ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର ): ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣା ଉପରୁ ଏବେ ବି ରହସ୍ୟ ହଟିନି। ପୁଲିସ୍ର ତଦନ୍ତ ଜାରି ରହିଛି। ସେ ତାଙ୍କ ସରକାରୀ ବାସଭବନରେ ପୋଡ଼ି ହୋଇଥିବା କୁହାଯାଉଥିବା ବେଳେ ଓକିଲ ପାର୍ଥ ସାରର୍ଥୀ ନାୟକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଗତକାଲି ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ସୌମ୍ୟରଞ୍ଜନଙ୍କ ସରକାରୀ କ୍ୱାର୍ଟର୍ସକୁ ଯାଇ ଯାଞ୍ଚ କରିଥିଲେ। ଏହି ସମୟରେ ସୌମ୍ୟରଞ୍ଜନଙ୍କ ବାପା, ଭାଇ ଏବଂ ସେମାନଙ୍କ ଓକିଲ ପାର୍ଥସାରଥୀ ନାୟକ ଉପସ୍ଥିତ ଥିଲେ।
ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ଶ୍ରୀ ନାୟକ କହିଥିଲେ, ସୌମ୍ୟରଞ୍ଜନଙ୍କ ସରକାରୀ କ୍ୱାର୍ଟର୍ସର ଭିତରର ସ୍ଥିତି ଦେଖିଲେ ଲାଗୁନି ଯେ ସେଠାରେ ତାଙ୍କ ଦେହରେ ନିଆଁ ଲାଗିଥିଲା। ଏକଥା କହିବାର ତାତ୍ପର୍ଯ୍ୟ ହେଉଛି, ନିଆଁ ଜଳିଥିଲେ କାନ୍ଥରେ ପୋଡ଼ା ଚିହ୍ନ ଥାଆନ୍ତା। ମାତ୍ର ସେମିତି କିଛି ଚିହ୍ନ ନାହିଁ। ପାଖରେ ପଲିଷ୍ଟରର ଡୋର ସ୍କ୍ରିନ୍ ରହିଛି। ମାତ୍ର ତାହା ମଧ୍ୟ ପୋଡ଼ା ନାହିଁ। ଘରର ଛତରୁ ଝୁଲିଥିବା ଅଳନ୍ଦୁରେ ମଧ୍ୟ କଳା ଦାଗ ଲାଗି ନାହିଁ। ଘଟଣାସ୍ଥଳରେ ଗୋଟିଏ ପ୍ଲାଷ୍ଟିକ୍ ମୁଢ଼ି ଡବା ରହିଛି। ସେଥିରେ ମଧ୍ୟ ନିଆଁ ଲାଗିବାର କୌଣସି ଚିହ୍ନ ନାହିଁ। ୪ ଦିନ ଧରି ଘର ବନ୍ଦ ପଡ଼ିଥିଲା। କିନ୍ତୁ ସେଠାରେ ପୋଡ଼ା ଗନ୍ଧ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଅନ୍ୟ କେଉଁଠି ଘଟଣା ଘଟାଯାଇଛି। ଏହା ଉପରେ ପୁଲିସ ତଦନ୍ତ କରି ପ୍ରକୃତ ଅଭିଯୁକ୍ତକୁ ଗିରଫ କରିବା ଦରକାର।
ଗତକାଲି ସୌମ୍ୟରଞ୍ଜନଙ୍କ ବାପାଙ୍କୁ ପାରଳାଖେମୁଣ୍ଡି ପୁଲିସ ପଚରାଉଚରା କରିଥିଲା। ଏଥିସହିତ ବାରିପଦାରେ ତାଙ୍କ ବାପାଙ୍କ ଘରେ ରହୁଥିବା ସୌମ୍ୟରଞ୍ଜନଙ୍କ ପତ୍ନୀ ତଥା ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡାଙ୍କୁ ପଚରାଉଚରା ପାଇଁ ପାରଳାଖେମୁଣ୍ଡିରୁ ଏକ ଟିମ୍ ଯିବ। ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କୁ ବି ପଚରାଉଚରା କରିଛି ପୁଲିସ୍। କିନ୍ତୁ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପୁଲିସ୍ ପଚରାଉଚରା କରି ନାହିଁ। ଡିଏଫ୍ଓ ଓ ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିବା ଅଭିଯୋଗ ହୋଇଛି।
ସୌମ୍ୟରଞ୍ଜନଙ୍କ ବାପା ଏହି ଘଟଣାରେ ଅଭିଯୋଗ କରିବା ପରେ ତାଙ୍କ ବୋହୂ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍ଓ ସଂଗ୍ରାମ କେଶରୀ ମହାପାତ୍ର ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ପାରଳାଖେମୁଣ୍ଡି ପୁଲିସ୍।
ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ସୌମ୍ୟରଞ୍ଜନ ସନ୍ଦେହଜନକ ସ୍ଥିତିରେ ପୋଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡିରୁ ବ୍ରହ୍ମପୁର ବଡ଼ ମେଡିକାଲ୍ ନିଆଯାଇଥିଲା ଏବଂ ସେଠାରୁ କଟକର ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ତାଙ୍କର ଜୁନ୍ ୧୩ ତାରିଖରେ ମୃତ୍ୟୁ ଘଟିଥିଲା।
The post ସରକାରୀ କ୍ୱାର୍ଟର୍ସରେ ସୌମ୍ୟରଞ୍ଜନଙ୍କ ଦେହରେ ଲାଗି ନଥିଲା ନିଆଁ! କ’ଣ କହିଛନ୍ତି ଓକିଲ, ପଢ଼ନ୍ତୁ appeared first on Odisha Reporter.
from Odisha Reporter https://ift.tt/3BmTUkn
No comments:
Post a Comment