କାମାକ୍ଷାନଗର (ବିଦ୍ୟାଧର ବରାଳ): ଅଣ୍ଡା ଓ ଚାଉଳ ରଖି ରାସ୍ତାରୋକ କରିଛନ୍ତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ। ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ପରଜଙ୍ଗ ଜାତୀୟ ରାଜପଥର ଆଖୁଆପାଳ ପଞ୍ଚୟତ ଅଫିସ୍ ସମ୍ମୁଖରେ।
ଏହି ଛାତ୍ରଛାତ୍ରୀମାନେ ମୋହନପଶି ଉ.ପ୍ରା ବିଦ୍ୟାଳୟର। ସେମାନଙ୍କ ସ୍କୁଲ୍କୁ ୩/୪ କିଲୋମିଟର ଦୂର ଏକ ସ୍କୁଲ୍ ସହିତ ମିଶ୍ରଣ କରାଯାଇଥିବା ଅଭିଯୋଗରେ ସେମାନେ ଏହି ରାସ୍ତାରୋକ କରିଛନ୍ତି। ଛାତ୍ରଛାତ୍ରୀମାନେ ଅଣ୍ଡା ଓ ଚାଉଳ ରଖି ରାସ୍ତାରୋକ କରିଥିବା ବେଳେ ସେଠାରେ ସେମାନଙ୍କ ଉପସ୍ଥାନ ପକାଇବା ସହିତ ପଣିକିଆ ମଧ୍ୟ ଗାଇଛନ୍ତି।
ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ କମ୍ ସଂଖ୍ୟକ ପିଲା ଥିବାରୁ ଏହି ସ୍କୁଲ୍ ଉଠିଯିବ ବୋଲି ପରଜଙ୍ଗ ବ୍ଲକ୍ ଶିକ୍ଷାଧିକାରୀ ସେମାନଙ୍କୁ ପ୍ରଥମେ କହିଥିଲେ। କିନ୍ତୁ ପରେ ସ୍କୁଲ୍ ଆଉ ଉଠିବନି ବୋଲି ସେ କହିଥିଲେ। କିନ୍ତୁ ସ୍କୁଲ୍ରେ ଆଉ ନାମ ଲେଖା ହେବ ନାହିଁ ବୋଲି ଜାଣିବା ପରେ ସେମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି।
ଅଭିଭାବକମାନେ କହିଛନ୍ତି ଯେ ସ୍କୁଲ୍ ଉଠିବ ନାହିଁ ବୋଲି ପ୍ରତିଶ୍ରୁତି ନ ଦେଲା ଯାଏ ଆନ୍ଦୋଳନ ଚାଲିବ। ମୋହନପଶି ଗାଁଠାରୁ ପ୍ରାୟ ୩/୪ କିଲୋମିଟର ଦୂରରେ ଆଉ ଏକ ସ୍କୁଲ୍ ଥିଲେ ସୁଦ୍ଧା ସେଠାକୁ ଛୋଟ ଛୋଟ ପିଲାମାନେ ଯିବା ସମ୍ଭବପର ନୁହେଁ। ସେଠାକୁ ଯାଉଥିବା ରାସ୍ତାରେ ହାତୀ ଉପଦ୍ରବ କରନ୍ତି। ତେଣୁ ପୂର୍ବପରି ମୋହନପଶିରେ ସ୍କୁଲ ଚାଲୁ।
ଖବର ଲେଖାଯିବା ବେଳକୁ ଚାରି ଘଣ୍ଟାରୁ ଅଧିକ ସମୟ ହେଲା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଧାରଣାରେ ବସି ରହିଛନ୍ତି। ସେଥିପାଇଁ ସେଠାରେ ୧୪୯ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଘଟଣାସ୍ଥଳରେ କୌଣସି ଅଧିକାରୀ ମଧ୍ୟ ପହଞ୍ଚି ନାହାନ୍ତି କି ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ।
The post ଅଣ୍ଡା ଓ ଚାଉଳ ରଖି ଛାତ୍ରଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ appeared first on Odisha Reporter.
from Odisha Reporter https://ift.tt/37pKhU2
No comments:
Post a Comment