ମୁମ୍ବାଇ: ମହାମାରୀ କରୋନାର ଡେଲ୍ଟା ଭାରିଏଣ୍ଟର ଭୟ ଟଳି ନଥିବା ବେଳେ ଏବେ ଡେଲ୍ଟା ପ୍ଲସ ଭାରିଏଣ୍ଟ ଡରାଇବା ଆରମ୍ଭ କରିଛି। ବହୁରୂପି କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟରେ ସଂକ୍ରମିତ ହୋଇ ମୁମ୍ବାଇରେ ଜଣେ ୬୩ ବର୍ଷୀୟ ମହିଳା ପ୍ରାଣ ହରାଇଥିବା ସ୍ପଷ୍ଟ କରିଛନ୍ତି ସରକାର। ମୁମ୍ବାଇରେ ଡେଲ୍ଟା ପ୍ଲସରେ କେହି ପ୍ରାଣ ହରାଇବା ଏହା ପ୍ରଥମ ଘଟଣା। ସେହିପରି ମହାରାଷ୍ଟ୍ରରେ ଏହା ଦ୍ୱିତୀୟ କେସ୍।
ସରକାରଙ୍କ ସୂଚନା ଅନୁସାରେ, ଏହି ୬୩ ବର୍ଷୀୟ ମହିଳା ଜଣଙ୍କ ଜୁଲାଇ ୨୧ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୨୭ରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ମଧୁମେହ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ସେହିପରି ତାଙ୍କ ଫୁସଫୁସ ମଧ୍ୟ ସଂକ୍ରମିତ ହୋଇସାରିଥିଲା। ଏହାପୂର୍ବରୁ ରତ୍ନଗିରିରେ ଜଣେ ୮୦ ବର୍ଷୀୟ ବୃଦ୍ଧ ଡେଲ୍ଟା ପ୍ଲସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।
ଜୁଲାଇ ୨୭ରେ ପ୍ରାଣ ହରାଇଥିବା ମହିଳା ଜଣଙ୍କ ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ। ଟିକା ନେବା ପରେ ମୁମ୍ବାଇରେ ୭ ଜଣ ମହିଳା ସଂକ୍ରମିତ ହୋଇଥିଲେ। ଏହାପରେ ସେମାନଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ବୁଧବାର ଏମାନେ ସମସ୍ତେ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ଗୁରୁବାର ବିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ରିପୋର୍ଟ ପାଇବା ପରେ ୭ ଜଣ ମହିଳାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି। ମୃତ ମହିଳାଙ୍କ ଦୁଇ ଜଣ ସମ୍ପର୍କୀୟ ମଧ୍ୟ ଡେଲ୍ଟା ପ୍ଲସ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ନାହିଁ। ଜୁଲାଇ ୨୧ରେ ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଅକ୍ସିଜେନ ସହାୟତାରେ ରଖାଯାଇଥିଲା। ଏପରି କି ତାଙ୍କୁ ଷ୍ଟେରୋଏଡ ଓ ରେମଡେସିଭିର ମଧ୍ୟ ଦିଆଯାଇଥିଲା। ସବୁ ଚେଷ୍ଟା ସତ୍ତ୍ୱେ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରି ପାରି ନଥିଲେ।
ବୁଧବାର ରାଜ୍ୟ ସରକାର ପାଇଥିବା ରିପୋର୍ଟ ଅନୁଯାୟୀ, ମୁମ୍ବାଇର ୭ ମହିଳାଙ୍କ ସମେତ ପୂରା ମହାରାଷ୍ଟ୍ରରେ ୧୩ ଜଣ ଡେଲ୍ଟା ପ୍ଲସରେ ସଂକ୍ରମିତ ହୋଇଛନ୍ତି। ଏହା ମଧ୍ୟରେ ପୁଣେରେ ୩ ଜଣ, ନାନ୍ଦେନ୍ଦ, ଗୋଣ୍ଡିଆ, ରାଇଗଡ଼ ଓ ପାଲଘରରେ ଦୁଇ ଜଣ ଲେଖାଏ ଏବଂ ଅକୋଲା ଓ ଚନ୍ଦ୍ରପୁରରେ ଜଣେ ଲେଖାଏ ବ୍ୟକ୍ତି ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଡେଲ୍ଟା ପ୍ଲସ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି।
The post ରିପୋର୍ଟ ହେଲା ଡେଲ୍ଟା ପ୍ଲସ ଜନିତ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3CDC3Gp
No comments:
Post a Comment