ଆଠଗଡ଼(ନିଳକଣ୍ଠ ଦୋରା): ବର୍ଷକ ତଳେ ଅଗ୍ନିକୁ ସାକ୍ଷୀ ରଖି ପରସ୍ପରର ସାତ ଜନ୍ମର ସାଥୀ ହୋଇଥିଲେ। ସାରା ଜୀବନ ପରସ୍ପରର ଛାଇ ହୋଇ ରହିବେ ବୋଲି ରାଣ ବି ଖାଇଥିଲେ। ହେଲେ ସହିଲାନି ଦଇବ। ଖୁସି ଛଡ଼ାଇ ନେଲା କରୋନା। ବିବାହର ମାତ୍ର ବର୍ଷେ ପରେ ଜୀବନ ଯୁଦ୍ଧରେ ହାରିଗଲେ କଟକର ଦିବ୍ୟ ରଂଜନ ବେହେରା। ପତ୍ନୀ ପ୍ରତିଭା ପ୍ରିୟଦର୍ଶୀନି ଓ ୩ ମାସର ପୁଅକୁ ଏକା କରି ଚାଲିଗଲେ ଦିବ୍ୟରଞ୍ଜନ।
ଏକ ସଫ୍ଟୱେର କମ୍ପାନୀରେ ଚାକିରି କରୁଥିବା ଦିବ୍ୟରଞ୍ଜନ ବର୍ଷେ ପୂର୍ବେ ପ୍ରତିଭାଙ୍କ ହାତ ଧରିଥିଲେ। ଏହା ମଧ୍ୟରେ ପୁଅଟେ ବି ହୋଇ ଯାଇଥିଲା । ହସଖୁସିରେ ସଂସାର ଚାଲିଥିବା ବେଳେ ହଠାତ୍ ଲାଗିଗଲା କରୋନା ଗ୍ରହଣ।
ଦିବ୍ୟରଞ୍ଜନ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଥମେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥାରେ ସୁଧାର ନ ଆସିବାରୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ। ଏହାପରେ ଅବସ୍ଥା ସାଂଘାତିକ ହୋଇ ଆବଶ୍ୟକ ପଡ଼ିଲା ଇକମୋ ଚିକିତ୍ସା।
ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ପ୍ରାଣପଣେ ଲାଗି ପଡ଼ିଲେ ପ୍ରତିଭା। ଅର୍ଥ ଯୋଗାଡ଼ କରିବାକୁ ସୋଶାଲ ମିଡିଆରେ ଆକୁଳ ନିବେଦନ ବି କଲେ। ଏହାପରେ ଅର୍ଥ ଯୋଗାଡ଼ କରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆରମ୍ଭ ହେଲା ତାଙ୍କର ଇକମୋ ଚିକିତ୍ସା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଆଖି ବୁଜିଲେ ଦିବ୍ୟରଞ୍ଜନ । ଶେଷରେ ଗତକାଲି ରାତିରେ ଭୁବନେଶ୍ୱରର ସତ୍ୟନଗର ମଶାଣିରେ ଦିବ୍ୟଙ୍କ ଶେଷକୃତ କରାଯାଇଥିବା ବେଳେ ମୁଖାଗ୍ନି ଦେଇଛନ୍ତି ତାଙ୍କ ସାନ ଭାଇ।
ଲୋକେ ବହୁତ ସାହାଯ୍ୟ କରିଥିଲେ ବି ସ୍ୱାମୀଙ୍କୁ ବଞ୍ଚାଇ ପାରିଲିନି ବୋଲି କୋହଭରା କଣ୍ଠରେ କହିଛନ୍ତି ପ୍ରତିଭା।
The post ପତ୍ନୀଙ୍କ ନେହୁରା ପରେ ଚାଲିଥିଲା ଇକମୋ ଚିକିତ୍ସା, ହେଲେ ଛାଡ଼ି ଚାଲିଗଲେ ଦିବ୍ୟରଞ୍ଜନ appeared first on Odisha Reporter.
from Odisha Reporter https://ift.tt/3kd4nbS
No comments:
Post a Comment