ନୂଆଦିଲ୍ଲୀ: ଭାରତର ପୂର୍ବତନ ଫୁଟବଲର ଓ ୧୯୬୦ ରୋମ ଅଲିମ୍ପିକ୍ସରେ ଭାଗ ନେଇଥିବା ସୟଦ ଶାହିଦ୍ ହକିମଙ୍କର ପରଲୋକ ହୋଇଯାଇଛି। ରବିବାର ଗୁଲବର୍ଗାର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ହକିମ୍ ସାହେବ ନାମରେ ଲୋକପ୍ରିୟ ଅର୍ଜନ କରିଥିବା ସୟଦ ହକିମଙ୍କୁ ୮୨ ବର୍ଷ ହୋଇଥିଲା। ନିକଟରେ ତାଙ୍କୁ ହୃଦଘାତ ହୋଇଥିଲା, ଯାହା ପରେ ତାଙ୍କୁ ଗୁଲବର୍ଗାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହକିମ୍ ପାଞ୍ଚ ଦଶନ୍ଧି ଧରି ଭାରତୀୟ ଫୁଟବଲ ସହ ଜଡ଼ିତ ଥିଲେ। ପରେ ସେ କୋଚ୍ ହୋଇଥିଲେ ଏବଂ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ୧୯୮୨ ଏସିଆନ୍ ଗେମ୍ସରେ ପିକେ ବାନାର୍ଜୀଙ୍କ ସହ ସହକାରୀ କୋଚ୍ ଥିଲେ ଏବଂକ ପରେ ମର୍ଡେକା କପରେ ଜାତୀୟ ଟିମର ମୁଖ୍ୟ କୋଚ୍ ହୋଇଥିଲେ।
ଘରୋଇ ସ୍ତରରେ କୋଚ୍ ଭାବେ ସେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ଏବେ ମହିନ୍ଦ୍ରା ୟୁନାଇଟେଡ) ପକ୍ଷରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତାଙ୍କ କାର୍ଯ୍ୟକାଳରେ ଟିମ୍ ୧୯୮୮ରେ ଇଷ୍ଟ ବେଙ୍ଗଲ ଭଳି ମଜଭୁତ୍ ଟିମକୁ ହରାଇ ଡୁରାଣ୍ଡ କପ୍ ଜିତିଥିଲା। ସେ ସାଲଗାଁଓକରର କୋଚ୍ ମଧ୍ୟ ଥିଲେ। ସେ ଫିଫା ଅନ୍ତର୍ଜାତୀୟ ରେଫରୀ ମଧ୍ୟ ରହିସାରିଛନ୍ତି ଏବଂ ତାଙ୍କୁ ସମ୍ମାନଜନକ ଧ୍ୟାନଚାନ୍ଦ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା।
ବାୟୁସେନାର ପୂର୍ବତନ ସ୍କ୍ୱାଡ୍ରନ ଲିଡର ହକିମ୍ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଆଞ୍ଚଳିକ ନିର୍ଦ୍ଦେଶକ ରହିଆସିଛନ୍ତି। ସେ ଅଣ୍ଡର-୧୭ ଫିଫା ବିଶ୍ୱକପ୍ ପୂର୍ବରୁ ପରିଯୋଜନା ନିର୍ଦ୍ଦେଶକ ମଧ୍ୟ ଥିଲେ। ହକି ସେଣ୍ଟ୍ରାଲ ମିଡଫିଲ୍ଡର ଭାବେ ଖେଳୁଥିଲେ, କିନ୍ତୁ ୧୯୬୦ ରୋମ୍ ଅଲିମ୍ପିକ୍ସରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା। ସଂଯୋଗ ବଶତ ସେତେବେଳେ ତାଙ୍କ କୋଚ୍ ପିତା ସୟଦ ଅବଦୁଲ ରହିମ୍ ଥିଲେ। ଏହା ପରେ ୧୯୬୨ରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଟିମରେ ସ୍ଥାନ ହାସଲ କରିବାରୁ ବଞ୍ଚିତ ହୋଇଥିଲେ।
The post ଆଉ ନାହାନ୍ତି ପୂର୍ବତନ ଭାରତୀୟ ଅଲିମ୍ପିଆନ୍ ଶାହିଦ୍ ହକିମ୍ appeared first on Odisha Reporter.
from Odisha Reporter https://ift.tt/3j7YYSp
No comments:
Post a Comment