ଶାସିତର ସାହିତ୍ୟ କ’ଣ ଆଧୁନିକ ସାହିତ୍ୟ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ଶାସିତର ସାହିତ୍ୟ କ’ଣ ଆଧୁନିକ ସାହିତ୍ୟ?

  • ମାୟାଧର ନାୟକ

ଆମ ଓଡ଼ିଶାରେ ଯେଉଁ ଧରଣର ଧାରା ସାହିତ୍ୟ କ୍ଷେତ୍ରରେ ଦେଖାଦେଉଛି, ସେ ଧାରାକୁ ଆଧୁନିକ ଓ ଉତ୍ତର-ଆଧୁନିକ ବୋଲି ଡିଣ୍ଡିମ ପିଟାଯାଉଛି। ଏ ଡିଣ୍ଡିମ ପିଟୁଛନ୍ତି କେଉଁମାନେ? ବୁଦ୍ଧିଜୀବୀ ଓ ସାହିତ୍ୟର ସମୀକ୍ଷକ ବୋଲାଉଥିବା ଦଳେ ଦାୟିତ୍ୱହୀନ ବ୍ୟକ୍ତି। ହୁଏତ ସେମାନଙ୍କ ମଧ୍ୟରୁ ଶତକଡା ୭୦ ଶିକ୍ଷା ବିଭାଗ କର୍ମଚାରୀ, ବାକି ୩୦ ଅନ୍ୟାନ୍ୟ ସରକାରୀ ଚାକିରିଆ। ଯେଉଁ ଧାରାର ସାହିତ୍ୟ ସଂପର୍କରେ ଓଡ଼ିଶାରେ ଏତେ ତୁମ୍ବିତୋଫାନ୍ ସୃଷ୍ଟି କରାଯାଇ ଆସୁଛି, ସେ ସାହିତ୍ୟ ବି ଲେଖନ୍ତି କେଉଁମାନେ? ହଁ, ଏଇ ଧରଣର ପ୍ରଚାରିତ ସାହିତ୍ୟର ସୃଷ୍ଟିକର୍ତ୍ତାମାନେ ମୁଖ୍ୟତଃ ସରକାରୀ କଳର ବିଭିନ୍ନ ପଦାଧିକାରୀ ବ୍ୟକ୍ତି। ଏଇ ପଦାଧିକାର ବଳରେ ସେମାନେ ନିଜ ସୃଷ୍ଟି ସପକ୍ଷରେ ଉପରୋକ୍ତ ବୁଦ୍ଧିଜୀବୀ ଓ ସମୀକ୍ଷକ ବର୍ଗଙ୍କ ନିକଟରୁ ଆଦାୟ କରି ନେଇଥାନ୍ତି ଅପରିମିତ ସ୍ୱୀକୃତି ଓ ସମର୍ଥନ। ଯେଉଁ ଅଳ୍ପ କେତେଜଣ ପ୍ରକୃତ ପ୍ରତିଭାସଂପନ୍ନ ସାହିତ୍ୟକାର ବିନା ସ୍ୱୀକୃତି ଓ ପୁରସ୍କାରରେ ଅମର ସାହିତ୍ୟ ସୃଷ୍ଟି କରିବାରେ ତପସ୍ୟାରତ, ସେମାନେ ଦୀର୍ଘକାଳ ରହିଯାନ୍ତି ଲୋକଲୋଚନର ଅଗୋଚରରେ। ଏଇ ଅଳ୍ପ କେତେଜଣ ସାହିତ୍ୟକାର ବିନା ଗୋଷ୍ଠୀ, ବିନା ଚର୍ଚ୍ଚା, ବିନା ଭାଟବନ୍ଦନା ମଧ୍ୟରେ ନିଜର ବିଶ୍ୱାସକୁ ନେଇ ବଂଚି ରହନ୍ତି କେବଳ। ସେମାନଙ୍କ ମୃତ୍ୟୁ ପରେ ଏ ସମାଜ କାନ୍ଦେ, ଏ ବ୍ୟବସ୍ଥା ଦାବି କରେ ଶହେ ତୋପର ସଲାମି! ଏଇ ତ ଅବସ୍ଥା!

ବର୍ତ୍ତମାନର ସାହିତ୍ୟ କ’ଣ ସତରେ ଆଧୁନିକ ସାହିତ୍ୟ? ଆଧୁନିକ ସାହିତ୍ୟ ନ କହି ଏ ସାହିତ୍ୟକୁ ବରଂ ଶାସିତର ସାହିତ୍ୟ କହିଲେ ଅଧିକ ଯଥାର୍ଥ ହେବ। ଶାସିତର ସାହିତ୍ୟ ଏଇଥିପାଇଁ ଯେ ସେଥିରେ ଆଧୁନିକତାର କୌଣସି ଚିହ୍ନବର୍ଣ୍ଣ ନାହିଁ। ଜୀବନ ଆଗେଇ ଚାଲିବ, ପୃଥିବୀ କେତେ ପରିବର୍ତ୍ତନ ସାମ୍ନା କରୁଚି, ସମାଜରେ ନାନା ସଂଶୟ ଓ ସଂଘାତ ଉପୁଜୁଚି, ବ୍ୟକ୍ତିମାନସ କେତେ ଜଟିଳତାରେ ଜର୍ଜରିତ ହେଉଚି, ମଣିଷ ଜାତିର ଭବିଷ୍ୟତକୁ ନେଇ କେତେ କ’ଣ ଖେଳ ଆରମ୍ଭ ହୋଇସାରିଚି– ସବୁଠି ଆଶଙ୍କା, ଆତଙ୍କ, ଆପଦର ଆବର୍ତ୍ତ – ଅଥଚ ଚାରି କାନ୍ଥର ଚୌହଦି ମଧ୍ୟରେ ସାହିତ୍ୟ ନାମରେ ଚାଲିଚି ସୌଖିନ୍ ସର୍ଜନା! ବୁଦ୍ଧି ଅଛି, ବିବେକ ନାହିଁ… ମସ୍ତିଷ୍କ ଅଛି, ହୃଦୟ ନାହିଁ… ପ୍ରଚାର ଅଛି, ପ୍ରାଣ ନାହିଁ – ଏମିତି ଏକ ଅନ୍ଧମୁହାଣିରେ ଓଡ଼ିଶାର ସାହିତ୍ୟ ଆଜି କେବଳ ଭୁଆଁ ବୁଲୁଛି। ସାହିତ୍ୟ ଲେଖୁଛନ୍ତି ବୋଲି ଧରାଯାଉଥିବା ବହୁ ଧୂରୀଣ ବ୍ୟକ୍ତି ନିଜ ନିଜକୁ ଲେଖକ ରୂପରେ ଚିହ୍ନଟ କରାଉଛନ୍ତି ସିନା, ମାତ୍ର ପ୍ରକୃତରେ ସେମାନେ କ’ଣ ଲେଖକ ପଦବାଚ୍ୟ? ବରଂ ଲେଖକ ନ କହି ସେମାନଙ୍କୁ ଲେଖାଳି କହିଲେ ଠିକ୍ ହେବ। ସେମାନେ ଲେଖାଳି, କାହିଁକିନା ସେମାନଙ୍କର ସାହିତ୍ୟ ଚିନ୍ତନ ମୌଳିକତାହୀନ, ସାହିତ୍ୟଦୃଷ୍ଟି ମନନଶୂନ୍ୟ। ନିଜ ମାଟି ପାଣି ପବନର ରୂପ-ରସ-ଗନ୍ଧ ସେମାନଙ୍କ ସାହିତ୍ୟରେ ନାସ୍ତି। ଏକ ପ୍ରକାର ଔପନିବେଶିକ ଅନୁଶାସନକୁ ଅକ୍ଷରେ ଅକ୍ଷରେ ମାନିନେଇ ସେମାନେ ଆଧୁନିକ ସାହିତ୍ୟ ଲେଖନ୍ତି ବୋଲି ପ୍ରଚାରିତ ହୋଇ ଆସୁଛନ୍ତି ମାତ୍ର। ନ ହେଲେ ମାଟି ଆଉ ମଣିଷର ମର୍ମକଥା, ସମକାଳୀନ ପ୍ରଜନ୍ମର ପ୍ରାଣପୀଡ଼ା, ନିଜ ସମୟର ଅନ୍ତଃସ୍ୱରରୁ ସେମାନଙ୍କ ସାହିତ୍ୟ ବଂଚିତ।

ବର୍ତ୍ତମାନର ସାହିତ୍ୟ କିତାବୀ ସାହିତ୍ୟ– ଓଡ଼ିଆ ଭାଷାରେ ଏଇ କୋଡ଼ିଏ ତିରିଶ ବର୍ଷ ଧରି ସାହିତ୍ୟ ଆଳରେ କେବଳ ଏକ ଅଭ୍ୟାସକୁ ଅକ୍ଷର ରୂପ ଦିଆଯାଇ ଆସୁଛି। ମହାଭାରତରେ କୋକୁଆ ମାତିବା ପରି ଏବର ସାହିତ୍ୟରେ ସେମିତି ଅବକ୍ଷୟର ଅଣଚାଶ ମାହି ଆସିଚି। ଯେଉଁଠି ଦେଖ କେବଳ ଶୂନ୍ୟତାର ସ୍ୱର, ହତାଶାର ହାହାକାର, ବିଚିତ୍ର ବିକଳପଣର ବିଜ୍ଞପ୍ତି। ସାହିତ୍ୟରେ ଦେଖାଦେଇଛି ବିଷୟବସ୍ତୁର ସଂକଟ। ଶୈଳୀସର୍ବସ୍ୱ ଆଭିମୁଖ୍ୟ ଆଜି ସାହିତ୍ୟର ଧ୍ୟେୟ ଓ ଶ୍ରେୟ। ଆମର ଅଧିକାଂଶ ଲେଖକ କେତେଦୂର ଗାଆଁ ଗହଳର ଗହନ ଚିତ୍ରକୁ ରଙ୍ଗାଇ ପାରନ୍ତି? ସେମାନେ କ’ଣ ବଂଚିବାର ସଂଗ୍ରାମ ଓ ସଂଘାତରେ ପ୍ରତି ମୁହୂର୍ତରେ ଜୀବନ୍ତ ଶହୀଦ ପାଲଟୁଥିବା ସାଧାରଣ ମଣିଷର କଥା ଓ ବ୍ୟଥାକୁ ନିଜ ସାହିତ୍ୟର ସରହଦକୁ ପାଛୋଟି ଆଣିଛନ୍ତି? ବର୍ତ୍ତମାନର ସାହିତ୍ୟରେ ବର୍ତ୍ତମାନର ଜୀବନ ନାହିଁ, ସ୍ପର୍ଶ ନାହିଁ, ସଂଘର୍ଷ ନାହିଁ, ପରିବର୍ତ୍ତନ ଓ ବିବର୍ତ୍ତନର ପ୍ରମାଣପତ୍ର ନାହିଁ। ସୁତରାଂ ସାଂପ୍ରତିକ ସାହିତ୍ୟ ସମାଜ ଜୀବନଠାରୁ ସୁଦୂରବର୍ତ୍ତୀ ହୋଇ ଉଠିବା ଫଳରେ ହରାଇ ବସୁଛି ପାଠକୀୟତା। ହଁ, ଆଜି ଓଡ଼ିଆ ସାହିତ୍ୟରେ ଶହଶହ ଲେଖକଙ୍କ ଥାଟପଟାଳି, ମାତ୍ର ପାଠକ ଶହେରେ ସାତ ଜଣ ବାହାରିବେ କି ନାହିଁ ସନ୍ଦେହ! ଏପରିକି ଯେଉଁମାନେ ତିରିଶ ଚାଳିଶ ବର୍ଷ ହେଲା ଲେଖାଲେଖି କରି ଆସୁଛନ୍ତି ସେମାନେ ନିଜ ଲେଖା ଛଡ଼ା ଅନ୍ୟ ଲେଖକମାନଙ୍କୁ ପଢ଼ିଥାନ୍ତି କି ଆନ୍ତିରିକତାର ସହିତ? ବରଂ ଓଡ଼ିଆ ଭାଷାର ଲେଖକ ତା ନିଜ ଭାଷାର ବହି ନ କିଣି କିଣିଥାଏ ବିଦେଶୀ ଭାଷାର ବହି। ସେ ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଅଭିମନ୍ୟୁ ସାମନ୍ତସିଂହାର, ଗୋପାଳକୃଷ୍ଣ, ବଳଦେବ ରଥ କି ଭୀମ ଭୋଇଙ୍କୁ ପଢ଼ି ନ ଥାଏ, କିନ୍ତୁ ସଦ୍ୟ ବିଦେଶୀ ଲେଖକମାନଙ୍କ ସବୁ ଖବର ତା’ ନଖଦର୍ପଣରେ! ମୁଁ କହୁନାହିଁ ଯେ ବିଦେଶୀ ଲେଖକଙ୍କ ବହିକୁ ବର୍ଜନ କରାଯାଉ, କାହିଁକିନା ସାହିତ୍ୟରେ ଏ ପ୍ରକାର ସ୍ୱଦେଶୀ ଆନ୍ଦୋଳନର କୌଣସି ସ୍ଲୋଗାନ୍ ବେଶିଦିନ ଚାଲିପାରେନା। ମାତ୍ର ମୋର କହିବାର କଥା ହେଉଚି, ନିଜ ଭାଷା, ନିଜ ସାହିତ୍ୟ ପ୍ରତି ଆମ ତଥାକଥିତ ଲେଖକମାନଙ୍କର ଏ ଧାରାବାହିକ ହୀନମନ୍ୟତାକୁ ଆମେ ବରଦାସ୍ତ କରି ଚାଲିଥିବା ଆଉ କେତେଦିନ?

ଏବେ ଆଉ ଏକ ଦୁଃଖଦାୟକ ଦିଗ ଉପରେ ଆଲୋକପାତ କରାଯାଉ। ଆଜି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଲେଖକମାନଙ୍କ ଗହଳଚହଳ ଯେତେ ନଜରକୁ ଆସୁଛି, ସେ ଗହଳି ଭିତରେ ଆମେ କୌଣସି ବ୍ୟକ୍ତିତ୍ୱଗତ ବିଶାଳତା କି ବ୍ୟାପକତା ଲକ୍ଷ୍ୟ କରି ପାରୁଛୁ କି? ଏଇ କିଛି ବର୍ଷ ତଳେ ଆମ ଆଖି ଆଗେ ଆଗେ ଆମେ ଦେଖୁଥିଲୁ ମହାନ୍ ସାହିତ୍ୟକର୍ମା ସେଇ ବିରଳ ବ୍ୟକ୍ତିତ୍ୱମାନଙ୍କୁ ଯେଉଁମାନେ ପ୍ରତିଭାତ ହେଉଥିଲେ ଗୋଟିଏ ଗୋଟିଏ ଅନବଦ୍ୟ ନକ୍ଷତ୍ର ଭଳି। ମୁଁ ନିଜେ ଲକ୍ଷ୍ୟ କରିଚି, ସାହିତ୍ୟଦୃଷ୍ଟି ଓ ଦର୍ଶନକୁ ନେଇ ସେମାନେ ମଂଚରେ ବିତର୍କ ସୃଷ୍ଟି କରିଥାନ୍ତି ସିନା ହେଲେ ବ୍ୟକ୍ତିଗତ ସଂପର୍କରେ ସେମାନେ ବରାବର ବନ୍ଧା ଥିଲେ ପରମ ସୌହାର୍ଦ୍ଦ୍ୟର ସୂତ୍ରରେ। ଆଜିର ଓଡ଼ିଆ ସାହିତ୍ୟରେ ବ୍ୟକ୍ତିତ୍ୱର ସଂକଟ ଏକ ଦୁଃଖଦ ସତ୍ୟ। ସେଇଭଳି ବିଶାଳ ବ୍ୟକ୍ତିତ୍ୱ କ’ଣ ଆଜିକାଲି ଦେଖିବାକୁ ମିଳୁଛନ୍ତି ସତରେ? ଇତିହାସରେ ଡାଇନୋସାରମାନଙ୍କ ଯୁଗ ସରିଯାଇଥିବା ପରି ସାହିତ୍ୟରେ ମଧ୍ୟ ସଂପ୍ରତି ବ୍ୟକ୍ତିତ୍ୱର ସ୍ୱର ନିଶ୍ଚିହ୍ନ। ପୁରସ୍କାର ନପାଇଥିବା ବହୁ ବ୍ୟକ୍ତିତ୍ୱଶାଳୀ ସାହିତ୍ୟିକଙ୍କ ସିଂହାସନ ଥିଲା ସେତେବେଳେ ପାଠକର ହୃଦୟ! ଏ ସୌଭାଗ୍ୟ କିନ୍ତୁ ଆଜିର ବହୁ ନାମୀଦାମୀ ପୁରସ୍କାରପ୍ରାପ୍ତ ଲେଖକଙ୍କ କପାଳରେ ଜୁଟିପାରିଛି କି?

ଶାସିତର ସାହିତ୍ୟ ଏ ଆଜିର ସାହିତ୍ୟ। ସାଧାରଣ ମଣିଷର ଅନୁପ୍ରବେଶ ଏ ସାହିତ୍ୟରେ କାହିଁ? ଶାସନର ବରାଦୀ ବ୍ୟବସ୍ଥା ଭିତରେ, ପ୍ରଶାସନର ପ୍ରହେଳିକା ମଧ୍ୟରେ ସାହିତ୍ୟ ଦ୍ୱାହିରେ ସୃଷ୍ଟି ହେଉଛି ପ୍ରବଂଚନାର ପ୍ରସାରିତ ପରମ୍ପରା। ସତ୍ୟ ନୁହେଁ, ମିଥ୍ୟା ହିଁ ଆଜି ପାଲଟିଛି ସାହିତ୍ୟର ସୂଚିପତ୍ର। ବିବେକବୋଧ ନୁହେଁ, ବିଚାରବୋଧ ନୁହେଁ, ବିଶ୍ୱାସଘାତକତା ହିଁ ଆଜି ହୋଇପଡିଛି ଓଡ଼ିଆ ସାହିତ୍ୟର ମୁଖ୍ୟ ବିଷୟବସ୍ତୁ। ଆଜିର ସାହିତ୍ୟ ପ୍ରକୃତରେ ବିଶ୍ୱାସଘାତକତା କରିଚାଲିଚି ଚାରିପଟର ଛିନ୍ନବିଚ୍ଛିନ୍ନ ସମାଜଜୀବନ ପ୍ରତି ଏବଂ ଆଜିର ଲେଖକ ମଧ୍ୟ ନିଜ ପ୍ରତି।

ଭାରତବର୍ଷର ଭାଗ୍ୟ ବିଡ଼ମ୍ବନା ହେଉଛି, ବିଗତର ବିପ୍ଳବଗୁଡ଼ିକୁ ଧର୍ମ ନାମରେ ଆଖ୍ୟାୟିତ କରି ଯେଉଁଭଳି ସାମାଜିକ ପ୍ରହସନ ସୃଷ୍ଟି କରାଗଲା ଏବଂ ମଠ ଓ ମହନ୍ତମାନଙ୍କ ମାଳିକାନା ମଧ୍ୟରେ ଧର୍ମକୁ କବଳିତ କରି ସେ ଧର୍ମପ୍ରଚାର ପାଇଁ ସାହିତ୍ୟକୁ ଅସ୍ତ୍ର କରାଗଲା, ତାହାଦ୍ୱାରା ଭବିଷ୍ୟଦୃଷ୍ଟି ପ୍ରତି ଯେ କି ଶୋଚନୀୟ ବିପନ୍ନତାକୁ ଡାକି ଅଣାଗଲା, ସେକଥା ଚିନ୍ତା କରିବାର ସମୟ ଆସି ପହଂଚିଯାଇଚି। ଧର୍ମର ନିଶାରେ ସାହିତ୍ୟର ଚେତନା ପ୍ରଭାବିତ ହେବା ଦ୍ୱାରା ସମାଜଜୀବନ ହୋଇଉଠିଲା ଦିଗ୍‌ଭ୍ରଷ୍ଟ ଓ ବିଭ୍ରଷ୍ଟ। ତା’ପରେ ବିଜ୍ଞାନ, ଶିଳ୍ପବିପ୍ଳବ ଓ ମହାଯୁଦ୍ଧର ଆବର୍ତ୍ତରେ ସାହିତ୍ୟ ପ୍ରଳୟ ପୟୋଧି ମଧ୍ୟରେ ଯେଉଁ ବଟପତ୍ରକୁ ଆଶ୍ରୟ କଲା, ତା’ ହେଉଛି ସମୟ ପ୍ରତି ଏକ ସଜାଗତା ଓ ଶ୍ୱାସବୋଧ।

ଆଜି ଓଡ଼ିଆ ସାହିତ୍ୟ ଏଇ ବିଶ୍ୱାସକୁ ଫେରାଇ ଆଣିବା ଦରକାର ଯାହା ଏ ଆଧୁନିକ ସାହିତ୍ୟର ସାମର୍ଥ୍ୟ ବାହାରେ। ଆଧୁନିକ ସାହିତ୍ୟର ମୁଖାପିନ୍ଧା ଏକ ବିଶ୍ୱାସଘାତକ ପରମ୍ପରାର ପୂର୍ଣ୍ଣଛେଦ ନପଡ଼ିଲେ, ପ୍ରକୃତ ସାହିତ୍ୟ ପାଇଁ ସମ୍ଭାବନା ସୃଷ୍ଟି ହେବ କିପରି?

ନିଃଶ୍ୱାସରେ ନୁହେଁ, ବିଶ୍ୱାସରେ ହିଁ ବଂଚିବାର ବୀଜମନ୍ତ୍ର ଆମେ ସାହିତ୍ୟଠାରୁ ଆଶା କରୁଛୁ।

(ସଂପାଦକୀୟ ମତ: ଏଥିରେ ଦିଆଯାଇଥିବା ମତାମତ ଲେଖକଙ୍କର ସଂପୂର୍ଣ୍ଣ ନିଜସ୍ୱ। ଏହା ଓଡ଼ିଶା ରିପୋର୍ଟରର ମତ ନୁହେଁ। ଯଦି କୌଣସି ସାହିତ୍ୟିକ ଭିନ୍ନମତ ପ୍ରଦାନ କରିବାକୁ ଚାହିଁବେ ଓଡ଼ିଶା ରିପୋର୍ଟର ତାହା ପ୍ରକାଶ କରିବ।)

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

The post ଶାସିତର ସାହିତ୍ୟ କ’ଣ ଆଧୁନିକ ସାହିତ୍ୟ? appeared first on Odisha Reporter.



from Odisha Reporter https://ift.tt/3AU6mXD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages