ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ରୋଗୀ ଚିକିତ୍ସାକୁ ନେଇ ହାତାହାତି ହୋଇଛନ୍ତି ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଡାକ୍ତର- ରୋଗୀ ସମ୍ପର୍କୀୟ । ଡାକ୍ତରଙ୍କ ଚିକିତ୍ସାକୁ ନେଇ ରୋଗୀ ସମ୍ପର୍କୀୟ ଆକ୍ଷେପ କରିବା ପରେ ଏହି ଘଟଣା ହୋଇଥିଲା । ଡାକ୍ତରଙ୍କ ଅଭିଯୋଗ ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ବୈଦ୍ୟନାଥପୁର ଥାନାରେ ଅଟକ ରଖାଯାଇଛି । ଅନ୍ୟପଟେ ରୋଗୀ ସମ୍ପର୍କୀୟଙ୍କ ପକ୍ଷରୁ ମଧ୍ୟ ବୈଦ୍ୟନାଥପୁର ଥାନାରେ ପାଲଟା ଅଭିଯୋଗ ହୋଇଛି ।
ଏମକେସିଜି ମେଡିସିନ୍ ୱାର୍ଡ ପିଏମ୍ଆର ବିଲ୍ଡିଂର ୯୧୮ ନମ୍ବର ବେଡ୍ରେ ଜଣେ ମହିଳା ରୋଗୀଙ୍କୁ ପକ୍ଷାଘାତ ଯୋଗୁଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସମ୍ପର୍କୀୟ ଗୋବିନ୍ଦ ସାହୁ ଓ ତାଙ୍କ ପତ୍ନୀ କ୍ରିଷ୍ଣା ପହଞ୍ଚି କର୍ତ୍ତବ୍ୟରତ ଡାକ୍ତରଙ୍କୁ ଚିକିତ୍ସା ସମ୍ପର୍କରେ ପଚାରିଥିଲେ। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ସହ ଧସ୍ତାଧସ୍ତି ହୋଇଥିଲା । ଗୋବିନ୍ଦ ନିଜ ହାତରେ ଧରିଥିବା ହେଲମେଟ୍ରେ ଡାକ୍ତର ଆଶିଷଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଗୋବିନ୍ଦଙ୍କ ପତ୍ନୀ କ୍ରିଷ୍ଣାଙ୍କୁ ଡାକ୍ତର ଦୁର୍ବ୍ୟବହାର ଓ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି ।
ଏନେଇ ମହିଳାଜଣକ କହିଛନ୍ତି, ମୋ ମା’ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ଜଲଦି ଘରକୁ ନେଇଯା, ଏଠାରେ କିଛି ଟ୍ରିଟମେଣ୍ଟ ନାହିଁ ବୋଲି ଡାକ୍ତର କହିଲେ। ଏହାପରେ ମୋତେ ଛୁଇଁଲେ। ମୋ ସ୍ୱାମୀ ପ୍ରତିବାଦ କରିବାରୁ ତୋତେ ୩ ବର୍ଷ ଜେଲ୍ରେ ପୁରାଇ ଦେବି ବୋଲି ଧମକ ଦେଲେ।
ଅପରପକ୍ଷେ ହାଉସ ସର୍ଜନ ଡ. ଆଶିଷ ଅଂଶୁମାନ ପଣ୍ଡା କହିଛନ୍ତି, ସବୁବେଳେ ଡାକ୍ତରମାନେ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ପଦକ୍ଷେପ ନିଆଯାଉନି । ରୋଗୀଙ୍କ ସମ୍ପର୍କୀୟ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଏହାକୁ ବିରୋଧ କରିବାରୁ ମୋତେ ଆକ୍ରମଣ କଲେ। ଆଇନ୍ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପଛକୁ ହଟିବାର ପ୍ରଶ୍ନ ଉଠୁନି।
ଏନେଇ ଥାନାଧିକାରୀ କହିଛନ୍ତି, ରୋଗୀଙ୍କ ଚିକିତ୍ସାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏନେଇ ମାମଲା ହୋଇଛି। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି। ଜଣଙ୍କୁ ଅଟକ ରଖାଯାଇଛି।
The post ଡାକ୍ତର- ରୋଗୀ ସମ୍ପର୍କୀୟ ହାତାହାତି , କଥା ପହଞ୍ଚିଲା ଥାନାରେ appeared first on Odisha Reporter.
from Odisha Reporter https://ift.tt/3yQDPkO
No comments:
Post a Comment