ଉଦଳା(ମାନସ ପାଣି): ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣାର ୨୩ ଦିନ ପରେ ବି ଲାଗି ରହିଛି ସସ୍ପପେନ୍ସ । ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟାକାଣ୍ଡ, ତାହା ଉପରୁ ପରଦା ଉଠାଇ ପାରୁନି ପୁଲିସ୍। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଘରେ ଆଜି ପୁଣି ଥରେ ପହଞ୍ଚିଛି ପୁଲିସ୍ ଟିମ୍।
ପାରଳାଖେମୁଣ୍ଡି IIC ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବିଦ୍ୟାଭାରତୀଙ୍କ ଗାଁ ଗୌଡ଼ରେ ପହଞ୍ଚିଛି। ଖବର ଲେଖାଯିବାକୁ ପୁଲିସ୍ ତାଙ୍କୁ ଜେରା କରୁଥିଲା।
ଏହି ଟିମ୍ ପୂର୍ବରୁ ମଧ୍ୟ ଥରେ ବିଦ୍ୟାଭାରତୀଙ୍କୁ ପଚାର ଉଚରା କରିଥିବା ବେଳେ ଆଜି ତାଙ୍କ ଠାରୁ ଘଟଣା ସଂପର୍କରେ ଆଉ କି ତଥ୍ୟ ବାହାର କରିପାରିବ, ତାକୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଏହାବାଦ ସୌମ୍ୟଙ୍କ ମୃତ୍ୟୁ ଦିନ କପ୍ତିପଦାରୁ ଏକ ଗାଡ଼ି ବିଦ୍ୟାଭାରତୀଙ୍କୁ ଆଣିବାକୁ ଯାଇଥିଲା। ସେହି ଗାଡ଼ିର ଡ୍ରାଇଭରଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଅଦ୍ୟାବଧି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକେ। ପୁଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ଭାଇ। ବିଦ୍ୟାଭାରତୀ ଏବଂ ତାଙ୍କ ବାପାମା’ଙ୍କୁ ନେଇଥିବା ଡ୍ରାଇଭରଙ୍କୁ ପୁଲିସ୍ ପଚରା ଉଚରା କରିବା ଦରକାର। ତା’ସହ ବିଦ୍ୟାଭାରତୀଙ୍କ ସହପାଠୀ କୁହାଯାଉଥିବା ଉଦଳା ଅଞ୍ଚଳର ଅକ୍ଷୟଙ୍କୁ ମଧ୍ୟ ପଚରାଉଚରା କରାଯିବା ଉଚିତ ବୋଲି କହିଛନ୍ତି ସୌମ୍ୟଙ୍କ ମାମୁ ପୁଅ ଭାଇ।
ସୂଚନାଯୋଗ୍ୟ, ସୌମ୍ୟଙ୍କ ମୃତ୍ୟୁ ପଛରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ, ଓଆଇସିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ। ହେଲେ ପଚରାଉଚରା ପରେ ପୁଲିସ୍ ସେମାନଙ୍କୁ କ୍ଲିନଚିଟ୍ ଦେଇ ସାରିଲାଣି । ତେଣୁ ଏବେ ଘଟଣା ସମୟରେ ଉପସ୍ଥିତ ଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପୁଣି ଥରେ ପଚରାଉଚରା କରୁଛି ପୁଲିସ୍।
ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ସରକାରୀ ଘରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ତା’ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
The post ବିଦ୍ୟାଭାରତୀଙ୍କ ଘରେ ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3rQfAAH
No comments:
Post a Comment