ଏକ ପୋଷ୍ଟରେ ଲେଖାଯାଇଛି ଯେ ଜୁନ୍ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲାରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ୧୧୪ ଜଣ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ନନ୍ଦାହାଣ୍ଡି ବ୍ଳକ୍ ଅନ୍ତର୍ଗତ ନୂଆଗଡ଼ର ଶାନ୍ତି ଆନନ୍ଦ ସରୋବର ପରିସରରେ ବୃକ୍ଷରୋପଣ କରାଯାଇଛି। ଏହା ସହିତ ଏଥିରେ ବୃକ୍ଷରୋପଣର ଦୁଇଟି ଫଟୋ ମଧ୍ୟ ପୋଷ୍ଟ କରାଯାଇଛି, ଯେଉଁଥିରୁ ଗୋଟିକରେ ଖୋଦ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଅଛନ୍ତି। ଆଉ ଅନ୍ୟଟିରେ ଅଛନ୍ତି ଏସ୍‌ପି।

ସେହିପରି ଏହି ଏକାଉଣ୍ଟରେ ସେହିଦିନ କରାଯାଇଥିବା ଅନ୍ୟ ଏକ ପୋଷ୍ଟରେ ଲେଖାଯାଇଛି ଯେ ଜୁନ୍ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲାରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ୧୧୪ ଜଣ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ପୁଲିସ୍ ରିଜର୍ଭ ପଡ଼ିଆରରେ ୧୧୪ଟି ବୃକ୍ଷରୋପଣ କରାଯାଇଛି। ଏଥିରେ ବି ଜିଲ୍ଲାପାଳ ବୃକ୍ଷରୋପଣ କରୁଥିବାର ଫଟୋ ରହିଛି। ଏହି ଦୁଇଟି ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବନ ବିଭାଗ ଓ ମୋ ସରକାର-୫ଟିକୁ ଟ୍ୟାଗ୍ କରାଯାଇଛି।

ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସିଆଲ୍ ଫେସ୍‌ବୁକ୍‌ରେ ଗତ ଜୁନ୍‌ ୬ ତାରିଖରେ କରାଯାଇଥିବା ଦୁଇଟି ପୋଷ୍ଟ

ଏହି ଘଟଣାକୁ ନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ ସୁପ୍ରିମ୍‌କୋର୍ଟଙ୍କ ସିଧାସଳଖ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଚେତି ନାହାନ୍ତି ଓ କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ଚାଲିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ୪୫ ଜଣ କରୋନାରେ ପ୍ରାଣ ହରାଇଥିବା ରାଜ୍ୟ ସରକାର କହୁଥିବା ବେଳେ ଜିଲ୍ଲାପାଳ ୧୧୪ ଜଣ ମରିଛନ୍ତି ବୋଲି ତଥ୍ୟ ଦେଇଛନ୍ତି। ଏଥିରୁ ସିଧାସଳଖ ପ୍ରମାଣିତ ହେଉଛି ଯେ କରୋନା ମୃତ୍ୟ ସଂଖ୍ୟା ଲୁଚାଇବାରେ ରାଜ୍ୟ ସରକାରଙ୍କର ସିଧାସଳଖ ହାତ ରହିଛି। ଏହା ଦ୍ୱାରା ସମସ୍ତଙ୍କର କ୍ଷତି ହେବ। ଆଗକୁ ତୃତୀୟ ଓ ଚତୁର୍ଥ ଲହର ଆସିଲେ କେମିତି ପଦକ୍ଷେପ ନିଆଯାଇପାରିବ। ଏଣୁ ରାଜ୍ୟ ସରକାର ପ୍ରକୃତ ତଥ୍ୟ ଉପସ୍ଥାପନ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ସେ ଆହୁରି କହିଛନ୍ତି, କମ୍‌ ମୃତ୍ୟୁ ହାର ଦେଖାଇ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିବା ପାଇଁ ରାଜ୍ୟ ସରକାର ପ୍ରକୃତ ତଥ୍ୟ ଲୁଚାଉଛନ୍ତି। ସେହିପରି କରୋନାରୁ ସୁସ୍ଥ ହେବା ପରେ ଏହା ଜନିତ ଜଟିଳତାରେ ପ୍ରାଣ ହରାଉଥିବା ଲୋକଙ୍କୁ ସରକାର ତାଲିକାରେ ସାମିଲ କରୁନାହାନ୍ତି। ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ରାଜ୍ୟରେ କରୋନା ଜନିତ ମୃତ୍ୟୁ ନେଇ ଅଡିଟ୍‌ କରାଯିବ ଏବଂ ଏଥିପାଇଁ ଏକ ପ୍ରାଥମିକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ସେହିପରି ବିଜେପିର ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ କହିଛନ୍ତି, କରୋନା ପରିଚାଳନା ନେଇ ପ୍ରଶଂସା ପାଇବା ଲାଗି ରାଜ୍ୟ ସରକାର ସଠିକ୍ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି। ଏନେଇ ପୂର୍ବରୁ ବି ଅଭିଯୋଗ ହୋଇଆସୁଛି। ନବରଙ୍ଗପୁରରେ ସରକାରଙ୍କ ତଥ୍ୟ ଅନୁସାରେ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲାପାଳ ତାଙ୍କ ସରକାରୀ ଫେସ୍‌ବୁକ୍ ଏକାଉଣ୍ଟରେ ୧୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଛନ୍ତି। ଏହି ତଥ୍ୟରେ ତାଳମେଳ ରହୁ ନଥିବା ବେଳେ ଆମର ଆଶଙ୍କା ଜିଲ୍ଲାରେ ୧୧୪ରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି। ସରକାର କରୋନା ଜନିତ ମୃତ୍ୟୁ ସଠିତ୍ ତଥ୍ୟ ନ ଦେଲେ ଆଗାମୀ ଦିନରେ ଉକ୍ତ ପରିବାର ଗୁଡ଼ିକ ସରକାରଙ୍କ ସାହାଯ୍ୟ ସହଯୋଗରୁ ବଞ୍ଚିତ ହେବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ କିମ୍ବା ସରକାରୀ ଦଳରୁ ଏନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।

The post ବୃକ୍ଷରୋପଣରୁ ଖୋଲିଲା ନବରଙ୍ଗପୁରର କୋଭିଡ୍ ମୃତ୍ୟୁ ଗୁମର! appeared first on Odisha Reporter.



from Odisha Reporter https://ift.tt/3ApHgR0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages